ନୂଆଦିଲ୍ଲୀ, ୩।୭: ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଇରାନକୁ ନେଇ ଚାଲିଥିବା ଭିତରି ବିବାଦକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ‘ଦ ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଅତି ସମ୍ବେଦନଶୀଳ ଯୁଦ୍ଧବିରତି ଆଲୋଚନାକୁ ବିଫଳ କରିବା ପାଇଁ ଇସ୍ରାଏଲ ଇରାନର ଶୀର୍ଷ ନେତାମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଥିଲା । ଏହି ବିପଦକୁ ଦେଖି ଆମେରିକା ନିଜେ ମଧ୍ୟ-ପ୍ରାଚ୍ୟର କିଛି ଦେଶ ମାଧ୍ୟମରେ ଇରାନକୁ ଏହି ଇସ୍ରାଏଲୀ ଷଡ଼ଯନ୍ତ୍ର ବିଷୟରେ ଆଗୁଆ ଆଲର୍ଟ କରିଥିଲା । ଏହି ଯୋଜନାର ମୁଖ୍ୟ ଟାର୍ଗେଟ୍‌ରେ ଥିଲେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଏବଂ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍, ଯେଉଁମାନେ ଆମେରିକା ସହ ଶାନ୍ତି ବାର୍ତ୍ତାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ।

କାହିଁକି ନିଜର ପରମ ଶତ୍ରୁ ଦେଶର ନେତାଙ୍କୁ ବଞ୍ଚାଇଲା ଆମେରିକା ?

ରିପୋର୍ଟ ମୁତାବକ, ଯୁଦ୍ଧ ଆରମ୍ଭ ସମୟରେ ଆମେରିକା ଅଧିକାରୀମାନେ ମଧ୍ୟ ଭାବୁଥିଲେ ଯେ ଇରାନର ଏହି ନେତାମାନଙ୍କୁ ଟାର୍ଗେଟ୍ କରିବା ଇସ୍ରାଏଲର ବୈଧ ଅଧିକାର । କିନ୍ତୁ, ଏପ୍ରିଲରେ ଯେତେବେଳେ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ ଶାନ୍ତି ଆଲୋଚନା ଆରମ୍ଭ ହେଲା, ସେତେବେଳେ ୱାଶିଂଟନର ଆଭିମୁଖ୍ୟ ବଦଳିଗଲା । ଆମେରିକା ପ୍ରଶାସନ ଆଶଙ୍କା କରୁଥିଲା ଯେ ଯଦି ଇସ୍ରାଏଲ ଆରାଘଚି କିମ୍ବା ଗାଲିବାଫ୍‌ଙ୍କ ମଧ୍ୟରୁ କାହାକୁ ବି ଆକ୍ରମଣ କରେ, ତେବେ ମାସ ମାସର ପରିଶ୍ରମ ପରେ ପ୍ରସ୍ତୁତ ହୋଇଥିବା ସିଜଫାୟାର୍ ଡିଲ୍ ସମ୍ପୂର୍ଣ୍ଣ ବର୍ବାଦ ହୋଇଯିବ ଏବଂ ଯୁଦ୍ଧ ପୁଣି ଥରେ ଭୟଙ୍କର ରୂପ ନେବ । ଆମେରିକାର ଚାପ ପରେ ହିଁ ମାର୍ଚ୍ଚ ମାସରେ ଏହି ଦୁଇ ନେତାଙ୍କ ନାମ ଇସ୍ରାଏଲର ‘ହିଟ୍ ଲିଷ୍ଟ’ରୁ ହଟାଯାଇଥିଲା ।

ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଏହି ଯୁଦ୍ଧରେ ଅନେକ ଥର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଲିବାଫ୍ ୨୦୨୫ର ୧୨ ଦିନିଆ ଯୁଦ୍ଧ ଏବଂ ଚଳିତ ବର୍ଷର ସଂଘର୍ଷ ସମୟରେ ଦୁଇ ଦୁଇ ଥର ଇସ୍ରାଏଲ୍ ବୋମା ବିସ୍ଫୋରଣର ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଠାରୁ ତାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ନିକଟରେ ଯେତେବେଳେ ଗାଲିବାଫ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହ ଆଲୋଚନା ସାରି ତେହେରାନ ଫେରୁଥିଲେ, ସେତେବେଳେ ଇରାନ ଗୁପ୍ତଚର ସଂସ୍ଥା ଏକ ବଡ଼ ସୂଚନା ପାଇଥିଲା । ସୂଚନା ଅନୁଯାୟୀ, ଇସ୍ରାଏଲ୍ ତାଙ୍କ ବିମାନକୁ ଆକାଶରେ ହିଁ ଉଡ଼ାଇ ଦେବାକୁ ଯୋଜନା କରିଥିଲା ଏବଂ ଦୁଇଟି ଇସ୍ରାଏଲୀ ଯୁଦ୍ଧ ବିମାନ ଇରାନ ଆକାଶସୀମାରେ ପ୍ରବେଶ କରିସାରିଥିଲେ । ଏହାପରେ ଗାଲିବାଫ୍‌ଙ୍କ ବିମାନକୁ ପାକିସ୍ତାନ ସୀମା ନିକଟ ମଶହଦ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ଏବଂ ସେ ସଡ଼କ ପଥରେ ତେହେରାନରେ ପହଞ୍ଚିଥିଲେ ।

ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ିଲା ମତଭେଦ:

ଏହି ଖୁଲାସାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯୁଦ୍ଧ ଆରମ୍ଭରେ ଏକାଠି ଥିବା ଆମେରିକା ଏବଂ ଇସ୍ରାଏଲର ପନ୍ଥା ଏବେ ଅଲଗା ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ୍ କୁଶନର୍ ଏବଂ ଷ୍ଟିଭ୍ ୱିଟକଫ୍‌ଙ୍କ ନେତୃତ୍ୱରେ ଆମେରିକୀୟ ପ୍ରତିନିଧି ଦଳ ଇରାନ ସହ ଆଲୋଚନାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି । ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ହୋର୍ମୁଜ୍ ପ୍ରଣାଳୀକୁ ପୁଣି ଥରେ ଖୋଲିବା ଏବଂ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ଏକ ଫ୍ରେମୱାର୍କ ଚୁକ୍ତି ମଧ୍ୟ ହୋଇସାରିଛି । ଇସ୍ରାଏଲ୍ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ପ୍ରାଥମିକ ଚୁକ୍ତିକୁ ଏକ 'ବଡ଼ ବିପତ୍ତି' ବୋଲି ମାନୁଛନ୍ତି । ଇସ୍ରାଏଲର କହିବା କଥା ଯେ, ଏହି ଚୁକ୍ତି ଦ୍ୱାରା ଇରାନକୁ କୋଟି କୋଟି ଡଲାର ମିଳିବ, ଯାହାଫଳରେ ସେ ପୁଣି ଶକ୍ତିଶାଳୀ ହୋଇଯିବ । ଇସ୍ରାଏଲର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଇରାନରେ ସତ୍ତା ପରିବର୍ତ୍ତନ, ତାର ମିସାଇଲ୍ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ଏବଂ ହିଜବୁଲ୍ଲା-ହମାସ ଭଳି ପ୍ରକ୍ସି ସଂଗଠନକୁ ସମ୍ପୂର୍ଣ୍ଣ ଶେଷ କରିବା ।

ଏହା ବି ପଢ଼ନ୍ତୁ... ​​​​​​​India- Japan Defence Deal: ଖୋଜି ଖୋଜି ପାଇବେନି ଚୀନ-ପାକିସ୍ତାନ; ସମୁଦ୍ର ମଝିରେ ଗାଏବ ହେବ ଭାରତ ଯୁଦ୍ଧଜାହାଜ, ଜାପାନ ସହ ହୋଇଗଲା 'ନିଞ୍ଜା' ଡିଲ୍‌

 

ଏହାପୂର୍ବରୁ ଇସ୍ରାଏଲର ମିସାଇଲ ଆକ୍ରମଣରେ ଇରାନର ଜାତୀୟ ସୁରକ୍ଷା ଅଧିକାରୀ ଅଲି ଲାରିଜାନୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ କମାଲ ଖରାଜୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ନେତା ତୁଳନାତ୍ମକ ଭାବେ ଉଦାରବାଦୀ ଥିଲେ ଏବଂ ଆମେରିକା ସେମାନଙ୍କ ସହ ଆଲୋଚନା ପାଇଁ ଆଶା ରଖିଥିଲା, କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହିଁ ଇସ୍ରାଏଲ ସେମାନଙ୍କୁ ହତ୍ୟା କରିଥିଲା । ଏଭଳି ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଇରାନ ନେତାମାନେ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ମେ’ ମାସରେ ମଧ୍ୟ ଆରାଘଚି ଏବଂ ଗାଲିବାଫ୍ ଶାନ୍ତି ଆଲୋଚନା ପାଇଁ କତାର ଏବଂ ସ୍ୱିଜରଲ୍ୟାଣ୍ଡ ଗସ୍ତ କରିଥିଲେ । ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ଯେକୌଣସି ପରିସ୍ଥିତିରେ ଏହି ଶାନ୍ତି ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତ ଚେଷ୍ଟା ଚଳାଇଛି ।