ସମ୍ବଲପୁର,୧୧/୦୩ : ସରସତିଆକୁ ମିଳିବ ସରକାରୀ ମାନ୍ୟତା । ଭୌଗୋଳିକ ସ୍ଥିତି, ସ୍ୱତନ୍ତ୍ରତା, ଇତିହାସ, ତିଆରି ଶୈଳୀ ଏବଂ ସ୍ୱାସ୍ଥ୍ୟଭିତ୍ତିକ ଯାଞ୍ଚ ରିପୋର୍ଟ ସଂଗ୍ରହ କରି ଆବେଦନ କରାଯାଇଛି । ଏଥିପାଇଁ ପ୍ରାଶାସନିକ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର କହିଛନ୍ତି । ସମ୍ବଲପୁର ସହରର ପ୍ରାୟ ୨ ଶହରୁ ଅଧିକ ବର୍ଷର ସ୍ୱତନ୍ତ୍ର ଖାଦ୍ୟ ସରସତିଆକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏହାକୁ ଯାଞ୍ଚ କରି ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ୍‌ ପ୍ରଦାନ କରିବେ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଖାଦ୍ୟର ଭୌଗୋଳିକ ସ୍ଥିତି ଓ ସ୍ୱତନ୍ତ୍ରତାକୁ ନେଇ ରିପୋର୍ଟ ପ୍ରସ୍ତୁତି ସରିଛି ।

ଖାଦ୍ୟର ଗୁଣବତ୍ତା ଓ ପୁଷ୍ଟିକର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ଓ ଖୁବ୍‌ଶୀଘ୍ର ସରସତିଆକୁ ଜିଆଇ ଟ୍ୟାଗ୍‌ ମିଳିବ ବୋଲି ଜିଲ୍ଲାପାଳ ଶ୍ରୀ ବୋନ୍ଦର କହିଛନ୍ତି । ଏକ ଗଛର ଡାଳରୁ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ପ୍ରାକୃତିକ ଉପାୟରେ ତିଆରି କରାଯାଉଛି । ତେଣୁ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖାଯାଇପାରେ । ସରସତିଆକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଉଦ୍ୟମ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇଥିଲା । ସହରର କୁଞ୍ଜେଲପଡ଼ା ଛକରେ ପ୍ରଭୁଲାଲ ଗୁପ୍ତାଙ୍କ ପରିବାର ଦୀର୍ଘ ୨୦୦ ବର୍ଷ ହେଲା ସରସତିଆକୁ ତିଆରି କରୁଛନ୍ତି । ୧୮୬୬ ମସିହାରୁ ଏହାକୁ ଆରମ୍ଭ କରାଯାଇଥିବା ପରିବାର ପକ୍ଷରୁ ଦାବି କରାଯାଉଛି ।

ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ : ମୁଖ୍ୟ ଶାସନ ସଚିବ