ନୂଆଦିଲ୍ଲୀ,୨୦।୫: ଆଜିକାଲି ଭାରତୀୟ ରାଜନୀତିରେ ’ମେଲୋଡି’ ନୂଆ ଫ୍ଲେଭର ପାଲଟିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ବନ୍ଧୁତା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ନେଇ ଆରମ୍ଭ କରିଛି କଟାକ୍ଷ। ଏପରିକି କଂଗ୍ରେସର କେରଳ ୟୁନିଟ୍ ପଚାରିଛି, ‘ମେଲୋଡି ଏତେ ଚକୋଲେଟି କାହିଁକି?
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ମୋଦି ସରକାର ଜନସାଧାରଣଙ୍କୁ ଭାଷଣର ’ମେଲୋଡି’ ଶୁଣାଇବାକୁ ଚାହୁଁଛନ୍ତି, ଯେତେବେଳେ ଜନସାଧାରଣ ‘ଦୁର୍ଦଶା’ ଭୋଗୁଛନ୍ତି । ଖଡରେ କହିଛନ୍ତି, ବିଜେପି କାର୍ଯ୍ୟକାଳ ବେଳେ ଗତ ୧୦ ବର୍ଷରେ ପ୍ରାୟ ୯୦ ସରକାରୀ ପରୀକ୍ଷାର ପେରର ଲିକ୍ ହୋଇଛି। ଯେଉଁଥିରେ ୯ କୋଟି ଯୁବପୀଢିଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ନିଜର ସବୁଠାରୁ ନିମ୍ନ ସ୍ତର (ପ୍ରାୟ ୯୬.୯୦) ରେ ପହଁଞ୍ଚି ଯାଇଛି। ମିଡିଲି ଇଷ୍ଟରେ ଚାଲିଥିବା ବିବାଦ କାରଣରୁ ଗତ ଦୁଇ ମାସରେ ଭାରତର ଫରେନ୍ ଏକ୍ସଚେଞ୍ଜ ରିଜର୍ଭ ପ୍ରାୟ ୩୮ ବିଲିୟନ ଡଳାର ହ୍ରାସ ଘଟି ଯାଇଛି। ବିଦେଶୀ ନିବେଶକ ୨୦୨୬ ରେ ଏପର୍ଯ୍ୟନ୍ତ ଭାରତୀୟ ସେୟାର ବଜାରରେ ୨.୨ ଲକ୍ଷ କୋଟି ଟଙ୍କା ବାହାର କରିଛି। ଯାହାକି ୨୦୨୫ ରୁ ବି ଅଧିକ।
ସେ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି, ୨୦୧୪ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧୪ ଟଙ୍କା ଥିଲା, ଯାହା ଏବେ ୯୧୫.୫ ଟଙ୍କା (୧୨୧% ବୃଦ୍ଧି) କୁ ବୃଦ୍ଧି ପାଇଛି। ବାଣିଜ୍ୟିକ ସିଲିଣ୍ଡର ମଧ୍ୟ ୧୨୪୧ ରୁ ୩୧୫୨ କୁ ବୃଦ୍ଧି ପାଇଛି। କ୍ଷୀର, ରୁଟି, ଔଷଧ ଏବଂ CNG ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରମଶଃ ମହଙ୍ଗା ହେଉଛି। ଗତ ୧୨ ବର୍ଷ ମଧ୍ୟରେ, ସରକାର ଇନ୍ଧନ ଉପରେ ଟିକସ ଲଗାଇ ଜନସାଧାରଣଙ୍କଠାରୁ ପ୍ରାୟ ୪୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ବେକାରୀ ହାର ମାର୍ଚ୍ଚ ୨୦୨୬ ରେ ୧୫.୨% କୁ ବୃଦ୍ଧି ପାଇଛି, ଯାହା ଗତ ୯ ମାସ ମଧ୍ୟରେ ସର୍ବାଧିକ।’
ମୋଦିଙ୍କ ବିଦେଶ ଗସ୍ତକୁ ନୋଇ ବିରୋଧୀଙ୍କ ସ୍ୱର ଆହୁରି ତୀବ୍ର ହୋଇଛି। ଏହା ପୂର୍ବରୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଯୁବପିଢ଼ି ହତାଶ, NEET ପ୍ରଶ୍ନପତ୍ର ଲିକ୍ ହେଉଛି, ପେଟ୍ରୋଲ ଏବଂ ଗ୍ୟାସ ମହଙ୍ଗା ହେଉଛି, ଏବଂ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ବୃଦ୍ଧି ପାଉଛି, ତଥାପି ପ୍ରଧାନମନ୍ତ୍ରୀ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହିତ ‘ମେଲୋଡି’ ଖାଇବାରେ ବ୍ୟସ୍ତ ଅଛନ୍ତି।