ଜଗତସିଂହପୁର, ୨୫/୦୭: ଗଣଦୁଷ୍କର୍ମ ମାମଲାର ତଥ୍ୟ ପ୍ରମାଣ ଯୋଗାଡ଼ ଅଭିଯାନକୁ  ବଳବତ୍ତର ରଖି ଜଗତସିଂହପୁର ପୁଲିସ  ଏବେ ଡିଏନ୍‌ଏ ପରୀକ୍ଷା ଦିଗକୁ ମୁହାଁଇଛି ।  ଇତିମଧ୍ୟରେ ପୁଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଜଗତସିଂହପୁର ବ୍ଲକ କୋଦଳ ପଳସା ଅଞ୍ଚଳର ଚିକୁ ଓରଫ ପ୍ରୀତି  ରଞ୍ଜନ ବେହେରା(୨୩)ଙ୍କ ଠାରୁ ନମୁନା ସଂଗ୍ରହ  କରି ସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।  

ଅପରପକ୍ଷେ ପୁଲିସ ଦୁଷ୍କର୍ମ ସ୍ଥଳରୁ  ବ୍ୟବହୃତ କଣ୍ଡୋମ୍‌ ସହ ରକ୍ତ ଛିଟା ସଂଗ୍ରହ  କରିଥିଲେ । ତେବେ ପ୍ରୀତି ରଞ୍ଜନଙ୍କ ନମୁନା  କେବଳ ସଂଗ୍ରହ ହୋଇଥିବାରୁ ଧୀରେ ଧୀରେ  ଏହା ଗଣଦୁଷ୍କର୍ମ ନୁହେଁ, ଦୁଷ୍କର୍ମ ବୋଲି  ସନ୍ଦେହ ଦୃଢୀଭୂତ ହେଲାଣି । ଟିଆଇ ପରେଡ୍‌  ପରେ ସଂଗୃହୀତ ନମୁନାକୁ ଡିଏନ୍‌ଏ ପରୀକ୍ଷା  ନିମନ୍ତେ ପୁଲିସ ପଠାଇବା ଲକ୍ଷ୍ୟରେ ରହିଛି ।  ବର୍ତ୍ତମାନ ସମୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ପୀଡ଼ିତା । ଦିନକୁ ଦିନ  ଏହି ମାମଲା ପୁଲିସ ପାଇଁ ଜଟିଳ ହେଉଛି ।  ପ୍ରଥମତଃ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନି ନଥିବା ପୁଲିସକୁ ଜଣାଇ ସାରିଛନ୍ତି । ତା’ଛଡ଼ା ବିଲ ବାଟେ ଦୁଇ ଜଣ ଯୁବକ ଆସିଥିଲେ ସୁଦ୍ଧା ଜଣେ ଦୁଷ୍କର୍ମ କରିଥିବା ସୂଚନା ଦେଇ ସାରିଛନ୍ତି। କିନ୍ତୁ ଦୁଇ ଜଣ ଯୁବକଙ୍କ ଭିତରୁ କିଏ ପ୍ରକୃତ ଦୁଷ୍କର୍ମକାରୀ ସେଥିନେଇ ପୁଲିସ ଡିଏନ୍‌ଏ  ପରୀକ୍ଷାକୁ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛି ।  

ଅପରପକ୍ଷେ ଘଟଣାସ୍ଥଳରେ ଜଣେ ନାବାଳିକାଙ୍କ  ନାମ ଚର୍ଚ୍ଚାର ପରିଧିକୁ ଆସିଛି । ଆଗକୁ ସଂପୃକ୍ତା  ନାବାଳିକାଙ୍କୁ ପୁଲିସ ତଦନ୍ତ ପରିଧିକୁ ଟାଣିଲେ  ପଞ୍ଜିକୃତ ଗଣବଳାତ୍କାର ମାମଲାର ମୋଡ଼  ବଦଳିବା ସନ୍ଦେହ ପ୍ରକାଶ ପାଇଛି । ତଥାପି  ପୁଲିସ ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ କିଛି  କିଛି ସୁରାକ୍‌ ସଂଗ୍ରହ କରିଛି । ବିଶେଷକରି  ନୂଆପୋଲ ବଜାରର ଏକ ଦୋକାନରୁ କଣ୍ଡୋମ୍‌  କ୍ରୟ ହୋଇଥିବା ତଥ୍ୟ ପୁଲିସ ପାଇଛି । ତେବେ  ପ୍ରମାଣ ଯେତେ ଯୋଗାଡ଼ କଲେ ସୁଦ୍ଧା ପୁଲିସ  ଘଟଣାଟିକୁ ଗଣଦୁଷ୍କର୍ମର ରୂପ ଦେବା ନିମନ୍ତେ  କାଗଜପତ୍ର ପ୍ରସ୍ତୁତ କରିବାରେ ନାକେଦମ୍‌  ହେବ ବୋଲି ସାଧାରଣରେ ଆଲୋଚନା  ଚାଲିଲାଣି । 

ସୂଚନା ଥାଉ କି, ମାମଲାରେ  ଜଗତସିଂହପୁର ପୁଲିସ ଚିକୁ ଓରଫ ପ୍ରୀତି  ରଞ୍ଜନ ବେହେରା ଓ କାର୍ତ୍ତିକ ମାଝୀ(୨୧)  ଦୁହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ।