ନୂଆଦିଲ୍ଲୀ, ୩।୭: ଯଦି ଆପଣ ଜର୍ମାନୀରେ ଚାକିରି କରୁଛନ୍ତି ଏବଂ ଆପଣଙ୍କ ଦେହ ହଠାତ୍ ଖରାପ ହେଉଛି, ତେବେ କେବଳ ଏକ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ସୂଚନା ଦେଲେ ହୁଏତ ଆପଣଙ୍କୁ ଛୁଟି ମିଳିନପାରେ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜର୍ମାନୀ ସରକାର ଏବେ କର୍ମକ୍ଷେତ୍ରର ନିୟମ ଏବଂ ଛୁଟି ପ୍ରକ୍ରିୟାରେ ବଡ଼ ଧରଣର ସଂଶୋଧନ କରିବାକୁ ଯାଉଛନ୍ତି । ନୂତନ ନିୟମ ଅନୁଯାୟୀ, ଅସୁସ୍ଥ ହେଲେ ପ୍ରଥମ ଦିନରୁ ହିଁ କର୍ମଚାରୀଙ୍କୁ ମେଡିକାଲ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ । ଅଫିସରୁ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ଦେଶର ଉତ୍ପାଦନ ଓ ବ୍ୟବସାୟିକ କ୍ଷେତ୍ରରେ ହେଉଥିବା ବଡ଼ କ୍ଷତିକୁ ରୋକିବା ପାଇଁ ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ।

ଚାକିରି ପାଇଁ ଆସିବ ୪ ବର୍ଷିଆ ଫିକ୍ସଡ୍-ଟର୍ମ କଣ୍ଟ୍ରାକ୍ଟ:

ଜର୍ମାନ ସରକାର କର୍ମକ୍ଷେତ୍ରର ନିୟମାବଳୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି । ଏହା ଅଧୀନରେ, କମ୍ପାନୀଗୁଡ଼ିକୁ ୨୦୩୦ ମସିହା ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ୪ ବର୍ଷ ପର୍ଯ୍ୟନ୍ତ 'ଫିକ୍ସଡ୍-ଟର୍ମ କଣ୍ଟ୍ରାକ୍ଟ' ଦେବାର ସୁଯୋଗ ମିଳିପାରେ । ଏହା ବ୍ୟତୀତ, ଯେଉଁମାନଙ୍କର ଦରମା ଅଧିକ ଏବଂ ସେମାନଙ୍କୁ ଯଦି ଚାକିରିରୁ ବାହାର କରାଯାଏ, ତେବେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । ଦେଶର ଅର୍ଥନୀତିକୁ ସଙ୍କଟରୁ ରକ୍ଷା କରିବା ପାଇଁ ଜର୍ମାନ ଚାନ୍ସଲର ଫ୍ରେଡ୍ରିକ୍ ମର୍ଜ୍ ଏକ ବିଶେଷ ୩୪-ପଏଣ୍ଟ ପ୍ୟାକେଜ୍ ଉପସ୍ଥାପନ କରିଛନ୍ତି । ଏହି ପ୍ୟାକେଜ୍‌ରେ ଶ୍ରମ, ଟ୍ୟାକ୍ସ ଏବଂ ପେନସନ ସଂସ୍କାର ସାମିଲ ରହିଛି । ଚାନ୍ସଲର ମର୍ଜ୍ କହିଛନ୍ତି, "ଆମେ ଟ୍ୟାକ୍ସ ହ୍ରାସ କରି କର୍ମଚାରୀ ଏବଂ କମ୍ପାନୀଗୁଡ଼ିକ ଉପରୁ ବୋଝ କମାଇବା ସହ ନିଜ କଲ୍ୟାଣକାରୀ ରାଷ୍ଟ୍ରକୁ ସୁରକ୍ଷିତ ରଖିବା ପାଇଁ କାମ କରୁଛୁ ।"

ଏହା ବି ପଢ଼ନ୍ତୁ... ​​​​​​​Solar Storm Alert: ସୂର୍ଯ୍ୟଙ୍କ ରୌଦ୍ରରୂପ; ମହାକାଶରେ ଭୟଙ୍କର ବିସ୍ଫୋରଣ, ପୃଥିବୀ ପାଇଁ ‘ବିନାଶକାରୀ’ ଚେତାବନୀ

ଆର୍ଥିକ ସଂସ୍କାର ଉପରେ ଶାସକ ମେଣ୍ଟର ସହମତି:  

ଚାନ୍ସଲର ଫ୍ରେଡ୍ରିକ୍ ମର୍ଜ୍‌ଙ୍କ ସୂଚନା ଅନୁଯାୟୀ, ବର୍ଷ ଶେଷ ସୁଦ୍ଧା ସଂସଦରେ ଏହି ୩୪-ପଏଣ୍ଟ ପ୍ୟାକେଜ୍‌ର ମୁଖ୍ୟ ବିଲ୍‌କୁ ପାସ୍ କରାଇବା ସରକାରଙ୍କ ଲକ୍ଷ୍ୟ ରହିଛି । ଶାସକ ମେଣ୍ଟ ଏହି ଆର୍ଥିକ ସଂସ୍କାର ଉପରେ ସହମତି ପ୍ରକାଶ କରି ସାରିଛି । ଏହାଦ୍ୱାରା ଦେଶର ଦୁର୍ବଳ ହୋଇପଡ଼ିଥିବା ଅର୍ଥନୀତିକୁ ପୁଣି ଥରେ ସୁଦୃଢ଼ କରାଯାଇପାରିବ । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ବ୍ୟବସାୟିକ କ୍ଷେତ୍ରକୁ ଅଧିକ ଫ୍ଲେକ୍ସିବଲ୍ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଏହି ନୂତନ ପ୍ୟାକେଜ୍‌ରେ ୧୦ ବିଲିୟନ ୟୁରୋର ଇନକମ୍ ଟ୍ୟାକ୍ସ ସାମିଲ ଅଛି । ଏହି କ୍ଷତିକୁ ଭରଣା କରିବା ପାଇଁ ବାର୍ଷିକ ୨୫୦,୦୦୦ ୟୁରୋରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଯିବ । ଏହା ସହିତ ପେନସନ ସିଷ୍ଟମରେ ଅବସର ଗ୍ରହଣ ବୟସ ସୀମାକୁ ମଧ୍ୟ ୬୭ ବର୍ଷରୁ ଅଧିକ କରାଯିବ । ଜର୍ମାନୀର ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ଭାଇସ୍ ଚାନ୍ସଲର ଲାର୍ସ କ୍ଲିଙ୍ଗବେଲ୍ କହିଛନ୍ତି ଯେ, ଏହି ନୂତନ ନିଷ୍ପତ୍ତି ଦ୍ୱାରା ଦେଶର ସବୁଠାରୁ ଅଧିକ ରୋଜଗାର କରୁଥିବା ଶ୍ରେଣୀ ଉପରେ ଟ୍ୟାକ୍ସର ଅଧିକ ବୋଝ ପଡ଼ିବ । ଦେଶକୁ ଆଗକୁ ବଢ଼ାଇବା ଏବଂ ଅର୍ଥନୀତିକୁ ପୁଣି ଥରେ ପୂର୍ବବସ୍ଥାକୁ ଆଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ଥିଲା ।