ଭୁବନେଶ୍ୱର/ନବରଙ୍ଗପୁର, ୧୨/୦୭: ସାର ନେବାକୁ ଚାହୁଁଛନ୍ତି ତ ମୋବାଇଲ୍ ନେଇ ଆସନ୍ତୁ । ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଥିବା ୟୁପିଆଇ୍ କ୍ୟୁଆର୍ କୋଡ୍‌ରେ ସ୍କାନ୍ କରି ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ମିଳିବସାର । ନଗଦ ଟଙ୍କା ଦେଇ ନେଇପାରିବେନି ସାର । ଏଭଳି କଟକଣା ପରେ ମୋବାଇଲ୍ ନଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । କେମିତି କିଣିବେ ସାର, ସେ ନେଇ ଚିନ୍ତାରେ ପଡ଼ିଲେଣି ।

ତେବେ ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାଗୁଡ଼ିକର ଲ୍ୟାମ୍ପ୍‌ସ ଗୁଡିକରେ କ୍ୟୁଆର୍ କୋଡ୍‌ରେ ଚାଷୀ ଟଙ୍କା ଜମା କଲେ ସାର ମିଳିବ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ଜିଲ୍ଲାରେ ଅଧିକାଂଶ ଲ୍ୟାମ୍ପ୍‌ସ ରେ ଚାଷୀଙ୍କୁ ସାର୍ ମିଳିପାରୁନି । ଗତ ଦିଶା ବୈଠକରେ ସାଂସଦ ବଳଭଦ୍ର ମାଝୀ ଏଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ନ ଥିବା ଚାଷୀ କେମିତି କ୍ୟୁଆର୍ କୋଡ୍‌ରେ ଟଙ୍କା ଜମା କରିବେ ବୋଲି ପ୍ରଶ୍ନ କରିଥିଲେ । ତେବେ ଏଭଳି ଅବସ୍ଥା କେବଳ ନବରଙ୍ଗପୁର ଜିଲ୍ଲାରେ ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚାଷୀମାନେ ସାର ପାଇବା ପାଇଁ ଚିନ୍ତାରେ ପଡ଼ିଲେଣି ।

ଏଭଳି ଅବସ୍ଥା ସାରା ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ଏଗ୍ରିଷ୍ଟାକ୍ ଆଧାରିତ ସାର ବିତରଣ କରାଯାଉଛି । ଏହି ଦୁଇ ଜିଲ୍ଲାରେ ସାର କିଣିବା ପୂର୍ବରୁ ଚାଷୀଙ୍କୁ ମୋବାଇଲ୍‌ର ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫ୍ରେମୱାର୍କ ଫର ଫର୍ଟିଲାଇଜର୍ ସେଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ପରେ ସାର ଦୋକାନ ଓ କେଉଁ ସାର କିଣିବେ ତାହା ଚୟନ କରିବାକୁ ହେବ । ଆବେଦନ ପରେ ଏକ କ୍ୟୁଆର୍ କୋଡ୍ କିମ୍ବା ଟୋକନ୍ ପାଇବେ । ଯାହା ମାତ୍ର ଦୁଇ ଦିନ ପାଇଁ ବୈଧ ରହିବ । ତେବେ ଏହି ଦୁଇ ଜିଲ୍ଲାରେ ଯେଉଁ ଚାଷୀଙ୍କର ମୋବାଇଲ୍ ନଥିବ, ସେମାନେ କିଭଳି ସାର ପାଇବେ ତାହା ସ୍ପଷ୍ଟ କରାଯାଇନି ।

ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ନଗଦ ନ ଦେଇ ଅନଲାଇନରେ ସାର କାରବାର ହେଉଥିବାରୁ ଚାଷୀମାନେ କ୍ଷୋଭ ପ୍ରକଟ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଲ୍ୟାମ୍ପ୍ସରେ କ୍ୟାସ୍ ସେଲ୍ ମଧ୍ୟ କ୍ୟୁଆର୍ କୋଡ୍‌ରେ ହିଁ ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ସାର୍ ମିଳୁଛି । ତେଣୁ ଶୁକ୍ରବାର ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ କୋଷାଗୁମୁଡ଼ାର ଲ୍ୟାମ୍ପ୍ସ ଗସ୍ତ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ । ଚାଷୀଙ୍କୁ ନଗଦରେ ସାର୍ ବିକ୍ରି ଲାଗି ଲ୍ୟାମ୍ପ୍‌ସ ଗୁଡ଼ିକୁ ଚିଠି କରିବାକୁ ନବରଙ୍ଗପୁର ଡିଆର୍‌ସିଏସ୍ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡିଆର୍‌ସିଏସ୍ ଚିଠି କରାଯିବ କହି ଶନିବାର ଛୁଟିରେ ଗାଁକୁ ଯାଇଛନ୍ତି । ଫଳରେ ମୋବାଇଲ ଫୋନ୍ ନ ଥିବା ଛୋଟ ଓ ମଧ୍ୟମ ଚାଷୀ ସାର୍ ପାଇଁ ଲ୍ୟାମ୍ପସକୁ ଧାଇଁ ନୟାନ୍ତ ହେଉଛନ୍ତି । ବିଶେଷ କରି ଜୁଲାଇ ମାସ ଚାଷୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ମାସ । ସାର୍ ନ ପାଇଲେ ଫସଲ ଅମଳ ବାଧାପ୍ରାପ୍ତ ହେବ । ଗୋଟିଏ ପଟେ ଲ୍ୟାମ୍ପ୍ସରେ ଦୁର୍ନୀତି ରୋକିବା ସହ ସାର୍ ବିକ୍ରି ରେ ସ୍ୱଚ୍ଛତା ଆଣିବାକୁ ବିଭାଗ ପକ୍ଷରୁ ଚାଷୀଙ୍କଠାରୁ ୟୁପିଆଇ କ୍ୟୁଆର୍ କୋଡ୍ରେ ଟଙ୍କା ନେଇ ସାର୍ ଦେବାକୁ ଲ୍ୟାମ୍ପ୍ସକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ :- ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, CMRFରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଏଣୁ ଲ୍ୟାମ୍ପ୍‌ସ ଗୁଡ଼ିକ ବିନା କ୍ୟୁଆର୍ କୋଡରେ କୌଣସି ଚାଷୀଙ୍କୁ ସାର୍ ଦେବାକୁ ସାହସ କରୁନାହାନ୍ତି । ଫଳରେ ଏବେ ଲ୍ୟାମ୍ପ୍‌ସରୁ ସାର୍ ପାଇବା ଚାଷୀଙ୍କ ପାଇଁ କ୍ୟୁଆର୍ କୋଡ୍ ପ୍ରତିବନ୍ଧକ ସାଜିଛି । କାରଣ ସବୁ ଚାଷୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହି ଜିଲ୍ଲାରେ ଖରିଫ୍ ଋତୁ ପାଇଁ ୫୩ ହଜାର ୮୦୦ ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକ । ହେଲେ ବର୍ତ୍ତମାନ ସୁଦ୍ଧା ୩୧ ହଜାର ମେଟ୍ରିକ୍ ଟନ୍ ସାର ଜିଲ୍ଲାକୁ ଆସିଛି । ଏବେ ସୁଦ୍ଧା ୧୫ ହଜାର ୧୦୦ ମେଟ୍ରିକ୍ ଟନ୍ ୟୁରିଆ ଚାଷୀଙ୍କୁ ବିକ୍ରି ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାର ସିଂହଭାଗ ଚାଷୀଙ୍କୁ ଆବଶ୍ୟକ ୟୁରିଆ ମିଳିନି। ଏଣୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସାରାରାଜ୍ୟରେ ଚାଷ ଦେବା ପାଇଁ କ୍ୟୁଆର୍ କୋଡ୍ ସ୍କାନ ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ହଠାତ ନୂଆ ନିୟମ କରି ଚାଷୀଙ୍କ ଉପରେ ଲଦି ଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀନେତାମାନେ ଚେତାବନୀ ଦେଇଛନ୍ତି ।

ଏ ସମ୍ପର୍କରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ କହିଛନ୍ତି, ଚାଷୀ ୨୦୨୬ରେ ସୃଷ୍ଟି ହୋଇନାହାନ୍ତି । ପୂର୍ବରୁ ଚାଷ କରି ଆସୁଥିବା ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ଆବଶ୍ୟକ ଅନୁସାରେ ସାର ବିନା କାଗଜପତ୍ରରେ ଯୋଗାଇ ଦିଆଯାଉ । ଯଦି ସନ୍ଦେହ ଆସୁଛି, ସେମାନଙ୍କର ସ୍ଥାନୀୟ ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କୁ ଏ ସମ୍ପର୍କରେ ପଚାରାଯାଉ । ହେଲେ ପାରମ୍ପରିକ ଚାଷୀଙ୍କୁ ସାର ଦେବାରୁ ବଞ୍ଚିତ କଲେ ଆନ୍ଦୋଳନ ହେବ ବୋଲି କିଷାନ କଂଗ୍ରେସ ରାଜ୍ୟ ସଭାପତି ଅଭୟ ଚେତାବନୀ ଦେଇଛନ୍ତି ।