ଭୁବନେଶ୍ୱର, ୧୩/୦୨ : ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଦେଶର ବିଭିନ୍ନ କ୍ଷେତ୍ର ଏବଂ ଅଞ୍ଚଳରେ ସମ୍ଭାବନାର ନୂତନ ଦ୍ୱାର ଖୋଲିବ । ସବୁଠାରୁ ବଡ଼ କଥା ହେଲା ଏହାର ବଡ଼ ଲାଭାର୍ଥୀ ପାଲଟିବାକୁ ଯାଉଛି ଆମ ରାଜ୍ୟ ଓଡ଼ିଶା । ସ୍ଥାୟୀ ବିକାଶ ଏବଂ ଆଖିଦୃଶିଆ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପଥ ପ୍ରସ୍ତୁତ କରୁଥିବା ଓଡ଼ିଶା ପାଇଁ ଏହି ଏଫ୍‌ଟିଏ ଶିଳ୍ପ ବିକାଶ, ବିଶ୍ୱ ସମନ୍ୱୟ ଏବଂ ଦକ୍ଷତା ବିକାଶର ଉତ୍‌ପ୍ରେରକ ହେବ । ଓଡ଼ିଶାକୁ ନିଜର ସପ୍ତଦଶ ଗସ୍ତରେ ଆସିଥିବା ତଥା କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଆଣ୍ଡ୍ର‌୍ୟୁ ଫ୍ଲେମିଂ ‘ପ୍ରମେୟ’ର ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି । 

​​​​​​​

ସାକ୍ଷାତକାର ଅବସରରେ ବ୍ରିଟିଶ ଡେପୁଟି ହାଇକମିଶନର ଆଣ୍ଡ୍ର୍ୟୁ ଫ୍ଲେମିଂଙ୍କ ସହ ‘ପ୍ରମେୟ’ର ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର

ଭାରତ-ୟୁକେ ଏଫ୍‌ଟିଏ ଦ୍ୱାରା ସୃଷ୍ଟି ହେବାକୁ ଥିବା ସମ୍ଭାବନା ବିଷୟରେ ଉଲ୍ଲେଖ କରିଛନ୍ତି ଫ୍ଲେମିଂ । ଓଡ଼ିଶା କିପରି ଏହି ରାଜିନାମାରୁ ବଡ଼ ଆକାରରେ ଉପକୃତ ହେବ ସେ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି । ଏଫ୍‌ଟିଏକୁ ଉଭୟ ମହତ୍ତ୍ୱାକାଂକ୍ଷୀ ଏବଂ ବ୍ୟାପକ ଭାବେ ସମ୍ବୋଧିତ କରି ଫ୍ଲେମିଂ କହିଲେ, ୨୦,୦୦୦ ପୃଷ୍ଠା ଏବଂ ଅଗଣିତ ଅଧ୍ୟାୟ ବିଶିଷ୍ଟ ଏହି ରାଜିନାମା ବାଣିଜ୍ୟିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସହ ନିୟମାବଳୀକୁ ସରଳ କରିବ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗିତାକୁ ମଜଭୁତ କରିବ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଶିଳ୍ପକୁ ଏହି ଏଫ୍‌ଟିଏର ସର୍ବାଧିକ ଫାଇଦା ମିଳିବ । 

ରାଜ୍ୟର ଦୃଢ଼ ଉତ୍ପାଦନ ଆଧାର ଏବଂ ରପ୍ତାନି କ୍ଷମତା ସତ୍ତେ୍ୱ ବ୍ରିଟେନ ବଜାରରେ ପ୍ରବେଶ ଏକଦା ନିୟାମକ ଜଟିଳତାରେ ପରିପୂର୍ଣ୍ଣ ରହିଥିଲା । ଫ୍ଲେମିଂ କହିଲେ ଯେ, ବିଗତ ଦିନରେ ୟୁକେକୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଅତ୍ୟନ୍ତ କଷ୍ଟକର ହେଉଥିଲା । କିନ୍ତୁ ଏବେ ଏଫଟିଏ ଦ୍ୱାରା ଏସବୁ ଦୂର ହୋଇଯିବ । ବ୍ରିଟେନ୍‌ ବଜାରରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ପ୍ରବେଶ ସହଜ ହେବ । ବାଧକ ହ୍ରାସ ଏବଂ ସେଠାକାର ବଜାରକୁ ବାଟ ପରିଷ୍କାର ହେବା ଦ୍ୱାରା ୟୁକେ ବଜାରରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଶିଳ୍ପର ଉପସ୍ଥିତି ବୃଦ୍ଧି ପାଇବ । ଫ୍ଲେମିଂ କହିଲେ, ଏହି ରାଜିନାମାର ବଡ଼ ବିଜେତା ହେଉଛି ସାମୁଦ୍ରିକ ଖାଦ୍ୟ ଶିଳ୍ପ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଶିଳ୍ପ ହେଉଛି ବିଶାଳ । ଏଣୁ ରାଜ୍ୟକୁ ମିଳିବ ବଡ଼ ଫାଇଦା । 

ଓଡ଼ିଶାର ସ୍ପନ୍ଦନଶୀଳ ଏମ୍‌ଏସ୍‌ଏମ୍‌ଇ ଇକୋସିଷ୍ଟମ ପାଇଁ ବି ଏ ରାଜିନାମା ବିପୁଳ ସମ୍ଭାବନା ସୃଷ୍ଟି କରିବ । ବିଶ୍ୱ ଦରବାରରେ ଓଡ଼ିଶାର ହସ୍ତଶିଳ୍ପ ଏବଂ ସୃଜନଶୀଳ ଶିଳ୍ପର ଖ୍ୟାତି ରହିଛି । ୟୁକେକୁ ରପ୍ତାନିରେ ଶୂନ-ଶୁଳ୍କ ଓଡ଼ିଆ ଉତ୍ପାଦଗୁଡ଼ିକର ପ୍ରତିସ୍ଫର୍ଦ୍ଧା ବଢ଼ାଇବ । ଫ୍ଲେମିଂଙ୍କ ଅନୁସାରେ, ଏସବୁ ସାମଗ୍ରୀରେ ଶୁଳ୍କ ଉଚ୍ଛେଦ ଦ୍ୱାରା ଏଗୁଡ଼ିକର ପ୍ରତିସ୍ଫର୍ଦ୍ଧା ପୂର୍ବାପେକ୍ଷା ଅଧିକ ବଢ଼ିବ । ଫଳରେ ବୁଣାକାର, ଶିଳ୍ପୀ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ମିଳିବ ସିଧାସଳଖ ଲାଭ । ଅନ୍ତର୍ଜାତୀୟ ବଜାରରେ ପହଞ୍ଚ ବୃଦ୍ଧି ଯୋଗୁ ଏମାନଙ୍କ ଜୀବନ ମାନରେ ଆସିବ ଉନ୍ନତି । ପାରମ୍ପରିକ ସାମଗ୍ରୀ ସହିତ ଏଫଟିଏ ମଧ୍ୟ ଅତ୍ୟାଧୁନିକ ଏବଂ ଭବିଷ୍ୟତମୁଖୀ କ୍ଷେତ୍ରଗୁଡ଼ିକ ପାଇଁ ନୂଆ ସମ୍ଭାବନା ଆଣିଛି । ଯେହେତୁ ଓଡ଼ିଶାରେ ଏକ ବିରଳ ଖଣିଜ କରିଡର ହେବାକୁ ଯାଉଛି ଏ ରାଜିନାମା ଦୁଇ ଦେଶ ମଧ୍ୟରେ ସହଯୋଗିତା ପାଇଁ ବାଟ ସୃଷ୍ଟି କରିଛି। 

​​​​​​​

ଅତ୍ୟାଧୁନିକ ମ୍ୟାଟେରିଆଲ ରିସର୍ଚ୍ଚରେ ବ୍ରିଟେନର ଦୀର୍ଘଦିନର ଅଭିଜ୍ଞତା ଓଡ଼ିଶାର ଖଣିଜ ସମ୍ପଦ ସହିତ ସମାନ୍ତରାଳ ହୋଇପାରିବ । ବ୍ରିଟିଶ ବିଶ୍ୱବିଦ୍ୟାଳୟ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗିତା ଦ୍ୱାରା ଏହା ସମ୍ଭବ ହେବ । ଏଭଳି ସହଯୋଗିତା ୟୁକେ-ଭାରତ ଭିଜନ: ୨୦୩୫ କ୍ଷେତ୍ରରେ ଏକ ପ୍ରମୁଖ ସ୍ତମ୍ଭ ପାଲଟିବ । ଏହି ଭିଜନ୍‌ ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ଆଧାର ଭାବେ ପ୍ରଯୁକ୍ତି, ନବସୃଜନ ଏବଂ ଗବେଷଣାଭିତ୍ତିକ ଅଭିବୃଦ୍ଧିକୁ ସ୍ଥାନିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଫ୍‌ଟିଏର ପ୍ରଭାବ କେବଳ ସାମଗ୍ରୀ ଏବଂ ଶିଳ୍ପ ମଧ୍ୟରେ ସୀମିତ ନାହିଁ । ଏହା ମଧ୍ୟ ଅର୍ଥନୈତିକ ସହଯୋଗିତାରେ ନାଗରିକ ଏବଂ ସେବାକୁ ସ୍ଥାନିତ କରିଛି । ଓଡ଼ିଶା ଯେପରି ଏହି ରାଜିନାମାରୁ ସୃଷ୍ଟି ହେବାକୁ ଥିବା ସମ୍ଭାବନାର ପୂର୍ଣ୍ଣ ଲାଭ ଉଠାଇପାରିବ, ସେଥିପାଇଁ ବ୍ରିଟେନ୍‌ ରାଜ୍ୟରେ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣ ପଦକ୍ଷେପରେ ବି ଆଗକୁ ବଢ଼ିଛି । ଉଦାହରଣ ହେଉଛି, ଭୁବନେଶ୍ୱରରେ ଏକ କେମ୍ବ୍ରିଜ ଆସେସମେଣ୍ଟ ସେଣ୍ଟର ସ୍ଥାପନ କରାଯିବ । ଏହା ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ଇଂରାଜୀ ଭାଷା ପ୍ରମାଣନ ପ୍ରଦାନ କରିବ । ବିଶେଷ କରି ମହିଳା ଏବଂ ଗ୍ରାମୀଣ ସମୁଦାୟଙ୍କ ମଧ୍ୟରେ କମ୍ୟୁନିକେଶନ ଏବଂ ଧନ୍ଦାମୂଳକ ଦକ୍ଷତାକୁ ମଜଭୁତ କରି ଏହି ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ପ୍ରଯୁକ୍ତି ଏବଂ ସେବା କ୍ଷେତ୍ର ନିବେଶ ପାଇଁ ଓଡ଼ିଶାକୁ ଏକ ଉପଯୁକ୍ତ ସ୍ଥଳ ଭାବେ ପ୍ରସ୍ତୁତ କରିବ। 

ଏହି ଏଫ୍‌ଟିଏ ଦ୍ୱାରା ସ୍ୱଚ୍ଛ ଶକ୍ତି ଏବଂ ନିରନ୍ତର ବିକାଶକୁ ବି ବଳ ମିଳିବ । ଭୁବନେଶ୍ୱରରେ ନେଟ୍‌-ଜିରୋ ପ୍ଲାନିଂ ଏବଂ ସ୍ଥାୟୀ ସହରାଞ୍ଚଳ ପରିବହନ ସମାଧାନ ଉପରେ ପୂର୍ବରୁ ହିଁ ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟ କରୁଛି ୟୁକେ । ଆଇଏମ୍‌ଏଟି ଭଳି ଏକ ଗ୍ରୀନ୍‌ ଇଞ୍ଜିନିୟର ଆକ୍ରିଡେସନ୍‌ ପ୍ରତିଷ୍ଠାନ ଆସିବା ଦ୍ୱାରା ଓଡ଼ିଶାର ସବୁଜ କାର୍ଯ୍ୟଶକ୍ତିଙ୍କ ପେସାଦାର ମନୋଭାବ ବଢ଼ିବ । ଏକତ୍ର ଭାବେ ଏସବୁ ଉଦ୍ୟମ ନିଶ୍ଚିତ କରିବ ଯେ, ରାଜ୍ୟର ଶିଳ୍ପ ଏବଂ ସହରାଞ୍ଚଳ ଅଭିବୃଦ୍ଧି ବିଶ୍ୱ ଜଳବାୟୁ ପ୍ରତିବଦ୍ଧତା ସହ ସମାନ୍ତରାଳ ରହିବ । 

ଫ୍ଲେମିଂ ଆହୁରି ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ଏବଂ ୟୁକେ ଏଫଟିଏ ସ୍ୱାଭାବିକ ଭାବେ ଏକ ଦ୍ୱିପାକ୍ଷିକ ରାଜିନାମା । ଭାରତରେ ଉଚ୍ଚ-ମୂଲ୍ୟ ଟେଣ୍ଡର ପାଇଁ ପ୍ରତିଯୋଗିତା କରିବା ଲାଗି ଏହା ବ୍ରିଟିଶ କମ୍ପାନିଗୁଡ଼ିକୁ ସକ୍ଷମ କରିବ । ତା’ସହିତ ୟୁକେରେ ନିବେଶ, ସମ୍ପ୍ରସାରଣ ଏବଂ ଉପସ୍ଥିତି ବଢ଼ାଇବା ପାଇଁ ସଫଳ ଓଡ଼ିଆ ବ୍ୟବସାୟଗୁଡ଼ିକୁ ଉତ୍ସାହିତ କରିବ । ଫ୍ଲେମିଂ କହିଲେ, ଯେତେବେଳେ ଆତ୍ମବିଶ୍ୱାସ ଏବଂ ସମ୍ଭାବନା ମଜଭୁତ ଥାଏ ସେତେବେଳେ ଉଭୟ ଦିଗରୁ ନିବେଶ ପ୍ରବାହ ହୋଇଥାଏ । ଓଡ଼ିଶାର ଭବିଷ୍ୟତକୁ ନେଇ ଭରସା ପ୍ରକାଶ କରିଛନ୍ତି ବ୍ରିଟିଶ ଡେପୁଟି ହାଇ କମିଶନର । ଭାରତ ଏବଂ ୟୁକେ ସହଯୋଗିତା ଦ୍ୱାରା ରାଜ୍ୟରେ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ଆଗାମୀ ଦଶନ୍ଧିରେ ଏହି ରାଜ୍ୟ ଆକର୍ଷଣୀୟ ଅଭିବୃଦ୍ଧି ନେଇ ବଢ଼ିବ । ଏଠାରେ ବ୍ରିଟେନର ସହଯୋଗିତା ବଢ଼ାଇବା ପାଇଁ ନିଶ୍ଚିତ ଭାବେ ସୁଯୋଗ ରହିଥିବା ଫ୍ଲେମିଂ କହିଛନ୍ତି।