ନୂଆଦିଲ୍ଲୀ, ୨୬/୦୩ : ଇରାନ ସହ ଯୁଦ୍ଧ କରି ଅକଳରେ ଆମେରିକା ରାଷ୍ଟ୍ରପତି। ଡୋନାଲ୍ଡ ଟ୍ରମ୍ପଙ୍କ ସାଥ୍ ଦେଉନାହାଁନ୍ତି ୟୁରୋପୀୟ ଦେଶ। ଅପିଲ୍ କରିବା ପରେ ବି ସହଯୋଗର ହାତ ବଢାଉନାହାଁନ୍ତି କେହି। ଏବେ ଟ୍ରମ୍ପଙ୍କୁ ମୁହଁରେ ମନା କଲା ଜର୍ମାନୀ। ଗୁରୁବାର ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିଷ୍ଟୋରିୟସ୍ କହିଛନ୍ତି ଯେ, ଏହା ଆମର ଯୁଦ୍ଧ ନୁହେଁ। ସାରା ଦୁନିଆ ପାଇଁ ଏହା ବିପଦ। ଅର୍ଥନୀତି ପାଇଁ ଏହା ବିନାଶକାରୀ ସ୍ଥିତି। ଜର୍ମାନୀ ଏହି ଯୁଦ୍ଧକୁ ଡେଇଁ ଛନ୍ଦିହେବାକୁ ଚାହୁଁନି।
ପିଷ୍ଟୋରିୟସ୍ ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ପାଇଁ ଜର୍ମାନୀ ଯଥାସମ୍ଭବ ଚେଷ୍ଟା କରିବ। ସେ ଯୁଦ୍ଧବିରାମ ପାଇଁ ମଧ୍ୟ ଅପିଲ୍ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଆମକୁ କେହି ପଚାରି ନାହାଁନ୍ତି କି ଆଲୋଚନା କରିନାହାଁନ୍ତି। ଏହା ଆମର ଯୁଦ୍ଧ ନୁହେଁ। ତେଣୁ ଆମେ ଏଥିରେ ଛନ୍ଦି ହେବାକୁ ଚାହୁଁନୁ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ଅସ୍ଥିର ସ୍ଥିତି ସୃଷ୍ଟି ହୋଇଛି। ତୈଳ ଏବଂ ଗ୍ୟାସ୍ ଅଭାବରେ ବହୁ ଦେଶ ପ୍ରଭାବିତ ହୋଇଛନ୍ତି। ସେପଟେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ ଏବେ ଅନ୍ତିମ ପର୍ଯୟାୟରେ ଅଛି। ସେ ଯୁଦ୍ଧକୁ ବେଶୀ ଦିନ ଯାଏଁ ଟାଣିବାକୁ ଚାହୁଁ ନାହାଁନ୍ତି। ଆସନ୍ତା ୪ ରୁ ୬ ସପ୍ତାହ ମଧ୍ୟରେ ସେ ଯୁଦ୍ଧ ଶେଷ କରିଦେବେ। ଅନ୍ୟ ଘରୋଇ ଏବଂ ରାଜନୈତିକ ଆଜେଣ୍ଡା ଉପରେ ଧ୍ୟାନ ଦେବେ।
ଏହି ଖବରଟିକୁ ପଢନ୍ତୁ- ଟ୍ରମ୍ପଙ୍କ ଲାଗି କାଳ ହୋର୍ମୁଜ ପ୍ରଣାଳୀ, ସଂକୀର୍ଣ୍ଣ ଜଳମାର୍ଗର ଫାଇଦା ଉଠାଉଛି ଇରାନ