ଭୁବନେଶ୍ୱର, ୦୭/୦୨ : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଆଉ ବରଦାସ୍ତ କରିହେବନି । ଚାରି ଶ୍ରମକୋଡ଼ ରଦ୍ଦ, ବିହନ ବିଲ ୨୦୨୫ ରଦ୍ଦ, ବିଜୁଳି ସଂଶୋଧନ ବିଲ ୨୦୨୫ ରଦ୍ଦ, ଭିବି ରାମଜି ଆଇନ ରଦ୍ଦ ନ କଲେ ସାରା ଦେଶରେ ନିଆଁ ଜଳିବ । ଆସନ୍ତା ୧୨ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ । ଏହିଦିନ ଓଡ଼ିଶାରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସିଟୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  

ସିଟୁ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ କହିଛନ୍ତି ଯେ ବଡ଼ବିଲ, କୋଇଡା, କାଲଟା, ବଣେଇ, ରାଉରକେଲା, କାଳୁଙ୍ଗା, ଝାରସୁଗୁଡା, ଅନୁଗୁଳ, କଳିଙ୍ଗ ନଗର, ପାରାଦୀପ, ଦାମନଯୋଡ଼ି, ରାୟଗଡ଼ା ଭଳି ରାଜ୍ୟର ସମସ୍ତ ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକମାନେ ବନ୍ଦ କରିବେ । ଏନଟିପିସି, ନାଲକୋ, ବିଦ୍ୟୁତ, ରେଳପଥ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାରଖାନା, ପରିବହନ, ବ୍ୟାଙ୍କ, ବୀମା ଇତ୍ୟାଦି ସରକାରୀ ଅଫିସରେ ତାଲା ଝୁଲିବ । ସବୁ ପ୍ରମୁଖ ରାସ୍ତାରେ ଶ୍ରମିକ ଓ ଅନ୍ୟ ଆନ୍ଦୋଳନକାରୀ ପିକେଟିଂ କରିବେ । ସରକାର ସେଦିନ ଶ୍ରମିକ ସାମ୍ମୁଖ୍ୟର ଶକ୍ତି ଦେଖିବେ ।  

ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, କେନ୍ଦ୍ର ସରକାର ବିଚିତ୍ର ଶ୍ରମିକ ଆଇନ୍‌ ଲାଗୁ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି । ଶିଳ୍ପ କାରଖାନା, ଖଣି ଖାଦାନରେ ଆଉ ଶ୍ରମିକ ସଂଗଠନ ରହିବନି । ଦୈନିକ ଆଠ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ଶ୍ରମିକମାନେ ବାଧ୍ୟ ହେବେ । ଦୈନିକ ସର୍ବନିମ୍ନ ମଜୁରୀ ୧୭୮ ଟଙ୍କା ହେବ । ଧର୍ମଘଟ କଲେ, ୮ ଦିନର ରୋଜଗାର କଟାଯିବ । ୨୫୦ ରୁ କମ ଶ୍ରମିକ ଥିଲେ ଶ୍ରମ ନୀରିକ୍ଷକ କାରଖାନାରେ ପଶିପାରିବେନି । ୫୦ ରୁ କମ ଶ୍ରମିକ କାମ କରଥିଲେ କଣ୍ଟ୍ରାକ୍ଟର ଲେବର ଲାଇସେନସ କରିବେନି । ଏହାର ପ୍ରତିବାଦରେ ଦେଶର ୫୦ କୋଟି ଶ୍ରମିକ କର୍ମଚାରୀ ଧର୍ମଘଟକୁ ଓହ୍ଲାଇବେ । ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି, ସମ୍ପାଦକ ପୁଷ୍ପା ଦାସ ପ୍ରମୁଖ ଧର୍ମଘଟକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । 

ଏହି ଖବରଟିକୁ ପଢନ୍ତୁ- ଏମିତି ଭୁଲ କେବେ ବି କରନ୍ତୁ ନାହିଁ ,ବିପଦରେ SBIର ୫୦ କୋଟିରୁ ଅଧିକ ଗ୍ରାହକ