ନୂଆଦିଲ୍ଲୀ,୧୨/୦୫: ଆଗାମୀ ବର୍ଷେ ଯାଏ ସୁନା ଗହଣା କ୍ରୟ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ରବିବାର ନିବେଦନ କରିବା ପରେ ଏହାକୁ ନେଇ ଗହଣା ଶିଳ୍ପ ଚିନ୍ତାରେ ରହିଛି । ଜୁଏଲେରୀ ଶିଳ୍ପ ପ୍ରତିନିଧି ମାନେ ଏହି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସେନ୍କୋ ଗୋଲ୍ଡର ଶୁଭଙ୍କର ସେନ୍ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପରେ ଜଣାପଡୁଛି, ସରକାର ସୁନା ଆମଦାନି ଶୁଳ୍କ ବଢ଼ାଇପାରନ୍ତି । ଯଦି ଏହା ହୁଏ ତେବେ ସୁନା ଚାହିଦା ୧୦ ରୁ ୧୨% ପର୍ଯ୍ୟନ୍ତ କମିପାରେ । ମଙ୍ଗଳବାର ଗହଣା ଶିଳ୍ପ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀମାନଙ୍କୁ ଭେଟିବେ ବୋଲି ସେ ସୂଚନା ଦେଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଏପ୍ରିଲରେ ଭାରତର ସୁନା ଆମଦାନି ୩ ଦଶକର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିପାରେ । ବ୍ୟାଙ୍କଗୁଡ଼ିକ ଉପରେ ଅଚାନକ ୩% ସମନ୍ୱିତ ଜିଏସ୍ଟି ଦାବି ଆସିବା ପରେ ସେମାନେ ସିପ୍ମେଣ୍ଟକୁ ଅଟକାଇଦେଇଛନ୍ତି । ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ ସୁନା ଉପଭୋକ୍ତା । ଆର୍ଥିକବର୍ଷ ୨୦୨୫-୨୬ରେ ଏହା ପ୍ରତିମାସ ହାରାହାରି ୬୦ ଟନ ସୁନା ଆମଦାନି କରିଛି । ଏହା ଉପରେ ପ୍ରତି ମାସ ପ୍ରାୟ ୬ ବିଲିୟନ ଡଲାର ବା ପାଖାପାଖି ୫୭ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଏଭଳି ସ୍ଥିତିରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ପଡୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ସହ କଞ୍ଚାମାଲ ଦର ବୃଦ୍ଧି ଦେଶ ଲାଗି ଚିନ୍ତାଜନକ ହୋଇଛି । ସରକାରୀ ଡାଟା ମୁତାବକ, ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୭.୭ ବିଲିୟନ ଡଲାର ହ୍ରାସ ହୋଇ ୬୯୦ ବିଲିୟନ ଡଲାର ସ୍ତରରେ ରହିଛି ।
ଅଧିକ ପଢ଼ନ୍ତୁ :- Gold Import In India: ଭାରତ ବର୍ଷେ ଯାଏଁ ସୁନା ନ କିଣିଲେ କ’ଣ ହେବ ? କେଉଁ ଦେଶ ସହିବେ କୋଟି କୋଟି ଟଙ୍କାର କ୍ଷତି ?