ଭୁବନେଶ୍ୱର,୧୬/୦୩: ପ୍ରେମରେ ବିଫଳ ହେବାରୁ ଜଣେ ଯୁବକ ସୋ’ରୁମ୍ ଭିତରେ ପଶି ଜଣେ ଯୁବତୀଙ୍କ ବେକ କାଟିଦେଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋ’ରୁମ୍ କର୍ମଚାରୀ ଓ ଆଖପାଖ ଲୋକେ ମିଶି ବିଫଳ ପ୍ରେମିକକୁ କାବୁ କରି ନିର୍ଧୁମ୍ ଛେଚି କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଛନ୍ତି । ତା’ ନାମ ଦୀପକ କୁମାର ସିଂହସାମନ୍ତ(୨୭) । ଘର ଖୋର୍ଦ୍ଧା ଜଙ୍କିଆ ଥାନା ଡମଣଭୂଇଁ । ଦୀପକ ନିକଟରୁ ଗୋଟିଏ ଅପରେସନ୍ରେ ବ୍ୟବହୃତ ବ୍ଲେଡ୍ ଓ ରକ୍ତଭିଜା କପଡ଼ା ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ଧଉଳି ଲିଙ୍ଗିପୁର ଅଞ୍ଚଳର ରିମାଲୀ(ଛଦ୍ମନାମ) ଅଶୋକନଗରରେ ଥିବା ଶ୍ରୀ ଦୁର୍ଗା କପଡ଼ା ଷ୍ଟୋରରେ ସେଲ୍ସ ଗାର୍ଲ ଭାବେ କାମ କରୁଥିଲେ । ଦୀପକଙ୍କ ସହ ତାଙ୍କର ନିବିଡ଼ ସଂପର୍କ ଥିଲା । ପରେ ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୀପକ ରିମାଲୀଙ୍କୁ ଅନେକ ସମୟରେ ଧମକଚମକ ଦେଉଥିଲା ।ରିମାଲୀଙ୍କର ଅନ୍ୟଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିବା ଦୀପକଙ୍କର ସନ୍ଦେହ ହୋଇଥିଲା । ଗତକାଲି ରିମାଲୀ ସୋ’ରୁମ୍ରେ ଥିବା ବେଳେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଦୀପକ ସେଠାରେ ପହଞ୍ଚିଥିଲା । ରିମାଲୀଙ୍କୁ ସୋ’ରୁମ୍ ବାହାରକୁ ଟାଣିଆଣି ତାଙ୍କ ବେକକୁ ବ୍ଲେଡ୍ରେ କାଟି ଦେଇଥିଲା । ତାଙ୍କ ଚିତ୍କାର ଶୁଣି ଆଖପାଖ ଦୋକାନୀଙ୍କ ସମେତ ସୋ’ରୁମ୍ର ପିଲାମାନେ ଦୀପକକୁ ଘେରି ଯାଇଥିଲେ । ତାକୁ ନିସ୍ତୁକ ମାଡ଼ମାରି କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଥିଲେ ।
ସେପଟେ ଗୁରୁତର ଅବସ୍ଥାରେ ରିମାଲୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ୍କ ବେକରେ ୪୦ଟି ଷ୍ଟିଚ୍ ପଡ଼ିଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ରିମାଲୀଙ୍କ ବାପାଙ୍କ ଅଭିଯୋଗକ୍ରମେ କ୍ୟାପିଟାଲ ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଦୀପକକୁ ପୁଲିସ ହସ୍ପିଟାଲରେ ଚିକିତ୍ସା କରିବା ପରେ ଗିରଫ କରିଛି । ଆକ୍ରମଣରେ ବ୍ୟବହୃତ ରକ୍ତଲଗା ବ୍ଲେଡ୍ ସହ ରିମାଲୀଙ୍କ ରକ୍ତଭିଜା କପଡ଼ା ଓ ଦୀପକର ରକ୍ତଭିଜା କପଡ଼ାକୁ ପୁଲିସ ଜବତ କରିଛି । ପ୍ରେମରେ ବିଫଳ ହେବା ସହ ସନ୍ଦେହ ଯୋଗୁଁ ଦୀପକ ଏଭଳି କାଣ୍ଡ ଭିଆଇଥିବା ପୁଲିସକୁ କହିଛି । ଆଜି ଦୀପକଙ୍କୁ କୋର୍ଟ ଚାଲାଣ କରା ଯାଇଛି ।