ଭୁବନେଶ୍ୱର, ୦୭/୦୨ : ୨୦୩୦ ସୁଦ୍ଧା ଜଳାତଙ୍କରେ ଶୂନ୍ୟ ମୃତ୍ୟୁ ଟାର୍ଗେଟ୍। ଏନେଇ ନ୍ୟାସନାଲ ରାବିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ (ଏନ୍ଆରସିପି) ମାଧ୍ୟମରେ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିପାଇଁ ତୃଣମୂଳସ୍ତରରେ ଆଣ୍ଟି-ରାବିଜ୍ ଭ୍ୟାକ୍ସିନ(ଏଆରସି) ରାବିଜ୍ ଇମ୍ୟୁନୋଗ୍ଲୋବ୍ୟୁଲିନ(ଆରଆଇଜି) ସର୍ଭେଲାନ୍ସ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଆଉ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ‘ମଡେଲ୍ ଆଣ୍ଟି-ରାବିଜ୍ କ୍ଲିନିକ୍’ ବା ଜଳାତଙ୍କ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏକ ଆକ୍ସନ୍ ଟେକେନ୍ ରିର୍ପୋଟ ପ୍ରସ୍ତୁତ କରିଛି ।
ସ୍ୱାସ୍ଥ୍ୟ ବିଭାଗର ଆକ୍ସନ୍ ଟେକେନ୍ ରିର୍ପୋଟ ଅନୁଯାୟୀ, ଜିଲ୍ଲା ମୁଖ୍ୟ ହସ୍ପିଟାଲଠାରୁ ସିଏଚ୍ସି ଓ ପିଏଚ୍ସି ସ୍ୱାସ୍ଥ୍ୟାନୁଷ୍ଠାନରେ ଗାଇଡ୍ଲାଇନ୍ ଅନୁଯାୟୀ ପର୍ଯ୍ୟାପ୍ତ ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ମହଜୁଦ ରହିବ । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପର୍ଯ୍ୟାୟ କ୍ରମେ ‘ମଡେଲ୍ ଆଣ୍ଟି-ରାବିଜ୍ କ୍ଲିନିକ୍’ ପ୍ରତିଷ୍ଠା ହେବ । ସେଠାରେ ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ସହିତ ସଂକ୍ରମିତ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ରହିବ । କୁକୁର କାମୁଡ଼ା ଉପରେ ତୀକ୍ଷ୍ଣ ନଜର ରଖାଯିବ। କୁକୁର କାମୁଡ଼ା ବ୍ୟକ୍ତିଙ୍କ ସମ୍ପର୍କରେ ପୋର୍ଟାଲରେ ସୂଚନା ଅପ୍ଲୋଡ୍ ହେବ । ଉକ୍ତ ତଥ୍ୟକୁ ଗୁରୁତ୍ୱର ସହିତ ମନିଟରିଂ କରାଯିବ । ତୃଣମୂଳସ୍ତରରେ କୁକୁର କାମୁଡ଼ା ସଂକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ। ବିଶେଷ କରି ରାବିଜ୍ ଫ୍ରି ସିଟି ପାଇଁ ପଦକ୍ଷେପ ନିଆଯିବ। ଭୁବନେଶ୍ୱର, କଟକ ଓ ରାଉରକେଲାରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ। କୁକୁର କାମୁଡ଼ା ପରିଚାଳନା କ୍ଷେତ୍ରରେ ୨୧୩୦ଜଣ ପ୍ରଶିକ୍ଷଣ ପାଇଛନ୍ତି । ଏମାନଙ୍କୁ ନେଇ ରାଜ୍ୟରେ ଜଳାତଙ୍କ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯିବ । ରାଜ୍ୟରେ ୨୦୩୦ ବେଳକୁ ଯେପରି ଜଣେ ହେଲେ ରାବିଜ୍ ସଂକ୍ରମିତଙ୍କ ମୃତ୍ୟୁ ହେବନି ସେନେଇ ପଦକ୍ଷେପ ନିଆଯିବ। ସମୂହ ଭାବେ ୭୦ ପ୍ରତିଶତ କୁକୁରଙ୍କୁ ଭ୍ୟାକ୍ସିନେସନ୍ ଓ ବନ୍ଧ୍ୟାକରଣ କରାଗଲେ କଲେ ରାବିଜ୍ ସଂକ୍ରମଣ ଚେନ୍କୁ ରୋକା ଯାଇପାରିବ।
ଏହି ଖବରଟିକୁ ପଢନ୍ତୁ- ୧୨ରେ ଭାରତ ବନ୍ଦ ଡାକରା, କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ