ନୂଆଦିଳ୍ଳୀ,୧।୬:  ଗାଜିଆବାଦର ସୂର୍ଯ୍ୟା ଚୌହାନ ହତ୍ୟାକାଣ୍ଡରେ ଚକିତ କରିଦେବା ଭଲି ଘଟଣା ସାମନାକୁ ଆସିଛି। ପୋଲିସର ପ୍ରାରମ୍ଭିକ ଯାଞ୍ଚରେ ଏହି ମାମଲା ବାଇକ୍ ବିଦାବ ବୋଲି ଲାଗୁଥିଲା। ତେବେ ପରେ ଏଥିରେ ଯେଉଁ କଥା ସାମନାକୁ ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ଯାଞ୍ଚ ପରେ ଜଣାପଡିଥିଲା ମାମଲା ପଛରେ ଯୋଡି ହୋଇ ରହିଛି ପ୍ରେମ ପ୍ରସଙ୍ଗ । ଏହି ନୃଶଂସ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଅସଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ସେଭଳି ତା’ର ବାପା ସହିତ ୩ ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦିଆଯାଇ ସାରିଛି।

ପୋଲିସ ରେକର୍ଡ ଓ ଯାଞ୍ଚ ଅନୁସାରେ, ଘଟଣା ଦିନ ଅର୍ଥାତ ୨୮ ମଇ (ଯେଉଁ ଦିନ ଇଦ୍ ଥିଲା) ମଧ୍ୟାହ୍ନ ୩ଟା ବେଳେ ରାସ୍ତାରେ ବାଇକ ସାମନା ସାମନି ଆସିଯିବା ଓ ପରସ୍ପରକୁ ହଟାଇବାକୁ ନେଇ ଅସଦ ଓ ସୂର୍ଯ୍ୟାଙ୍କ ଭିତରେ ଗାଳି ଗୁଲଜ ହୋଇଥିଲା। ସେତେବେଳେ ସ୍ଥାନୀୟ ଲୋକେ ତାଙ୍କ ମଧ୍ୟରେ ବିବାଦର ସମାଧାନ କରିଦେଇଥିଲେ। ତେବେ ସମାଧାନ କେବଳ ଲୋକ ଦେଖାଣିଆ ଥିଲା। ମାତ୍ର ଅଧ ଘଣ୍ଟା ପରେ, ଅପରାହ୍ନ ୩:୩୦ ସମୟରେ,ଅସଦ ତା’ର ବାପା ଏବଂ ବନ୍ଧୁଙ୍କ ସହିତ ନବନୀତ ବିହାରର ୪ ନମ୍ବର ଗଳିରେ ସୂର୍ଯ୍ୟଙ୍କୁ ଘେରିଗଲେ। ତାଙ୍କ ବନ୍ଧୁ ଫରହାନ ଅସଦଙ୍କୁ ଏକ ଛୁରୀ ଦେଲେ, ଏବଂ ତାଙ୍କ ବାପା ନବାବ ଚିତ୍କାର କରି କହିଥିଲେ, ଆଜି ଏହି କାହାଣୀ ଶେଷ କରିଦେବୁ।’ ନିଜ ବାପାଙ୍କ ପ୍ରୋତ୍ସାହନରେ ଅସଦ ସୂର୍ଯ୍ୟଙ୍କ ପେଟକୁ ବାରମ୍ବାର ଛୁରୀ ଭୁସି ହତ୍ୟା କରିଥିଲା।

ଏହି ହତ୍ୟା ଯଦିଓ ଅଧା ଘଣ୍ଟା ପୂର୍ବରୁ ହୋଇଥିବା ବାଇକ ବିବାଦର ଫଳାଫଳ ବୋଲି ଦେଖିବାକୁ ମିଳୁଛି, କିନ୍ତୁ ଘଟଣାର ପ୍ରକୃତ ମୂଳ ବହୁତ ପୁରୁଣା। ଅସଦ ପରିବାରର ସୁତ୍ର ଅନୁସାରେ, ସୋସିଆଲ ମିଡିଆରେ ସପା ମୁଖପାତ୍ର ଅମିତ ଜମାଇଙ୍କ ଦ୍ବାରା ହୋଇଥିବା ଖୁଲାସାରେ, ଏହି ପୁରା କାହାଣୀ ପଛରେ ‘ପ୍ରେମ ପ୍ରସଙ୍ଗ’କୁ ନେଇ ବିବାଦ ଥିଲା।କୁହାଯାଉଛି ଯେ ସୂର୍ଯ୍ୟା ମୁଖ୍ୟ ଅଭିଯୁକ୍ତ ଅସଦର ଭଉଣୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ଏହି ପ୍ରସଙ୍ଗ ପୂର୍ବରୁ ଦୁଇ ପକ୍ଷଙ୍କ ମଧ୍ୟରେ ଅନେକ ଥର ଗମ୍ଭୀର ବିବାଦ ସୃଷ୍ଟି ହୋଇଥିଲା। ଅସଦ ଏବଂ ସୂର୍ଯ୍ୟ ପୂର୍ବରୁ ଗୋଟିଏ ଗଳିରେ ରହୁଥିଲେ, କିନ୍ତୁ ପ୍ରାୟ ଆଠ ମାସ ପୂର୍ବେ, ବିବାଦରେ ବିରକ୍ତ ହୋଇ ଅସଦର ପରିବାର ଅନ୍ୟ ଏକ ଗଳିକୁ ଚାଲିଯାଇଥିଲେ। ଏହା ସତ୍ତ୍ୱେ, ସୂର୍ଯ୍ୟଙ୍କର ସେଠାକୁ ବାରମ୍ବାର ଯିବା ଆସିବା ଲାଗି ରହିଥିଲା। ଏହି କାରଣରୁ ବାଇକ୍ କୁ ନେଇ ଏକ ସାମାନ୍ୟ ବିବାଦ ହତ୍ୟାକାଣ୍ଡ ପାଲଟିଥିଲା।

ପୋଲିସ ଏନକାଉଣ୍ଟରରେ ଆହତ ପରେ ମୃତ୍ୟୁ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅସାଦର ମୃତଦେହ ପୋଷ୍ଟମର୍ଟମ ପରେ ତାଙ୍କ ପରିବାର (କାକା)ଙ୍କୁ ହସ୍ତାନ୍ତର କରାଯାଇଛି। ଅସାଦର କବର (ଅନ୍ତିମ ସଂସ୍କାର) କଠିନ ପୋଲିସ ଉପସ୍ଥିତିରେ ଅତ୍ୟନ୍ତ ଗୋପନୀୟ ଭାବରେ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ,ପୋଲିସ ଅଧିକାରୀମାନେ ଆସାଦଙ୍କୁ କବର ଦିଆଯାଇଥିବା କବରସ୍ଥାନର ନାମ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷେ ସୂର୍ଯ୍ୟାଙ୍କ ମା’ ସରେଜ କହିଛନ୍ତି, ୭ ଜଣ ଲୋକ ମିଶି ତାଙ୍କ ପୁଅକୁ କାଟିକି ମାରିଦେଲେ।କେବଳ ଜଣେ ଏବେ ମରିଛି, ବାଜି ୬ ଜଣଙ୍କର ଏନକାଉଣ୍ଟର ହେବା ଦରକାର।