ଗାଜିଆବାଦ, ୦୫/୦୨ : ଗାଜିଆବାଦ ସୁଇସାଇଡ୍ ମିଷ୍ଟ୍ରିର ବଡ଼ ଖୁଲାସା। ଆତ୍ମହତ୍ୟା କରିଥିବା ତିନି ଭଉଣୀଙ୍କ ବାପା ଚେତନ କୁମାର ଜଣେ ଷ୍ଟକ୍ ଟ୍ରେଡର ଥିଲେ। ତାଙ୍କ ମୁଣ୍ଡ ଉପରେ ଥିଲା ୨ କୋଟିର ଋଣ ବୋଝ। ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତିନି ଭଉଣୀଙ୍କ ମୋବାଇଲ୍ ବିକି ଭରିଥିଲେ ବିଜୁଳି ବିଲ୍। ଭୁଶୁଡ଼ି ପଡ଼ିଥିଲା ଆର୍ଥିକ ସ୍ଥିତି। ଝିଅମାନେ ଯାଉନଥିଲେ ସ୍କୁଲ୍। ଏପରିକି ୩ ଭଉଣୀଙ୍କୁ ବାହା କରିଦେବେ ବୋଲି ଧମକାଉଥିଲେ ବାପା।
ଗାଜିଆବାଦର ଭାରତ ସିଟି ବି-୧ ଟାୱାର ୯୦୭ ନମ୍ବର ଫ୍ଲାଟ୍ରେ ଘଟିଥିବା ଆତ୍ମହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏବେ ନାବାଳିକଙ୍କ ପିତାଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ନାବାଳିକାଙ୍କ ପିତା କହିଛନ୍ତି ଯେ, ତିନି ଭଉଣୀ କିଛି କାମ କରୁ ନଥିଲେ। ଦିନ ସାରା କୋରିଆନ୍ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ। କୋଭିଡ୍-୧୯ ପରଠାରୁ ତିନି ଭଉଣୀ ସ୍କୁଲ ବି ଯାଉନଥିଲେ କି ଘରେ କାହା ସହ କଥାବାର୍ତ୍ତା କରୁନଥିଲେ। ତିନି ଭଉଣୀ ନିଜ ଦୁନିଆରେ ରହୁଥିଲେ। ପ୍ରାୟ ଅଢେଇ ବର୍ଷ ହେଲା ସେମାନେ କୋରିଆନ୍ ଗେମ୍ ଖେଳିବାରେ ଅଭ୍ୟସ୍ତ ଥିଲେ। ଏକାଠି ଗାଧୋଉଥିଲେ, ଖାଉଥିଲେ । ଘରଲୋକଙ୍କ ସହ ଭଲରେ କଥାବାର୍ତ୍ତା କରୁନଥିଲେ । ସବୁବେଳେ ସେମାନେ କୋରିଆ ଯିବା କଥା କହୁଥିଲେ । ମଝିଆ ଝିଅ ପ୍ରାଚୀ ଏହି ଖେଳରେ ଡେଥ୍ କମାଣ୍ଡର ଭୂମିକା ନିର୍ବାହ କରୁଥିଲା । ସେ ଅନ୍ୟ ଦୁଇ ଭଉଣୀଙ୍କୁ ଟାସ୍କ ଦେଉଥିଲା । ସେମାନେ ପ୍ରାଚୀର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସେହିପରି ୩ ଝିଅ ‘କେ-ପପ୍’ ସଂସ୍କୃତିକୁ ଅନୁକରଣ କରୁଥିଲେ । ସେଠାକାର ଫିଲ୍ମ, ଗୀତ, କ୍ଷୁଦ୍ର ଚଳଚ୍ଚିତ୍ର, ଧାରାବାହିକ ଇତ୍ୟାଦି ଦେଖୁଥିଲେ । ଶେଷରେ ବାଧ୍ୟହୋଇ ପିତା ଚେତନ ସେମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ମନା କରିଥିଲେ । କିନ୍ତୁ ସେଥିଯୋଗୁ ଝିଅମାନେ ଏଭଳି ପଦକ୍ଷେପ ନେବେ ଏହା ସେ ଆଦୌ କଳ୍ପନା କରିନଥିଲେ । ତାଙ୍କ ସହ ଯାହା ହେଲା ତାହା ଅନ୍ୟମାନଙ୍କ ସହ କେବେ ନ ଘଟୁ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ଏଥିସହ ନିଜ ପିଲାଙ୍କୁ ମୋବାଇଲ୍ ଗେମ୍ ଖେଳିବାକୁ ନ ଦେବାକୁ ସେ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି ।
ସୁଇସାଇଡ୍ ନୋଟ୍ରୁ ଚାଞ୍ଚଲ୍ୟକର ଖୁଲାସା
ତିନି ଭଉଣୀ ଯେଉଁ କୋଠରିରେ ରହୁଥିଲେ ସେଠାରୁ ପୁଲିସ ଏକ ପକେଟ୍ ଡାଏରୀ ଜବତ କରିଛି। ସେଥିରେ ୮ ପୃଷ୍ଠାର ଏକ ହାତଲେଖା ସୁସାଇଡ ନୋଟ୍ ରହିଛି। ନୋଟ୍ରେ ଝିଅମାନେ ଲେଖିଛନ୍ତି, ‘ଏହି ଡାଏରୀରେ ଯାହା ଲେଖାଯାଇଛି ତାକୁ ସବୁ ପଢ଼ନ୍ତୁ । କାରଣ ଏହା ସତ କଥା । ସରି ମମି ପାପା, ଗେମ୍ ଛାଡ଼ିପାରିବୁନି । ଆପଣ ଯେଉଁ ଗେମ୍ର ଅଭ୍ୟାସ ଛଡ଼ାଇବାକୁ ଚାହୁଁଥିଲେ ତାକୁ ଆମେ କେତେ ଭଲପାଉଥିଲୁ ଏଥିରୁ ଆପଣ ବୁଝିପାରିବେ ।’ ଏଥିସହ ହାତରେ କାନ୍ଦୁଥିବା ଏକ ଇମୋଜିର ଚିତ୍ର ତଳଆଡ଼କୁ ଅଙ୍କାଯାଇଛି । ଅତିରିକ୍ତ ପୁଲିସ କମିଶନର(ଆଇନ ଶୃଙ୍ଖଳା) ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ଅଦ୍ୟାବଧି ତଦନ୍ତରୁ ୩ ଭଉଣୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ସେମାନେ ଆତ୍ମହତ୍ୟା କଲେ ସେଥିନେଇ ଅଧିକ ତଦନ୍ତ ଜାରି ରହିଛି । ଅତ୍ୟଧିକ ‘କୋରିଆନ୍ ଲଭ୍ ଗେମ୍’ ଖେଳିବା ଯୋଗୁଁ ସେମାନେ ଆତ୍ମହତ୍ୟା କରିଛନ୍ତି । ଏହି ଗେମ୍ ସୋସିଆଲ୍ ମିଡିଆ ଏବଂ ମେସେଜିଂ ଆପ୍ ଜରିଆରେ ଖେଳାଯାଇଥାଏ । ପ୍ରାଥମିକ ଭାବେ ଏଥିରେ ଭରସା ଜିତିବାକୁ ଅଂଶଗ୍ରହଣକାରୀଙ୍କୁ ସହଜ ଟାସ୍କ ଦିଆଯାଇଥାଏ । ଧୀରେ ଧୀରେ କିନ୍ତୁ ଟାସ୍କ ବଢ଼ିଚାଲେ । ତେଣୁ ଅଂଶଗ୍ରହଣକାରୀଙ୍କ ଉପରେ ଚାପ ସୃଷ୍ଟି ହୋଇଥାଏ । ଅନେକ ମାମଲାରେ କଥା ନ ମାନିଲେ ଅଂଶଗ୍ରହଣକାରୀଙ୍କୁ ଭୟଭୀତ କରାଯାଏ । ଏହି ମାନସିକ ଚାପ ଯୋଗୁ ବହୁ କ୍ଷେତ୍ରରେ ତାଙ୍କ ବ୍ୟବହାର ବଦଳିଯାଏ ।
ଏହି ଖବରଟିକୁ ପଢନ୍ତୁ- ଘାତକ ହେଉଛି ଅନ୍ଲାଇନ୍ ଗେମ୍ ନିଶା, ମାନସିକ ସ୍ୱାସ୍ଥ୍ୟକୁ କରୁଛି ବିକାର
କୋରିଆ ସଂସ୍କୃତି ଦ୍ୱାରା ପ୍ରଭାବିତ
ଡିସିପି (ଟ୍ରାନ୍ସ ହିଣ୍ଡୋନ) ନିମିଶ ପାଟିଲ କହିଛନ୍ତି, ତିନି ଭଉଣୀ କୋରିଆ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ। ସେମାନେ ନିଜେ ନିଜର କୋରିଆନ୍ ନାମ ଦେଇଥିଲେ। ନିଶିକା ନିଜକୁ ମାରିଆ, ପ୍ରାଚୀ ଏଲିଜା, ଏବଂ ପାଖି ସ୍ୟାଣ୍ଡି ନାମରେ ଡକାଡକି ହେଉଥିଲେ। ଏପରିକି ନିଜ ଭାଇ ଦେବୁକୁ ଲିନୋ ଡାକୁଥିଲେ। ଯେଉଁଥିପାଇଁ ପରିବାର ଲୋକ ସେମାନଙ୍କୁ ହତାଦାର କରୁଥିଲେ। ସେମାନେ ସୁଇସାଇଡ୍ ନୋଟ୍ ରେ ବିବାହ କଥା ମଧ୍ୟ ଲେଖିଛନ୍ତି। ତିନି ଭଉଣୀ ଲେଖିଛନ୍ତି ଯେ, ଆମେ କୋରିଆ ଲୋକଙ୍କୁ ପସନ୍ଦ କରୁଛୁ। ତେଣୁ କେବେ ହେଲେ ଭାରତୀୟଙ୍କୁ ବିବାହ କରିପାରିବୁ ନାହିଁ। ତେଣୁ ବାପାଙ୍କ ଗାଳି ଅପେକ୍ଷା ଆତ୍ମହତ୍ୟା ଭଲ।