ନୂଆଦିଲ୍ଲୀ, ୩୦।୬: ଭାରତର ସୁରକ୍ଷାକୁ ନେଇ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଏବେ ବାଂଲାଦେଶ ସହିତ ମିଶି ଭାରତ ବିରୋଧରେ ଏକ 'ଥ୍ରୀ ଫ୍ରଣ୍ଟ ୱାର'ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପାକିସ୍ତାନ ସେନା ପକ୍ଷରୁ ବାଂଲାଦେଶ ସମ୍ମୁଖରେ ଏକ 'ଜଏଣ୍ଟ ମିଲିଟାରୀ କମାଣ୍ଡ' ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାକୁ ନେଇ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । 'ନର୍ଥ ଇଷ୍ଟ ନ୍ୟୁଜ୍'ର ଏକ ରିପୋର୍ଟ ଅନୁଯାୟୀ, ଗତ ରବିବାର ବାଂଲାଦେଶରେ ଅବସ୍ଥାପିତ ପାକିସ୍ତାନୀ ଇମ୍ରାନ ହାଇଦରଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ଡକ୍ଟର ଏ.କେ.ଏମ. ଶାମସୁଲ ଇସଲାମଙ୍କୁ ଭେଟିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନ ପକ୍ଷରୁ 'ଆଞ୍ଚଳିକ ସ୍ୱାର୍ଥ'ର ଦ୍ୱାହି ଦେଇ ଏହି ମିଳିତ ସାମରିକ କମାଣ୍ଡର ପ୍ରସ୍ତାବ ରଖାଯାଇଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆଞ୍ଚଳିକ ରଣନୀତିକ ଯୋଜନା ଅଧୀନରେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗକୁ ଏକ ନୂତନ ସ୍ତରକୁ ନେବା ପାଇଁ ବିସ୍ତୃତ ଆଲୋଚନା ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ୧୯୭୧ ମସିହାରେ ଯେଉଁ ପାକିସ୍ତାନ ବିରୋଧରେ ରକ୍ତାକ୍ତ ମୁକ୍ତି ସଂଗ୍ରାମ କରି ବାଂଲାଦେଶ ଗଠନ ହୋଇଥିଲା, ସେହି ବାଂଲାଦେଶ କ’ଣ ଏବେ ପାକିସ୍ତାନ ସହ ହାତ ମିଳାଇବ ? ରିପୋର୍ଟ ଅନୁସାରେ, ଗତ କିଛି ଦିନ ହେବ ପାକିସ୍ତାନ ଏବଂ ବାଂଲାଦେଶର ବରିଷ୍ଠ ସାମରିକ ଅଧିକାରୀମାନେ ପରସ୍ପର ଦେଶ ଗସ୍ତ କରୁଛନ୍ତି । ଢାକା କ୍ୟାଣ୍ଟନମେଣ୍ଟ ସ୍ଥିତ ଆର୍ମଡ୍ ଫୋର୍ସେସ୍ ଡିଭିଜନର ପ୍ରତିରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟରେ ଏହି ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢ଼ନ୍ତୁ...​​​​​​​ Deported 100 Venezuelans Missing: ଭୂକମ୍ପରେ ଥରିଲା ସହର; ଆମେରିକାରୁ ନିର୍ବାସିତ ୧୦୦ରୁ ଅଧିକ ଲୋକ ନିଖୋଜ

ବାଂଲାଦେଶ ସେନାର ଅଫିସିଆଲ୍ ବୟାନରେ 'ଯୁଗ୍ମ ସାମରିକ କମାଣ୍ଡ' ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ଏଥିରେ କେବଳ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ କୁହାଯାଇଛି । ମାତ୍ର ସୂତ୍ର ଅନୁସାରେ, ଭିତର ମହଲରେ ମିଳିତ ସାମରିକ ଟ୍ରେନିଂ ଏବଂ ମିଳିତ କମାଣ୍ଡ ଗଠନ ନେଇ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ବାଂଲାଦେଶ ବାୟୁସେନା ପାଇଁ ପାକିସ୍ତାନରୁ JF-17 ମଲ୍ଟିରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ କିଣିବା ପାଇଁ ପୂର୍ବରୁ ଚାଲିଥିବା ଆଲୋଚନା ଏବେ ସ୍ଥଗିତ ହୋଇଯାଇଛି । ଏହା ବଦଳରେ ବାଂଲାଦେଶ ଏବେ ଚୀନ୍‌ରୁ ୨୪ଟି ଆଧୁନିକ ଫାଇଟର ଜେଟ୍ କିଣିବାକୁ ଯୋଜନା କରୁଛି, ଯାହା J-10C ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଚୀନ୍ ଏବଂ ପାକିସ୍ତାନର ଏହି ମିଳିତ ଚକ୍ରବ୍ୟୁହ ଭାରତ ପାଇଁ ଅଧିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଭାରତ ପାଇଁ କାହିଁକି ବଢ଼ିଲା ଚିନ୍ତା ?

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ସିଲିଗୁଡ଼ି କରିଡର ବା ଯାହାକୁ 'ଚିକେନ ନେକ୍' କୁହାଯାଏ, ତାହା ବାଂଲାଦେଶ ସୀମାନ୍ତର ଖୁବ୍ ନିକଟରେ ଅବସ୍ଥିତ । ଯଦି ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଏହି ସାମରିକ ବୁଝାମଣା ସଫଳ ହୁଏ, ତେବେ ଭାରତ ପାଇଁ ଏକ ସମୟରେ ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ୩ଟି ସୀମାରୁ ଯୁଦ୍ଧର ଆଶଙ୍କା ସତରେ ପରିଣତ ହୋଇପାରେ । ଏହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକର ସ୍ଥିରତା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ ।