ବ୍ରହ୍ମପୁର,୦୬/୦୯: କିଆ ଫୁଲ ଆମର । ଭାଟି ଆମର । ହେଲେ ଫୁଲ କିଣିବାଠାରୁ ପ୍ରକ୍ରିୟାକରଣ ପାଇଁ ଉତ୍ତରପ୍ରଦେଶ(ୟୁପି) ର ବ୍ୟବସାୟୀଙ୍କ ଉପରେ ନିର୍ଭର କରିବାକୁ ହୁଏ । ଏଭଳିକି କିଆ ତେଲ (ନିର୍ଯାସ/ରୁହ୍)ର ଦର ନିର୍ଦ୍ଧାରଣ କରିବେ ସେମାନେ ଓ କିଣିବେ ସେମାନେ । ବାର୍ଷିକ ପ୍ରାୟ ଶହେ କୋଟି ଟଙ୍କାର ବ୍ୟବସାୟ ହେଉଥିଲେ ହେଁ ସରକାରୀସ୍ତରରେ ନାହିଁ ବଜାର ବ୍ୟବସ୍ଥା । ଏଠାରୁ ଉତ୍ପାଦିତ କିଆ ଫୁଲ ଓ ତେଲକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା କିମ୍ବା ପ୍ରୋତ୍ସାହନ ନାହିଁ । ଗଞ୍ଜାମ ଚାଷୀ ଏଥିରୁ ବିଶେଷ ଲାଭବାନ ହୋଇପାରୁନି । ଲାଭ ଉଠାଉଛନ୍ତି ମଧ୍ୟସ୍ଥି ଓ ୟୁପିର ବେପାରୀ ।
ଗଞ୍ଜାମ ଜିଲ୍ଲାର ଉପକୂଳିଆ ଅଞ୍ଚଳରେ ବହୁଳ ମାତ୍ରାରେ ଉପଲବ୍ଧ କିଆ ଫୁଲର ଜାତୀୟ ବଜାରରେ ବେଶ୍ ଚାହିଦା ରହିଛି । ବିଶେଷକରି ଦାମୀ ପାନ ମସଲା, ସୁଗନ୍ଧିତ ଅତର ଉତ୍ପାଦନ ପାଇଁ କିଆ ଫୁଲର ପ୍ରକ୍ରିୟାକୃତ ରସ ବା ତେଲକୁ ବ୍ୟବହାର କରାଯାଏ । ତେବେ ଗଞ୍ଜାମରେ ଚାଷ ଓ ଏଠି ହିଁ ପ୍ରକ୍ରିୟାକରଣ ହେଉଥିଲେ ହେଁ ଏହାର ବଜାର ଉତ୍ତରପ୍ରଦେଶରେ ରହିଛି ।
ଗଞ୍ଜାମ ଜିଲ୍ଲାରେ ବାର୍ଷିକ ଉତ୍ପାଦିତ ହେଉଥିବା ପ୍ରାୟ ୫ କୋଟି କିଆ ଫୁଲକୁ ୟୁପି ବେପାରୀମାନେ କିଣୁଛନ୍ତି । ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଓ ଚିକିଟି ବ୍ଲକ୍ର ଭାଟିରେ ପ୍ରକ୍ରିୟାକରଣ କରି ଉତ୍ପାଦିତ ସାମଗ୍ରୀକୁ ଉତ୍ତରପ୍ରଦେଶ ନେଉଛନ୍ତି ବେପାରୀ । ୟୁପି ବେପାରୀ ଯାହା ଦର ନିର୍ଦ୍ଧାରିତ କରୁଛନ୍ତି, ସେହି ଅନୁସାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଗଞ୍ଜାମର ଚାଷୀ । ଏହାର ଏକ ନଜିର୍, ଗତବର୍ଷ କିଆ ତେଲ ଲିଟର ୧୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଚଳିତବର୍ଷ ଏହି ଦର ପ୍ରାୟ ୧୦ ଲକ୍ଷ ଟଙ୍କାକୁ ଖସି ଆସିଛି । ଅତର ଓ ଗୁଟ୍ଖା କାରବାର ମାନ୍ଦାବସ୍ଥାରେ ଥିବା ଦର୍ଶାଇ ତେଲ କମ୍ ଦରରେ କିଣି ନେଉଛନ୍ତି ୟୁପି ବେପାରୀ । ଏପରିକି କିଆ ତେଲ ଦର କମିଥିବାରୁ ଏବେ ବାହାର ରାଜ୍ୟର ଏହି ବେପାରୀମାନେ ଗଞ୍ଜାମ ଚାଷୀଙ୍କଠାରୁ ଫୁଲ ମଧ୍ୟ କମ୍ ଦରରେ କିଣିବେ ବୋଲି ଆଶଙ୍କା କରାଯାଉଛି ।
ଗଞ୍ଜାମରେ କିଆ ଫୁଲକୁ ଜୀବିକା କରି ଗୋପାଳପୁର, ଛତ୍ରପୁର ଓ ଚିକିଟି ନିର୍ବାଚନମଣ୍ଡଳୀର ୨୫୦ରୁ ଅଧିକ ଗାଁର ପ୍ରାୟ ତିନି ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟୋଜିତ ରହି ଆୟ ଉପାର୍ଜନ କରୁଛନ୍ତି । ଗୋଟିଏ ପଟେ କିଆ ଚାଷ ଉପରୋକ୍ତ ଅଞ୍ଚଳର ଦାଦନ ସମସ୍ୟାକୁ କିଛିଟା ଦୂର କରିଥିବା ବେଳେ ଅନ୍ୟପଟେ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନର ମାଧ୍ୟମ ବି ପାଲଟିଛି । ୬ ହଜାରରୁ ଅଧିକ ହେକ୍ଟର ଜମିରେ ହେଉଥିବା ଏହି ସୁବାସିତ ଫୁଲର ବାର୍ଷିକ କାରବାର ପ୍ରାୟ ଶହେ କୋଟି ଛୁଇଁଲାଣି । ତଥାପି କିଆ ତେଲ, ଅତର ଓ ଏହାର ବର୍ଜ୍ୟର ବ୍ୟବହାର ଏକ ନିର୍ଦ୍ଦିଷ୍ଟ ବ୍ୟବସାୟ ଉପରେ ନିର୍ଭରଶୀଳ । ଉତ୍ତରପ୍ରଦେଶ କନୌଜ ସମେତ ଅନ୍ୟ କିଛି ସ୍ଥାନର ଗୁଟ୍ଖା, ପାନ ମସଲା ବେପାରୀ ଏହି ସୁବାସିତ ଉତ୍ପାଦର ମୁଖ୍ୟ ଗ୍ରାହକ । ବିଶ୍ୱର ଉତ୍କୃଷ୍ଟମାନର କିଆ ଫୁଲ ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ ହେଉଥିବା ସତ୍ତେ୍ୱ ଏହାର ବ୍ୟବସାୟିକ କ୍ଷେତ୍ର ସୀମିତ ହୋଇ ରହିଛି । ଆଜି ବି ଓଡ଼ିଶା ବଜାର କିଆ ତେଲ, ଅତର ଓ ଜଳ ସମ୍ପର୍କରେ ଅଜ୍ଞ । କିଆ ଫୁଲ ବର୍ଷକୁ ଦୁଇ ଥର ଉତ୍ପାଦନକ୍ଷମ । ଧାନ ଚାଷଠାରୁ ଏହା ଅଧିକ ଲାଭଦାୟକ । ଫୁଲ ଅମଳ ପରେ ଚାଷୀ କମିଟି ଏହାର ଦର ସ୍ଥିର କରନ୍ତି । ତେବେ ଏହା ଉପରେ ମଧ୍ୟ ୟୁପି ବେପାରୀଙ୍କ ପ୍ରଭାବ ରହିଥାଏ । ଚଳିତ ବର୍ଷ ଗୋଟିଏ କିଆ ଫୁଲ ୩୦ରୁ ୩୫ ଟଙ୍କାରେ ବିକ୍ରି ପାଇଁ ସ୍ଥିର ହୋଇଛି । କିଛି ଉତ୍କୃଷ୍ଟମାନର ଫୁଲ ୪୦ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ ହେଉଛି । ଏହାର ପ୍ରକ୍ରିୟାକରଣ ପାଇଁ ଜିଲ୍ଲାରେ ୧୭୦ରୁ ଅଧିକ ଭାଟି ରହିଛି । ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି ଭାଟି ପରିଚାଳନା କରନ୍ତି ୟୁପି ବେପାରୀ ବା ତାଙ୍କ ପ୍ରତିନିଧି । ଭାଟି ଜରିଆରେ ତେଲ, ଅତର ଓ ସୁବାସିତ ଜଳ ଉତ୍ପାଦିତ ହୋଇଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଥିବା କହନ୍ତି ବିଶେଷଜ୍ଞ । ତଥାପି ଏହା ଏକ ନିର୍ଦ୍ଦିଷ୍ଟ ବ୍ୟବସାୟ ଓ ବ୍ୟବସାୟୀଙ୍କ ଭିତରେ ସୀମିତ ରହିଯାଇଛି ।
ଚାଷୀ ଫୁଲ ତୋଳିବା ପରେ ମଧ୍ୟସ୍ଥିଙ୍କ ଜରିଆରେ ୟୁପି ବେପାରୀଙ୍କୁ ବିକ୍ରି କରିଥାନ୍ତି । ବେପାରୀମାନେ ଚାଷୀଙ୍କଠାରୁ କିଣିଥିବା କିଆ ଫୁଲରୁ ସ୍ଥାନୀୟ ଭାଟି ଜରିଆରେ ତେଲ ବାହାର କରିଥାନ୍ତି । କିଆଫୁଲକୁ କାଠଚୁଲି ଭାଟିରେ ପକାଇ ତା'ର ବାଷ୍ପକୁ ଅନ୍ୟ ସାମଗ୍ରୀରେ ସଂଯୁକ୍ତ କରି ସୁଗନ୍ଧିତ କରାଯାଇଥାଏ । ସେହିପରି କିଆ ଫୁଲରୁ ବାହାରୁଥିବା ପାଣିରୁ ତେଲ ପୃଥକ୍ କରାଯାଏ । ବ୍ରହ୍ମପୁର କିଆ ଫୁଲ ଉଦ୍ୟୋଗ ବୈଷୟିକ ସହାୟତା କେନ୍ଦ୍ର ମୁଖ୍ୟ ଭି.ଭି. ରାମା ରାଓ କହିଛନ୍ତି, ଗତବର୍ଷ କିଆ ତେଲ ଲିଟର ପିଛା ୧୮ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । ଏବେ ପାନ ମସଲା ଶିଳ୍ପ ମାନ୍ଦାବସ୍ଥାରେ ଚାଲିଛି । ଫଳରେ ତେଲ ଦର ଲିଟର ପିଛା ପ୍ରାୟ ୧୦ ଲକ୍ଷ ଟଙ୍କାକୁ ଖସି ଆସିଛି ।
ଭାଟି ମାଲିକ ପି. ରାଜୁ ରେଡ୍ଡୀଙ୍କ କହିବା ମୁତାବକ, କିଆ ଫୁଲ ଚାଷୀ ସମ୍ପୂର୍ଣ୍ଣ ଭାବେ ୟୁପି ବେପାରୀଙ୍କ ଉପରେ ନିର୍ଭରଶୀଳ । କିଆ ଫୁଲ ଭଲ ଚାଷ ହେଉଛି ଏବଂ ଉତ୍ପାଦନ ମଧ୍ୟ ବଢ଼ୁଛି । କିନ୍ତୁ ଓଡ଼ିଶାରେ ବଜାର ବ୍ୟବସ୍ଥା ନାହିଁ । କିଆ ଫୁଲରୁ ବାହାରୁଥିବା ପାଣିର ଚାହିଦା ବାଂଲାଦେଶରେ ଅଧିକ ଅଛି । କିନ୍ତୁ ବଜାର ସୁବିଧା ନାହିଁ । ଚାଷୀମାନେ ୟୁପି ବେପାରୀଙ୍କୁ ଫୁଲ ବିକୁଛନ୍ତି । ସେମାନେ ପ୍ରକ୍ରିୟାକରଣ ପରେ କିଆ ପାଣି କୋଲକତା ପଠାଉଛନ୍ତି ଏବଂ ସେଠାରୁ ବାଂଲାଦେଶ ଯାଉଛି । କିଆ ପାଣି ଲିଟର ପିଛା ୨ ଶହରୁ ୬ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଠି କିଆ ଫୁଲ ଅଛି ଏବଂ ପ୍ରକ୍ରିୟାକରଣ ପାଇଁ ଭାଟି ମଧ୍ୟ ଅଛି । କିନ୍ତୁ କିଆ ଫୁଲ ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ଲୋକେ ବିଶେଷ ଜାଣିନାହାନ୍ତି । ମୋର ମଧ୍ୟ ୩ଟି ଭାଟି ଅଛି । କିନ୍ତୁ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ଭାବେ ୟୁପି ବେପାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ସରକାରୀ ସ୍ତରରେ ବଜାର ବ୍ୟବସ୍ଥା ହୋଇପାରିଲେ ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କା ରାଜସ୍ୱ ପାଇପାରନ୍ତେ ବୋଲି ସେ କହିଛନ୍ତି ।