ପୁରୀ, ୨୨/୧୦ : ବାରମ୍ବାର ତାଗିଦ୍‌ ସତ୍ତ୍ଵେ ବିଦେଶରେ ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ଜିଦ୍‌ ଧରିଛି। ଗୋଟିଏ ତିଥିରେ ସବୁ ମନ୍ଦିରରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ଇସ୍କନ ସ୍ପଷ୍ଟ କରିଛି। ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା ପାଳନ କରିବାକୁ ଗଜପତି ମହାରାଜ ଗତ ସେପ୍ଟେମ୍ବର ୬ ତାରିଖରେ ପଶ୍ଚିମବଙ୍ଗ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିର ଉତ୍ତର ଗତ ଅକ୍ଟୋବର ୧୯ ତାରିଖରେ ଗଜପତିଙ୍କୁ ମିଳିଛି ଯେଉଁଥିରେ ଇସ୍କନ ଭାରତ ବାହାରେ ଅଦିନରେ ରଥଯାତ୍ରା ପାଳନ କରାଯିବ ବୋଲି କହିଛି। ବିଦେଶରେ ପାଣିପାଗ, ବିଦେଶରେ ଛୁଟି ତଥା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିଦେଶରେ ରଥଯାତ୍ରା ପାଳନ କରାଯାଏ । ଏଣୁ ବିଦେଶରେ ଅଦିନରେ ରଥଯାତ୍ରା ପାଳନ କରିବାକୁ ଅନୁମତି ଦିଆଯାଉ ବୋଲି ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ଚିଠିରେ ଗଜପତିଙ୍କୁ ଜଣାଇଛନ୍ତି ।

ମଙ୍ଗଳବାର ଗଜପତି ମହାରାଜ ଇସ୍କନକୁ ଚିଠି ଲେଖି ଏହି ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି । କୌଣସି ପରିସ୍ଥିତିରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଗ୍ରହଣ କରାଯିବନି ବୋଲି ଗଜପତି ସ୍ପଷ୍ଟ କରିଛନ୍ତି । ଏଣୁ ଇସ୍କନ ଏହାର ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରୁ ବୋଲି ଗଜପତି କହିଛନ୍ତି । ଇସ୍କନ କହିଛି, ବିଦେଶରେ ସଂଖ୍ୟାଲଘୁ କିଛି ଲୋକଙ୍କୁ ନେଇ ରଥଯାତ୍ରା ପାଳନ ହୋଇଥାଏ । ଏଣୁ ଅଧିକାଂଶ ପାଶ୍ଚାତ୍ୟ ଦେଶରେ କେବଳ ସାପ୍ତାହିକ ଛୁଟି ଦିନରେ ହିଁ ରଥଯାତ୍ରା କରିବାକୁ ଅନୁମତି ମିଳିଥାଏ । ସାପ୍ତାହିକ କାର୍ଯ୍ୟ ଦିବସରେ ରଥଯାତ୍ରା କଲେ ଲୋକେ ସାମିଲ ହୋଇପାରିବେ ନାହିଁ । ବିଦେଶରେ ଅଧିକାଂଶ ମନ୍ଦିରର ନିଜସ୍ୱ ରଥ ନ ଥାଏ । ଏଣୁ ଗୋଟିଏ ରଥରେ ପୃଥକ୍‌ ଦିନରେ ରଥଯାତ୍ରା କରାଯାଏ । ଏଣୁ ସବୁ ମନ୍ଦିରରେ ଗୋଟିଏ ଦିନରେ ରଥଯାତ୍ରା କରିବା କଷ୍ଟକର । ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ଅଧିକାଂଶ ଦେଶରେ ଶୀତ ପ୍ରବାହ ପ୍ରବଳ ଥାଏ । ଏଣୁ ସେଠାରେ ରଥଯାତ୍ରା କରି ହୁଏ ନାହିଁ । ସବୁ ସ୍ଥାନରେ ଗୋଟିଏ ଦିନରେ ରଥଯାତ୍ରା କଲେ ଯେଉଁ ଭକ୍ତ ପୁରୀ ଆସି ରଥଯାତ୍ରା ଦେଖନ୍ତି ସେମାନେ ଆସିପାରିବେ ନାହିଁ । ଏଣୁ ସବୁ ମନ୍ଦିରରେ ଗୋଟିଏ ତିଥିରେ ସ୍ନାନ ଯାତ୍ରା ପାଳନ କରାଯିବ । କିନ୍ତୁ ଗୋଟିଏ ତିଥିରେ ସବୁ ମନ୍ଦିରରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ଇସ୍କନ କହିଛି ।

ଏହା ଛଡ଼ା ତାଙ୍କ ଗୁରୁଦେବ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ରଥଯାତ୍ରାକୁ ପୃଥିବୀର ସବୁ ସ୍ଥାନରେ ପହଞ୍ଚାଇବା ପାଇଁ ଯେଉଁ ପ୍ରୟାସ କରିଥିଲେ ବର୍ତ୍ତମାନର ଇସ୍କନ କର୍ତ୍ତୃପକ୍ଷ କେବଳ ଗୁରୁଙ୍କର ପଦାଙ୍କ ଅନୁସରଣ କରିବାକୁ ବାଧ୍ୟ ବୋଲି ଚିଠିରେ କୁହାଯାଇଛି । ଏହାର ଉତ୍ତରରେ ଗଜପତି ମହାରାଜ କହିଛନ୍ତି, ଯଦି କେବଳ ସପ୍ତାହନ୍ତରେ ବିଦେଶରେ ରଥଯାତ୍ରା କରାଯିବ ତେବେ ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ୯ ଦିନ ମଧ୍ୟରେ ପଡୁଥିବା କୌଣସି ସପ୍ତାହନ୍ତରେ ରଥଯାତ୍ରା କରାଯାଇପାରିବ । ରଥଯାତ୍ରା ବ୍ୟତୀତ ଅନ୍ୟ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗର୍ଭଗୃହରୁ ବାହାରକୁ ଆଣି ରଥଯାତ୍ରା କରିବା ଶାସ୍ତ୍ର ବିରୋଧୀ । ଏହାଛଡ଼ା ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଇସ୍କନ ଅନୁଷ୍ଠାନ ସନାତମ ଧର୍ମର ନୀତି ନିୟମ ପାଳନ କରିବାକୁ ବାଧ୍ୟ ବୋଲି ଗଜପତି ଚିଠିରେ ସ୍ପଷ୍ଟ କରିଛନ୍ତି । ଅଦିନରେ ରଥଯାତ୍ରା ପାଳନ କରିବା ଦ୍ୱାରା ଅସଂଖ୍ୟ ଜଗନ୍ନାଥ ଭକ୍ତଙ୍କ ଭକ୍ତିଭାବକୁ କଷ୍ଟ ପହଞ୍ଚୁଛି । ଜଗଦ୍‌ଗରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଧ୍ୟ ଏହାର ଦୃଢ଼ ବିରୋଧ କରୁଛନ୍ତି । ଏଣୁ କୌଣସି ପରିସ୍ଥିତିରେ କୌଣସି ସ୍ଥାନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଗ୍ରହଣ କରାଯିବନି ବୋଲି ଗଜପତି ସ୍ପଷ୍ଟ କରିଛନ୍ତି । ଇସ୍କନ ଏହାର ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଗଜପତି କହିଛନ୍ତି । ଗଜପତି ଏହି ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ପଠାଇଛନ୍ତି।