ନୂଆଦିଲ୍ଲୀ, ୦୩/୦୭: ମଧ୍ୟପ୍ରାଚ୍ୟରେ ଶାନ୍ତି ଆଶାରେ ଅଶୋଧିତ ତୈଳ ଦରରେ ଅନେକ ମାତ୍ରାରେ ହ୍ରାସ ଘଟିଛି । ବର୍ତ୍ତମାନ ଏହା ବ୍ୟାରେଲ ପିଛା ୭୦ ଡଲାରକୁ ଆସିଯାଇଛି । ଗତ ମାସ ଦରରେ ୨୧% ହ୍ରାସ ଘଟିଥିଲା । ଏହାମଧ୍ୟରେ କିଛି ଦେଶ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ କରି ଲୋକଙ୍କୁ ଦରଦାମ ବୃଦ୍ଧିରୁ ଆଶ୍ୱସ୍ତି ଦେଉଛନ୍ତି । ପାକିସ୍ତାନ ଲଗାତର ୬ ଥର ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିଛି । ଶ୍ରୀଲଙ୍କା ଏବଂ ନେପାଳ ବି ଉଭୟ ଇନ୍ଧନ ଦରରେ ହ୍ରାସ କରିଛନ୍ତି । କିନ୍ତୁ ଭାରତରେ ଅଶୋଧିତ ତୈଳ ଦର ହ୍ରାସର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ଦର ଉଚ୍ଚ ସ୍ତରରେ ରହିଛି । ଦରଦାମ ଚାପରେ ଛନ୍ଦି ହୋଇଥିବା ଗ୍ରାହକଙ୍କ ପାଇଁ ଇନ୍ଧନ ଦର ଚିନ୍ତା ବଢ଼ାଉଛି ।

ଏଭଳି ସ୍ଥିତିରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ଦର ଖସିବ ନାହିଁ । ବର୍ତ୍ତମାନ ବି ତୈଳ କମ୍ପାନିଗୁଡ଼ିକ ଇନ୍ଧନ ବିକ୍ରିରେ କ୍ଷତି ସହୁଛନ୍ତି । ଦର ଖସିବା ପାଇଁ ଆଉ ୨ରୁ ୩ ମାସ ଅପେକ୍ଷା କରିବାକୁ ପଡ଼ିବ । ନେପାଳ ତେଲ ଦରରେ ୧୭% ପର୍ଯ୍ୟନ୍ତ ହ୍ରାସ କରିଛି । ଏହା ଅଶୋଧିତ ତୈଳ ଦରରେ ହ୍ରାସକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ।

ଶ୍ରୀଲଙ୍କା ବି ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ତୈଳ ଦରରେ ୬% ପର୍ଯ୍ୟନ୍ତ ହ୍ରାସ କରିଛି । ସମ୍ପୂର୍ଣ୍ଣ ଆମଦାନି ଉପରେ ନିର୍ଭରଶୀଳ ଏହି ଦେଶ ଡିଜେଲ ଦରରେ ୨୫ ଟଙ୍କା ପ୍ରତି ଲିଟର ଏବଂ ପେଟ୍ରୋଲ ଦରରେ ୨୦ ଟଙ୍କା ପ୍ରତି ଲିଟର ହ୍ରାସ କରିଛି ।