ନୂଆଦିଲ୍ଲୀ ୦୫/୦୨: ଉତ୍ତରପ୍ରଦେଶର ଗାଜିଆବାଦର ସଦ୍ୟ ମାମଲା ଦେଶବାସୀଙ୍କୁ ଦୋହଲାଇ ଦେଇଛି । ୩ ଭଉଣୀ ୯ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏମାନେ କୋରିଆନ୍ ଅନ୍ଲାଇନ୍ ଟାସ୍କ-ଆଧାରିତ ଗେମିଂ ଆପ୍ର ଶିକାର ଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ସାମ୍ନାକୁ ଆସିଛି । ମାତାପିତା ଅନ୍ଲାଇନ୍ ଗେମ୍ ନିଶାକୁ ନେଇ ଆପତ୍ତି କରୁଥିଲେ ହେଁ, ପିଲାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଅନ୍ଲାଇନ୍ ଗେମିଂ ଓ ଏଥିଯୋଗୁ ଆତ୍ମହତ୍ୟାର ଏହା ନୂଆ ମାମଲା ନୁହେଁ । ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଅଗଷ୍ଟ, ୨୦୨୫ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୭ମ ଶ୍ରେଣୀ ଛାତ୍ର ଘରେ ଫାଶୀ ଲଗାଇଥିଲେ । କାରଣ ଅନ୍ଲାଇନ୍ ଗେମ୍ରେ ସେ ୨୮୦୦ ଟଙ୍କା ହାରି ଯାଇଥିଲେ । ଭୟ ଥିଲା, ଘର ଲୋକ ଜାଣିବା ପରେ ତାଙ୍କୁ ଗାଳି କରିବେ । ଗତ ଜୁନ୍ରେ ରାଜସ୍ଥାନରୁ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଏଠାରେ ଅନ୍ଲାଇନ୍ ଗେମ୍ ପାଇଁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ଅନ୍ଲାଇନ୍ ଗେମ୍ ନିଶା ଯୋଗୁ ସ୍ୱାମୀଙ୍କ ଉପରେ ୪-୫ ଲକ୍ଷ ଟଙ୍କା ଋଣ ବୋଝ ଥିଲା । ସେହିପରି ବିଜନୌର ବାସିନ୍ଦା ଜଣେ ବ୍ୟବସାୟୀ ଅନ୍ଲାଇନ୍ ଗେମ୍ରେ କୋଟି କୋଟି ଟଙ୍କା ହାରିବା ପରେ ଆତ୍ମହତ୍ୟା କରିଥିଲେ । ଋଣ ସୁଝିବାକୁ ସେ ଗତ ଫେବ୍ରୁଆରୀରେ ୨୦ ବିଘା ଜମି ବି ବିକ୍ରି କରିଥିଲେ । ଗତ ଜୁନ୍ରେ ଉତ୍ତରପ୍ରଦେଶର କୁଶୀନଗରରେ ଜଣେ ୧୮ ବର୍ଷୀୟ ଛାତ୍ର ମଧ୍ୟ ଅନ୍ଲାଇନ୍ ଗେମ୍ ନିଶାରେ ଫାଶୀ ଲଗାଇଥିଲେ । ମୋବାଇଲ ଫୋନ୍, ଇଣ୍ଟର୍ନେଟ୍ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ଆମ ଜୀବନକୁ ଦ୍ରୁତ ଓ ସହଜ କରିଛି । ପୂର୍ବାପେକ୍ଷା ଅନେକ ବଡ଼ ବଡ଼ କାମ ଆମେ ଗୋଟିଏ କମାଣ୍ଡରେ କରିପାରୁଛୁ । କିନ୍ତୁ ଯୁବପିଢ଼ି ଓ ପିଲା ଏବେ ଇଣ୍ଟରନ୍ଟ୍ ଓ ଏହାର ତମାମ ଟୁଲ୍ ଉପରେ ଆବଶ୍ୟକଠୁ ଅଧିକ ନିର୍ଭରଶୀଳ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ବିପଦପୂର୍ଣ୍ଣ ବୋଲି କହୁଛନ୍ତି ।
ଗେମିଂ ବିକାର ମାନସିକ ସ୍ୱାସ୍ଥ୍ୟକୁ ବିପଦ
ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ପବ୍ଜି, ଫ୍ରି ଫାୟର ଓ ଅନ୍ୟ ବ୍ୟାଟଲ୍ ଗେମ୍ ଭଳି ଅନ୍ଲାଇନ୍ ଗେମ୍ ଏବେ କେବଳ ମନୋରଞ୍ଜନର ମାଧ୍ୟମ ହୋଇନାହିଁ । ଯୁବପିଢ଼ିଙ୍କ ପାଇଁ ଏହା ପ୍ରାଣଘାତକ ନିଶା ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ଗେମିଂ ଡିଜର୍ଡର୍’କୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ବର୍ଗୀକୃତ କରିଛି । ଏଥିରେ ବ୍ୟକ୍ତି ଗେମ୍ ଉପରେ ନିୟନ୍ତ୍ରଣ ହରାଇଦିଏ ଏବଂ ଅଧ୍ୟୟନ, କାମ, ସମ୍ପର୍କ ଓ ସ୍ୱାସ୍ଥ୍ୟକୁ ଅଣଦେଖା କରିବାକୁ ଲାଗେ ।
ଆହୁରି ପଢନ୍ତୁ...ଅନ୍ଲାଇନ୍ ଗେମ୍ ନିଶା, ବାପା-ମା'ଙ୍କ ଆକଟ, ଆପାର୍ଟମେଣ୍ଟରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା
ପ୍ରଭାବିତ ହେଉଛି ଦିନଚର୍ଯ୍ୟା ଓ ବ୍ୟବହାର:
ଭାରତରେ ହୋଇଥିବା ଅନେକ ସର୍ଭେରୁ ଜଣାପଡ଼ିଛି, କିଶୋର ଓ ଯୁବା ଦୈନିକ ଘଣ୍ଟା ଘଣ୍ଟା ଧରି ଅନ୍ଲାଇନ୍ ଗେମ୍ରେ ବିତାଉଛନ୍ତି । ଏହା ଦ୍ୱାରା ସେମାନଙ୍କ ଦିନଚର୍ଯ୍ୟା ଓ ବ୍ୟବହାର ପ୍ରଭାବିତ ହେଉଛି । ସେତିକି ନୁହେଁ, ଏଥିପାଇଁ ଆତ୍ମହତ୍ୟା ମାମଲାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି । ୨୦୨୩ର ଏନ୍ସିଆର୍ବିର ତଥ୍ୟ ଅନୁସାରେ, ଭାରତରେ ୮୫ରୁ ଅଧିକ ଆତ୍ମହତ୍ୟା ମାମଲାର ସିଧାସଳଖ ସମ୍ପର୍କ ଅନ୍ଲାଇନ୍ ଗେମ୍ ସହ ଥିଲା ।
ମସ୍ତିଷ୍କ ଉପରେ ପଡୁଛି ଭୟଙ୍କର ପ୍ରଭାବ:
ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରିପୋର୍ଟ ଅନୁସାରେ, ଅତ୍ୟଧିକ ଗେମିଂ ନିଶା ମସ୍ତିଷ୍କର ରିୱାର୍ଡ ସିଷ୍ଟମ୍କୁ ଖୁବ୍ ପ୍ରଭାବିତ କରେ । କିଛି ମାମଲାରେ ଦେଖାଯାଇଛି, ଗେମ୍ ହାରିବା ପରେ କିମ୍ବା ଅଭିଭାବକ ମୋବାଇଲ ଫୋନ୍ ଛଡ଼ାଇ ନେବା ପରେ କିଶୋର-ଯୁବା ନିଜର କ୍ଷତି କରିଛନ୍ତି । ଏପରିକି ଆତ୍ମହତ୍ୟା ବି କରିଛନ୍ତି ।
ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଅନ୍ଲାଇନ୍ ଗେମ୍କୁ ଏଭଳି ଡିଜାଇନ୍ କରାଯାଏ, ଯାହାକୁ ଲୋକେ ବାରମ୍ବାର ଖେଳିବେ । ରିୱାର୍ଡ ସିଷ୍ଟମ୍, ଲେଭଲ୍ ଅପ୍, ଭର୍ଚୁଆଲ କରେନ୍ସି ଓ ସୋସିଆଲ କନେକ୍ସନ୍ ମସ୍ତିଷ୍କରେ ଡୋପାମିନ୍ ଉତ୍ପନ୍ନ କରନ୍ତି । ଏହା ଦ୍ୱାରା ଗେମ୍ ଖେଳିବାର ଇଚ୍ଛା ଆହୁରି ବଢ଼ିଯାଏ । ଦୀର୍ଘ ସମୟ ଯାଏ ଗେମ୍ ଖେଳିବା ଦ୍ୱାରା ଆତ୍ମ-ନିୟନ୍ତ୍ରଣ ଦୁର୍ବଳ ହେବାକୁ ଲାଗେ ଏବଂ ନିଶା ବିପଦ ସ୍ତରକୁ ଚାଲିଯାଏ । ଡୋପାମିନ୍ ଅସ୍ଥାୟୀ ଆନନ୍ଦ ଦିଏ, କିନ୍ତୁ ଲଗାତାର ଗେମ୍ ଖେଳିବା ଦ୍ୱାରା ମସ୍ତିଷ୍କ ଏହାକୁ ଅଭ୍ୟାସରେ ପକାଇଦିଏ । ଫଳରେ ନ ଖେଳିଲେ ବ୍ୟକ୍ତି ବିଚଳିତ ଓ ଚିଡ଼ଚିଡ଼ା ଅନୁଭବ କରେ ।
କ’ଣ କହନ୍ତି ବିଶେଷଜ୍ଞ?
ମନୋଚିକିତ୍ସକ କହନ୍ତି, ଏହା କେବଳ ‘ଗେମ୍ ନିଶା’ର ମାମଲା ନୁହେଁ, ବରଂ ପିଲାଙ୍କ ଭାବନାତ୍ମକ ପରିପକ୍ୱତା, ଆତ୍ମସମ୍ମାନ ଓ ପାରିବାରିକ ସମ୍ବାଦର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଏ । ଅନ୍ଲାଇନ୍ ବ୍ୟାଟଲ୍ ଗେମ୍ କେବଳ ଦ୍ରୁତ ଡୋପାମିନ୍ ଉତ୍ପନ୍ନ କରାନ୍ତି ଓ ମସ୍ତିଷ୍କର ରିୱାର୍ଡ ସିଷ୍ଟମ୍କୁ ସକ୍ରିୟ କରିଦିଅନ୍ତି ତାହା ନୁହେଁ, ବରଂ ହାର-ଜିତ୍ ଓ ପୁରସ୍କାରକୁ ନିଜ ପରିଚୟ ଓ ଆତ୍ମସମ୍ମାନ ସହ ଯୋଡ଼ନ୍ତି । ଯେତେବେଳେ ଜଣେ ପିଲା ଅନ୍ଲାଇନ୍ ଗେମ୍ରେ ଟଙ୍କା ହାରିଯାଏ, କେବଳ ଆର୍ଥିକ କ୍ଷତି ନୁହେଁ ବିଫଳ ହେବାର ଆତ୍ମଗ୍ଲାନି ଅନୁଭବ କରେ ।