ନୂଆଦିଲ୍ଲୀ,୧୫/୦୭: ସୋମବାର କେନ୍ଦ୍ର ସରକାର ୫  ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ।  ଏଥିସହ ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ  ଅନ୍ୟତ୍ର ବଦଳି କରାଯାଇଛି । 

ମଧ୍ୟପ୍ରଦେଶ ହାଇକୋର୍ଟର  ବିଚାରପତି ଜଷ୍ଟିସ ସଞ୍ଜିବ ସଚ୍‌ଦେବାଙ୍କୁ ସେହି  ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି ।  ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବଖରୁଙ୍କୁ କର୍ଣ୍ଣାଟକ  ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି । ପାଟନା  ହାଇକୋର୍ଟର ବିଚାରପତି ଆଶୁତୋଷ କୁମାର ଗୌହାଟୀ  ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି । ପାଟନା  ହାଇକୋର୍ଟର ବିଚାରପତି ବିପୁଲ ମନୁଭାଇ ପଞ୍ଚୋଲି ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ  ହୋଇଛନ୍ତି । ହିମାଚଳ ପ୍ରଦେଶ ହାଇକୋର୍ଟର ବିଚାରପତି  ତାରଲୋକ ସିଂହ ଚୌହାନଙ୍କୁ ଝାଡଖଣ୍ଡ ହାଇକୋର୍ଟର  ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି । 

ସେହିଭଳି ୪  ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନ୍ୟତ୍ର ବଦଳି  କରାଯାଇଥିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି  କରିଛନ୍ତି । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି  ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ମାଡ୍ରାସ ହାଇକୋର୍ଟର  ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛନ୍ତି । ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଅପରେଶ କୁମାର  ସିଂହଙ୍କ ତେଲଙ୍ଗାନା ହାଇକୋର୍ଟକୁ ବଦଳି ହୋଇଛି ।  ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ୍‌.ଏସ  ରାମଚନ୍ଦ୍ରରାଓଙ୍କୁ ତ୍ରିପୁରା ଓ ମାଡ୍ରାସ ହାଇକୋର୍ଟର ମୁଖ୍ୟ  ବିଚାରପତି କେ.ଆର ଶ୍ରୀରାମଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।