ବ୍ରହ୍ମପୁର,୩୦/୦୮: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତ ଓମ୍‌ ପ୍ରଧାନଙ୍କୁ ମାମଲାରୁ ବାଦ୍‌ ଦେବାକୁ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌ର ଶୁଣାଣି ଶୁକ୍ରବାର ହୋଇଥିଲା । ଏଡିଜେ-୨ କୋର୍ଟରେ ଶୁଣାଣି ହୋଇଥିବା  ବେଳେ କୋର୍ଟ ଏହି ପିଟିସନ୍‌ ଉପରେ କିଛି ରାୟ ଦେଇନଥିବା ଓମ୍‌ଙ୍କ ଓକିଲ ପୀତବାସ ପଣ୍ଡା ସୂଚନା  ଦେଇଛନ୍ତି । 

ଓମ୍‌ ଏହି ମାମଲାରେ ସମ୍ପୃକ୍ତ ନାହାନ୍ତି  ଏବଂ କ୍ରାଇମ୍‌ବ୍ରାଞ୍ଚ୍‌ ଚାର୍ଜସିଟ୍‌ରୁ ତାଙ୍କୁ ବାଦ୍‌ ଦେଇଛି,  ତେଣୁ କେସ୍‌ରୁ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଉ ବୋଲି ଓମ୍‌ଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ । ପ୍ରତିପକ୍ଷ ସରକାରୀ ଓକିଲ ଇସ୍‌ମାଇଲ୍‌ ମହମ୍ମଦ, ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବଂ ୧୦ ଜଣ ଅଭିଯୁକ୍ତ ଏକାଠି ଯାଇଥିଲେ । ତେଣୁ ତାଙ୍କର ସମ୍ପୃକ୍ତିକୁ ବାଦ୍‌ ଦିଆନଯାଇପାରେ ବୋଲି ଯୁକ୍ତି କରିଥିଲେ । କୋର୍ଟ  ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ  ରଖିଛନ୍ତି । 

ପୂର୍ବରୁ ଓମ୍‌ଙ୍କ ଜାମିନ ଆବେଦନକୁ ଖାରଜ  କରିଥିଲେ କୋର୍ଟ । କ୍ରାଇମ୍‌ବ୍ରାଞ୍ଚ୍‌ ଏହି ମାମଲାର  ଚାର୍ଜସିଟ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ  ଦାଖଲ କରିଥିଲେ । ଚାର୍ଜସିଟ୍‌ ପରେ ଜେଏମ୍‌ଏଫ୍‌ସି  ଓମଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରି କେସ୍‌ ଫାଇଲ୍‌ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ । ଜିଲ୍ଲା କୋର୍ଟ  ଏହି ମାମଲାର ବିଚାରଣା ପାଇଁ ଏଡିଜେ-୨କୁ ପଠାଇଥିଲେ । ଏହି ମାମଲା ଏଡିଜେ-୨ରେ ଥିବା ବେଳେ ପ୍ରଥମେ ଓମ୍‌ଙ୍କ ପାଇଁ ଜାମିନ ଆବେଦନ  ହୋଇଥିଲା । ଆବେଦନକୁ କୋର୍ଟ ଖାରଜ କରିବା  ପରେ ଓମ୍‌ଙ୍କ ଓକିଲ ତାଙ୍କୁ ଏହି ମାମଲାରୁ ବାଦ୍‌ ଦେବାକୁ ଡିସ୍‌ଚାର୍ଜ ପିଟିସନ୍‌ କରିଛନ୍ତି । ଏହାର ମଧ୍ୟ ଶୁଣାଣି କରିଛନ୍ତି କୋର୍ଟ ।  

୬ ଜଣ ସାବାଳକ ଅଭିଯୁକ୍ତଙ୍କ ମାମଲା ଏବଂ ୩  ଜଣ (୧୭- ୧୮ ବର୍ଷ)ଙ୍କ କେସ୍‌ ଜୁନିୟର କୋର୍ଟ  ତଥା ଏଡିଜେ-୨ରେ ବିଚାରଣା ପାଇଁ ରହିଛି । ଆସନ୍ତା  ୬ ତାରିଖରେ ଏହି କେସ୍‌ର ଚାର୍ଜଫ୍ରେମ୍‌ ପାଇଁ  କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ୧୬  ବର୍ଷରୁ କମ୍‌ ବୟସର ଜଣେ ନାବାଳକ ଥିବା ବେଳେ  ତାଙ୍କ ମାମଲାର ବିଚାରଣା ଜୁଭେନାଇଲ୍‌ ଜଷ୍ଟିସ୍‌  ବୋର୍ଡ (ଜେଜେବି)ରେ ହେବ । ସେଠି ଆସନ୍ତା ୪ ତାରିଖରେ ଚାର୍ଜଫ୍ରେମ ହେବାକୁ ତାରିଖ ଧାର୍ଯ୍ୟ  ହୋଇଥିବା ସୂଚନା ମିଳିଛି ।  

ସୂଚନାଯୋଗ୍ୟଯେ, ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ  ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର  ବେଳାଭୂମି ବୁଲିବାକୁ ଯାଇଥିଲେ । ସନ୍ଧ୍ୟା ୭ଟାରେ  ସେମାନେ ପାନ୍ଥ ନିବାସ ପଛରେ ବସିଥିବା ବେଳେ  ଅଭିଯୁକ୍ତମାନେ ଅସଦାଚରଣ ସହ ଦୁଷ୍କର୍ମ କରିଥିଲେ । ଉକ୍ତ ମାମଲାରେ ଗୋପାଳପୁର ଥାନା  ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ  ପରବର୍ତ୍ତୀ ସମୟରେ ଏହି କେସ୍‌ର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ୍‌ ନେଇଥିଲା।