ୱାଶିଂଟନ୍ ଡିସି, ୨୬/୦୩ : ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲୁଥିବା ଯୁଦ୍ଧ ଏବେ ଏତେ ବଢ଼ିଯାଇଛି ଯେ ହୋର୍ମୁଜ ପ୍ରଣାଳୀ ପ୍ରାୟ ବନ୍ଦ ହୋଇଯାଇଛି । ସେହି କାରଣରୁ ହୋର୍ମୁଜର ଉଭୟ ପାର୍ଶ୍ଵରେ ଶହ ଶହ ତେଲ ଟ୍ୟାଙ୍କର ଫସି ରହିଛନ୍ତି । ସେଥିଯୋଗୁ ତେଲ ଦାମ୍ ବ୍ୟାରେଲ ପିଛା ୧୦୦ ଡଲାର ଟପିସାରିଛି । ପୂରା ଦୁନିଆର ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡୁଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ‘ଯେକୌଣସି ଉପାୟ’ରେ ଏହି ସାମୁଦ୍ରିକ ରାସ୍ତାକୁ ପୁଣି ଖୋଲିବେ ବୋଲି କହିଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ, ଏହି କାମ ଏତେ ସହଜ ନୁହେଁ । ଯଦି ଇରାନ ସହ କୌଣସି ବୁଝାମଣା ନହୁଏ କିମ୍ବା ଆମେରିକା କୌଣସି ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଏହି ରାସ୍ତାରେ ଯାତାୟତକୁ ସଂପୂର୍ଣ୍ଣ ପୁନଃସ୍ଥାପିତ କରିବା କଷ୍ଟକର ହେବ।
ଇରାନର ମଜଭୁତିର ସବୁଠୁ ବଡ଼ କାରଣ ହେଲା ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି । ହୋର୍ମୁଜ ପ୍ରଣାଳୀ ଅତି ସଂକୀର୍ଣ୍ଣ । ଏହି ଜଳମାର୍ଗ ଦେଇ ଅତିକ୍ରମ କରୁଥିବା ଜାହାଜକୁ ଇରାନର ପାହାଡ଼ିଆ ତଟର ଅତି ନିକଟ ଦେଇ ଯିବାକୁ ହୋଇଥାଏ । ଏହାର ଫାଇଦା ଉଠାଇ ଇରାନ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିଥାଏ । ଇରାନ ନିକଟରେ ଏଭଳି ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି ଯାହାକି ଛୋଟ, ସହଜରେ ଲୁଚାଇ ହେବ ଏବଂ ଅଚାନକ ବ୍ୟବହାର କରିହେବ । ଏହି ଅସ୍ତ୍ର ପାହାଡ଼, ଗୁମ୍ପା ଏବଂ ସୁଡ଼ଙ୍ଗରେ ଲୁଚାଇ ରଖାଯାଇଛି । ଆବଶ୍ୟକ ହେଲେ ଏହାକୁ ଉପକୂଳ ନିକଟରୁ ହିଁ ଲଞ୍ଚ କରିହେବ । ଏହି କାରଣରୁ ଆକ୍ରମଣ ସ୍ଥିତିରେ ଜାହାଜକୁ ପ୍ରତିକ୍ରିୟା ଦେବାକୁ ବହୁତ କମ୍ ସମୟ ମିଳିଥାଏ । ମିସାଇଲ ଏବଂ ଡ୍ରୋନ୍ ଦେଖାଯିବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ମାତ୍ର କେଇ ମିନିଟ୍ ସମୟ ମିଳେ ।
ଟ୍ରମ୍ପ ଏହି ରାସ୍ତାକୁ ଖୋଲିବାକୁ ଅନେକ ଥର ଭିନ୍ନ ଭିନ୍ନ ଦାବି କରିସାରିଛନ୍ତି । କିନ୍ତୁ ଆମେରିକା ଯେଉଁ ବିକଳ୍ପ ସଂପର୍କରେ ବିଚାର କରୁଛି ସେଥିରେ ଅଧିକାଂଶ ସାମରିକ କାର୍ଯ୍ୟାନୁଷ୍ଠାନ ସାମିଲ । ଯଦି ଆମେରିକା ସେନ୍ୟ ଶକ୍ତି ଦ୍ୱାରା ଏହି ରାସ୍ତାକୁ ଖୋଲିବାକୁ ଚାହେଁ ତେବେ ସର୍ବପ୍ରଥମେ ଇରାନର ଆକ୍ରମଣ କ୍ଷମତାକୁ ଶେଷ କରିବାକୁ ହେବ । ଅର୍ଥାତ୍ ତାକୁ ମିସାଇଲ୍ ସିଷ୍ଟମ, ଡ୍ରୋନ୍ ଏବଂ ସେହି ଠିକଣାକୁ ନଷ୍ଟ କରିବାକୁ ହେବ ଯେଉଁଠାରୁ ଇରାନ ଜାହାଜ ଉପରେ ଆକ୍ରମଣ କରିପାରେ । କିନ୍ତୁ ଅଦ୍ୟାବଧି ଆମେରିକା ଏବଂ ଇସ୍ରାଏଲର ହଜାର ହଜାର ଆକ୍ରମଣ ସତ୍ତ୍ଵେ ଇରାନର ଏହି କ୍ଷମତା ସଂପୂର୍ଣ୍ଣ ଶେଷ ହୋଇନାହିଁ ।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜକୁ ସୁରକ୍ଷିତ ବାହାର କରିବା ଲାଗି ନୌସେନା ଜାହାଜ ସେଥିସହ ଚାଲିପାରେ । ଏହାକୁ ‘ଏସ୍କର୍ଟ ଅପରେସନ୍’ ବୋଲି କୁହାଯାଇଥାଏ । ଏଥିରେ ଟ୍ୟାଙ୍କର ସହ ଯୁଦ୍ଧଜାହାଜ ଚାଲିବ । ଉପରୁ ବିମାନ ଅନୁଧ୍ୟାନ କରି ଡ୍ରୋନ୍କୁ ମାରି ଖସାଇବ ଏବଂ ଉପକୂଳରେ ଥିବା ମିସାଇଲ୍ ଠିକଣା ଉପରେ ଆକ୍ରମଣ କରିବ । ଏଥିସହ ଯଦି ସମୁଦ୍ରରେ ବାରୁଦ ସୁଡ଼ଙ୍ଗ ବିଛାଯାଇଥିବ ତେବେ ତାକୁ ହଟାଇବା ଲାଗି ‘ମାଇନ୍ସସ୍ୱିପର ଜାହାଜ’କୁ ଲଗାଯିବ । କିନ୍ତୁ ଏହି ସବୁ କରିବା ବହୁତ ବଡ଼ ଏବଂ ଜଟିଳ ସାମରିକ ଅଭିଯାନ ହେବ । ଏଥିରେ ଅନେକ ସମୟ, ସଂସାଧନ ଏବଂ ରିସ୍କ ରହିବ । ଆମେରିକୀୟ ଯୁଦ୍ଧଜାହାଜ ମଧ୍ୟ ଏହି ଅଞ୍ଚଳରେ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ । ହୋର୍ମୁଜ ଭଳି ସଙ୍କୀର୍ଣ୍ଣ ଅଞ୍ଚଳରେ ଜାହାଜକୁ ଚାରିପଟୁ ବିପଦ ରହିଥାଏ । ଡ୍ରୋନ୍ ଏବଂ ମିସାଇଲ୍ରୁ ତାକୁ ରକ୍ଷା କରିବା ଆହୁରି କଷ୍ଟକର । ସେହିପରି ସମୁଦ୍ରରେ ବିଛାଯାଇଥିବା ବାରୁଦ ସୁଡ଼ଙ୍ଗ ସବୁଠୁ ବଡ଼ ବିପଦ । ଯଦି ପାଣିରେ ବାରୁଦ ସୁଡ଼ଙ୍ଗ ଥିବା ନେଇ ସାମାନ୍ୟ ସନ୍ଦେହ ହୁଏ ତେବେ କୌଣସି ଦେଶ ନିଜର ବଡ଼ ଜାହାଜକୁ ସେଠାକୁ ପଠାଇବାର ରିସ୍କ ନେବ ନାହିଁ । ବାରୁଦ ସୁଡ଼ଙ୍ଗ ହଟାଇବାର କାମ ଅତି ଧୀମା ହୋଇଥାଏ । ଏଥିରେ ଅନେକ ସପ୍ତାହ ଲାଗିପାରେ । ଏହି ସମୟରେ ଯେଉଁ ଟିମ୍ ବାରୁଦ ସୁଡ଼ଙ୍ଗ ହଟାଇଥାଏ ତାକୁ ମଧ୍ୟ ସୁରକ୍ଷାର ଆବଶ୍ୟକତା ହୋଇଥାଏ ।
ଏହି ଖବରଟିକୁ ପଢନ୍ତୁ- ଆମେରିକାର ସମୁଦ୍ର ରାକ୍ଷସ ଉପରେ ଇରାନର ମିସାଇଲ ମାଡ଼, ରେଞ୍ଜ ଭିତରକୁ ଆସିଲେ ପୁଣି ଆକ୍ରମଣ ଧମକ ଦେଲା ତେହରାନ