ବଲାଙ୍ଗିର, ୧୮/୧୨ : ସଟର୍ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍। ବଲାଙ୍ଗିର ଜିଲ୍ଲା ଲୋଇସିଂହା ବସଷ୍ଟାଣ୍ଡ୍ ସ୍ଥିତ ଜଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ୱାସୀମ ଖାନ ଲୋଇସିଂହା ଥାନରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗୁରୁବାର ସକାଳେ ୱାସୀମ ଖାନ ତାଙ୍କ ଦୋକାନ ଖୋଲିବାକୁ ଯିବାବେଳେ ସଟର ତଡ଼ା ହୋଇଥିବା ଦେଖିଥିଲେ। ଦୋକାନ ଖୋଲି ଯାଞ୍ଚ କରିବାରୁ ପ୍ରାୟ ୪୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଲେ। ୱାସୀମଙ୍କର ପ୍ରାୟ ଅଢ଼େଇ ଗ୍ରାମର ସୁନା ଅଳଙ୍କାର ଓ ୨୦ କେଜିର ରୂପା ଅଳଙ୍କାର ଚୋରି ହୋଇଛି। ରାତି ପ୍ରାୟ ୧ଟା ୫୦ରୁ ୨ ଟା ୧୦ ମିନିଟ ମଧ୍ୟରେ ୨ ଜଣ ଚୋର ସଟର ତାଡ଼ି ଦୋକାନ ଭିତରେ ପଶି ସବୁ ନେଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଲୋଇସିଂହା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
ଲୋଇସିଂହା ଥାନା ଠାରୁ ମାତ୍ର ଶହେ ମିଟର ଦୂର ଏବଂ ବଲାଙ୍ଗିର ବରଗଡ଼ ୨୬ ନଂ ରାଜପଥ କଡରେ ଥିବା ଦୋକାନରୁ ବର୍ଷକ ମଧ୍ୟରେ ୨ ଥର ଚୋରି ହେଲାଣି। ଯାହାକି ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅପରପକ୍ଷେ ପୁଲିସ ପକ୍ଷରୁ ରାତି ବେଳା ପାଟ୍ରୋଲିଂ ହେଉନଥିବାରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି।