ଫିରିଙ୍ଗିଆ,୧୬/୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥମୁନି ଗଞ୍ଜେଇ ଚୋରା ଚାଲାଣ । ରାଜ୍ୟ ବାହାରର ବ୍ୟବସାୟୀ ଜିଲ୍ଲା ମାଫିଆଙ୍କୁ ସଲାସୁତରା କରି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ସ୍ଥାନୀୟ ପୁଲିସ ଏହା ଉପରେ କଡ଼ା ନଜର ରଖିଥିଲେ ବି ଗଳା ବାଟ ଦେଇ ଫେରାର୍ ମାରୁଛନ୍ତି ଗଞ୍ଜେଇ ମାଫିଆ । ତେବେ ଆଜି ଚେକିଂ ବେଳେ ଫିରିଙ୍ଗିଆ ପୁଲିସ ଦୁଇ ଗଞ୍ଜେଅ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖଜୁରୀପଡ଼ା ଥାନା ବଡ଼ଭୂଇଁ ଗାଁର ସୁଦାମ ଏଲିଆସ୍ ଜିତେନ୍ଦ୍ର ସାହାଣୀ । ଅନ୍ୟ ଜଣେ ଫିରିଙ୍ଗିଆ ବ୍ଲାକ୍ ଗୋଛାପଡ଼ା ଥାନା କାଣିବାଲି ଗାଁର ଭାସ୍କର କର୍ଣ୍ଣ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଦୁଇ ଗଞ୍ଜେଇ ମାଫିଆ ରବିବାର ଦିନ ଫିରିଙ୍ଗିଆ ଥାନା ଅଧୀନସ୍ଥ ଗଞ୍ଜୁଖୋଲ ଗାଁରୁ ଏକ ଅଟୋ ଯୋଗେ ଫୁଲବାଣୀ ଅଂଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ । ଫିରିଙ୍ଗିଆ ପୁଲିସ କୌଣସି ସୂତ୍ରରୁ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନେତୃତ୍ୱରେ ଏସଆଇ ଅଜୟ କୁମାର ସାହୁ ଏବଂ ଏସଆଇ ପ୍ରମୋଦ କୁମର ବେହେରାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ଏହି ସମୟରେ ପୁଲିସ ଦେଖି ଦୁଇ ମାଫିଆ ଚମ୍ପଟ୍ ମାରିବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ ଫିଲ୍ମ ଷ୍ଟାଇଲରେ ଦୁଇଜଣଙ୍କୁ ଗିରଫ କରିଥିଲା । ଏଥିସହ ଗୋଟିଏ ଅଟୋ ସହ ୬୦ କେ.ଜି ଗଞ୍ଜେଇ ଜବତ୍ କରିଛି । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୪୩/୨୦୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।