ଲୋଭର କରୁଣ ପରିଣତି କଥା ବାଲ୍ୟକାଳରୁ ଆମେ ପାଠ୍ୟ ପୁସ୍ତକରୁ ପଢ଼ିଆସିଛୁ । ଆହୁରି ମଧ୍ୟ ଅନେକ ଗଳ୍ପ ପ୍ରବନ୍ଧ ଓ ପତ୍ରପତ୍ରିକାରେ ପଢ଼ିଚୁ । ଆଉ ଆଖିଆଗରେ ପ୍ରତ୍ୟେକ ଦିନ ଲୋଭ କାରଣରୁ ଘଟିଯାଉଥିବା କେତେ କେତେ ଘଟଣା ଦୁର୍ଘଟଣା ଯାହାର କଳନା ନାହିଁ । ହେଲେ ମଣିଷର ପ୍ରକୃତି ଆଜିପର୍ଯ୍ୟନ୍ତ ନା ବଦଳିଛି ନା ବଦଳୁଛି । ଧନୀ ହେଉ ବା ଗରିବ ଅବା ମଧ୍ୟବିତ୍ତ ଏ ସମସ୍ତଙ୍କ ନିକଟରେ କିଛି ଥାଉ ବା ନଥାଉ ଲୋଭ ନିଶ୍ଚିତ ଥିବ । ହଁ, କାହାର ଅଳ୍ପ ତ କାହାର ଅଧିକ । ଏଣୁ ଲୋଭ ସବୁ ମଣିଷଠାରେ ବିଦ୍ୟମାନ କହିଲେ ଆଦୌ ଭୁଲ୍‌ ହେବନି ।

ଲୋଭ ମଣିଷର ଜନ୍ମଜାତ ପ୍ରବୃତ୍ତି । କୁନି ଶିଶୁକୁ ଅନ୍ୟ କେହି ଆଦରି ନେଲେ ନିଜ ମା’ କୋଳକୁ ଲୋଭିଲା ଲୋଭିଲା ଆଖିରେ ଚାହିଁବାର ଦୃଶ୍ୟ ଖୁବ୍‌ ନିଆରା । ଶିଶୁଟି ଟିକେ ବଡ଼ ହେଲେ ଖେଳନା କିମ୍ବା ଚକଲେଟ ଲୋଭ ଦେଖାଇଲେ ସବୁ ବୋଲ ମାନିଯାଏ । ଜନ୍ମଦାତାଙ୍କ ସନ୍ତାନ ପ୍ରତି ଅତୁଟ ଲୋଭ ବାତ୍ସଲ୍ୟ ମମତା ଆଗରେ କେହି ନୁହେଁ ସରି । ବୟସ କ୍ରମରେ କାହାର ଧନ ଉପାର୍ଜନ ଆଉ ସଞ୍ଚିବା ଲୋଭ ତ କାହାର ପୁଣି ଖାଦ୍ୟ ପାନୀୟରେ ଲୋଭ । ଆଉ ନାରୀମାନଙ୍କର ସୁବର୍ଣ୍ଣ ଅଳଙ୍କାର ପ୍ରତି ଲୋଭ କିଛି କମ୍‌ ନୁହେଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଲୋଭର ଏକ ଆକର୍ଷଣ ଶକ୍ତି ଅଛି ଯେଉଁଥିରେ ସମସ୍ତେ ବାନ୍ଧି ହୋଇଛନ୍ତି । କେବଳ ଯେ ବଡ଼ ବା ବୟସ୍କବର୍ଗ ନୁହେଁ, ସାନ ମଧ୍ୟ ଲୋଭ ଆକର୍ଷଣରେ ବନ୍ଧା । ବାସ୍ତବରେ ମଣିଷର ଆଶା ଆବଶ୍ୟକତା ଯେତେ ଯେତେ ପୂରଣ ହୁଏ ଲୋଭ ସେତେ ଅଧିକ ବୃଦ୍ଧିପାଏ । ଲୋଭ ଜାଲ ସଦୃଶ ମଣିଷକୁ କବଳିତ କରିନିଏ ଆଉ ମଣିଷ ଆଦୌ ଟେର୍‌ ପାଏନି । ନିଜ ବୁଦ୍ଧି, ବିବେକର ଉପଯୋଗ ଦ୍ୱାରା ଏହି ଜାଲରୁ ମୁକୁଳିବା ସମ୍ଭବ ହୁଏ । ଅତଳ ଗଭୀର ସମୁଦ୍ର ସଦୃଶ ଲୋଭ, ଯାହାର ପରିମାପ ବଡ଼ କାଠିକର ପାଠ । ଅତି ସରଳରେ ବୁଝେଇଲେ ଲୋଭର ଅର୍ଥ ପ୍ରବଳ ଇଚ୍ଛା । ଲୋଭ ମଣିଷକୁ ଦୁର୍ବଳ କରେ, ତା’ ନିକଟରେ ନତମସ୍ତକ ହେବାକୁ ବାଧ୍ୟକରେ । ଲୋଭ ଲାଗି ମଣିଷ ତଳରୁ ତଳ ସ୍ତରକୁ ପାଦ ଖସେଇ ସବୁ ପ୍ରକାର ଅନ୍ୟାୟ ଅନୀତି ତଥା ଦୁର୍ନୀତିକୁ ଆପଣେଇ ନିଏ।

ଲୋଭ ମଣିଷର ଏକ ଅତୃପ୍ତ ଅବସ୍ଥା ଯେଉଁଥିରେ ଆବଶ୍ୟକତା ପୂରଣ ହେବା ପରେ ମଧ୍ୟ ମନ ଆହୁରି ପାଇବାକୁ ଥାଏ ବ୍ୟାକୁଳ । ନୈତିକ ଅନୈତିକ ମଧ୍ୟରେ ପ୍ରଭେଦ ଭୁଲି ବ୍ୟକ୍ତି ଅସନ୍ତୋଷର ନଦୀ ମଧ୍ୟକୁ ଠେଲି ହୋଇଯାଏ । ଲୋଭ କାରଣରୁ ବ୍ୟକ୍ତି ସବୁ ସମୟରେ ନିଜ ପାଖରେ ଯାହା ଅଛି ଆଦୌ ନଜର ଦିଏନି, ଯାହା ତା’ ପରିପାର୍ଶରେ ଦେଖେ ତାକୁ ପାଇବାକୁ ହୁଏ ହାଇଁପାଇଁ । ସହଜ ସରଳ ବାଟରେ ସବୁକିଛି ହାସଲ କରିନେବାକୁ ଉପାୟ ପାଞ୍ଚେ । କଳେବଳେ କୌଶଳେ ଦିନେ ସବୁକିଛି ହାସଲ କରିନିଏ ସତ, କିନ୍ତୁ ସନ୍ତୁଷ୍ଟ ମଣିଷଟିଏ ହୋଇ ଜୀବନ ଜିଇଁପାରେନି । କାରଣ ଆହୁରି ପାଇବାର ଲାଳସା ତା’ ମନ ମସ୍ତିଷ୍କକୁ ଅହରହ ଘାରିଥାଏ । ଯେଉଁ କାରଣରୁ ନା ସୁଖରେ ରହିପାରେ ନା ଶାନ୍ତିରେ ଟିକେ ନିଃଶ୍ୱାସ ନେଇପାରେ । ଏ ଦୁନିଆରେ ସମସ୍ତେ ନିଜର ଭଲ ଚିନ୍ତନ୍ତି । ରାତି ପାହି ସକାଳ ହେଲେ ମୁଣ୍ଡକୁ ଢୁକେ ମୁଁ ଆଜି କିପରି ଲାଭବାନ ହେବି । ଲାଭ ନଥିଲେ ପାଦେ ବି ଆଗକୁ ବଢ଼ିବାର ନାହିଁ । ନିଜ ଲକ୍ଷ୍ୟ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାକୁ ମଣିଷ ପ୍ରାଣପଣେ ପ୍ରୟାସ କରେ । ପ୍ରାପ୍ତ ହେଲେ ଖୁସିରେ ବିଭୋର ହୁଏ ଆଉ ଅପୂର୍ଣ୍ଣ ରହିଲେ ମନରେ ଉଦାସ ଭରିଯାଏ । ସେ ବେପାର ବଣିଜ ହେଉ ବା ନିଜର କିଛି ପ୍ରାପ୍ତି ଉଦ୍ଦେଶ୍ୟ, ଉଭୟ କ୍ଷେତ୍ରରେ ମଣିଷ ନିଜର ହିଁ ସ୍ୱାର୍ଥକୁ ଦୃଷ୍ଟିଦେଇ ଆଗକୁ ଆଗେଇଥାଏ । ଲୋଭ ମଣିଷକୁ ସ୍ୱାର୍ଥପର କରେ । ନିଜ ଲୋକଙ୍କ ଭିତରେ ପୃଥକ ଭାବନା ସୃଷ୍ଟିକରି ସମ୍ପର୍କରେ ଫାଟ ସୃଷ୍ଟିକରେ ।

ଲୋଭରେ ବଶୀଭୂତ ହୋଇ ମଣିଷ ଅନ୍ୟକୁ ପ୍ରତାରଣା କରେ ବା ଠକେ । ହେଲେ ଆଉ ଏହାର ପରିଣାମ ପରବର୍ତ୍ତୀ ସମୟରେ ନିଜକୁ ହିଁ ଭରଣ କରିବାକୁ ହୋଇଥାଏ । କଥାରେ ଅଛି- ଲୋଭରୁ ପାପ, ଆଉ ପାପ ମୃତ୍ୟୁର କାରଣ ସାଜେ । ଲୋଭରେ କବଳିତ ମଣିଷ ବର୍ତ୍ତମାନର ସୁଖ ହରାଇଥାଏ । ଲୋଭରୁ ମୁକୁଳିବା ପାଇଁ ବୁଦ୍ଧି ବିବେକର ଯଥେଷ୍ଟ ଉପଯୋଗ ଜରୁରି । ଜୀବନରେ କେଉଁ ଜିନିଷର କେତେ ଆବଶ୍ୟକ ଓ ଏହାର ସ୍ଥାୟିତ୍ୱକୁ ତର୍ଜମା କରି ପଦକ୍ଷେପ ନେବାକୁ ହେବ । ଆମେ ସର୍ବଦା ସନ୍ତୁଷ୍ଟ ବ୍ୟକ୍ତ କରିବା ଆଉ ଆମ ପାଖରେ ଯାହା ଅଛି ସେଥିରେ ଖୁସି ହେବା । ଅହରହ ବାଉଳା ହୋଇ  ମୁଁ ପାଇବି, ସବୁକୁ ଅକ୍ତିଆର କରିବି ଲକ୍ଷ୍ୟ ରଖିଲେ କିଛି ବି ପୂରଣ ହେବନି ବରଂ ଚିନ୍ତା ଦୁଃଖରେ ଶରୀର ହେବ ରୋଗର ଗନ୍ତାଘର । ବର୍ତ୍ତମାନ ସମୟର ପ୍ରାୟ ଅନେକଙ୍କ ଠାରେ ନିଦ୍ରାହୀନତା, ମଧୂମେହ, ଉଚ୍ଚ ରକ୍ତଚାପ, ପେଟ ସମସ୍ୟା, ହଜମ କମିବା ଓ ଭୋକ ନହେବା, ସ୍ୱଳ୍ପ ବୟସରୁ କେଶ ଝଡ଼ିବା ପରି ରୋଗ ସମସ୍ୟା ଦେଖାଦେଉଛି । ଆଉ ଟେନସନ୍‌ ବା ଚିନ୍ତା ଏ ସମସ୍ତ ପ୍ରକାର ରୋଗ ସମସ୍ୟା ପଛରେ ପ୍ରମୁଖ କାରଣ ସାଜିଛି ଏଥିରେ ଆଦୌ ଦ୍ୱିମତ ନାହିଁ । ଏଣୁ ଲୋଭ ବା ପ୍ରାପ୍ତିର ଲାଳସା ଯେତେ ଅଧିକ ହେବ ସମଅନୁପାତରେ ଚିନ୍ତା ଆଉ ଅସ୍ଥିରତା ସୃଷ୍ଟିହେବ । ସେଇଲାଗି ତ ଶାସ୍ତ୍ରରେ ଦର୍ଶାଯାଇଛି- ଲୁଣା ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ଲୋଭ ପରିତ୍ୟାଗ କରିବା ଦ୍ୱାରା ମନ ଶାନ୍ତ ରୁହେ ଏବଂ ଆଧ୍ୟାତ୍ମିକ ତଥା ମାନସିକ ସ୍ତରରେ ଉନ୍ନତି ହୁଏ । ପିଲାଦିନେ ପଢ଼ିଥିବା ସେଇ କାହାଣୀ ଅନେକ ସମୟରେ ମନେପଡ଼େ ।

ଜଣେ ରାଜାଙ୍କ ନିକଟରେ ଜଣେ ବ୍ୟକ୍ତି ପହଞ୍ଚି ସାହାଯ୍ୟ ମାଗୁଛନ୍ତି । ରାଜା କହିଲେ, କ’ଣ ତୁମେ ଚାହୁଁଛ କୁହ ପୂରଣ କରାଯିବ । ବ୍ୟକ୍ତି କହିଲେ, ମତେ ବହୁତ ଭୂମି ଦରକାର । ରାଜା କହିଲେ, ଠିକ୍‌ ଅଛି ଆସନ୍ତାକାଲି ସକାଳେ ଆସ । ତୁମେ ଏଠାରୁ ଯେତେ ବାଟ ଯାଏଁ ଯିବ ଆଉ ପ୍ରତ୍ୟାବର୍ତ୍ତନ କରିବ ସେସବୁ ତୁମର । ମନେରଖ, ସୂର୍ଯ୍ୟାସ୍ତ ପୂର୍ବରୁ ତୁମକୁ ଫେରିବାକୁ ହେବ । ତହିଁ ଆରଦିନ ବ୍ୟକ୍ତି ଭୂମି ଦଖଲ କରିବାକୁ ପହଞ୍ଚିଗଲେ । ଆହୁରି ପାଇବି ଆହୁରି ପାଇବି ଲୋଭରେ ଅନେକ ବାଟ ଅତିକ୍ରମ କଲେ । ଯେତେ ଆଗକୁ ଗଲେ ତୃଷ୍ଣା ମେଣ୍ଟିଲା ନାହିଁ । ଦୌଡ଼ି ଦୌଡ଼ି ଥକିଗଲେ ଆଉ ସୂର୍ଯ୍ୟାସ୍ତ ପୂର୍ବରୁ ଫେରିବାକୁ ହେବ । ଏଥର ରାଜାଙ୍କ ନିକଟକୁ ଦୌଡ଼ିଲେ । ଫେରିବାକୁ ପ୍ରୟାସ କରି ବିଫଳ ହେଲେ ଆଉ ଶେଷରେ ଜୀବନ ହାରିଲେ । ଯେତେବେଳେ ଜଣେ ବ୍ୟକ୍ତି ଲୋଭୀ ହୁଏ, ସେ ନିଜର ନୀତି ନୈତିକତା ମୂଲ୍ୟବୋଧକୁ ଭୁଲି ଭୁଲ୍‌ କାମ କରିବା ଆରମ୍ଭ କରେ । ଆଜି ଦୁନିଆରେ ଦୁର୍ନୀତି, କଳାବଜାରୀ, ଭ୍ରଷ୍ଟାଚାର, ହତ୍ୟା ଯାହା କିଛି ଘଟୁଛି ସବୁରି ମୂଳରେ ଲୋଭ ହିଁ ମୂଳ କାରଣ ।

ଜମିଜମା ଦଖଲକୁ ନେଇ ଭାଇ-ଭାଇ ଭିତରେ ମାରପିଟ୍‌, ଶାସନଗାଦି ଦଖଲ ପାଇଁ ନେତାଙ୍କ ଦଳଡିଆଁ, ଲାଞ୍ଚୁଆ ଅଫିସରର କଳାଧନ ଜବତ, ଚିଟ୍‌ ଫଣ୍ଡ ଦୁର୍ନୀତି, ଚୋରି, ଏମିତି ଘଟଣା ପ୍ରତ୍ୟେକ ଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ନିଇତି ବଜାରରେ ମାଳମାଳ ଭେଜାଲ ସାମଗ୍ରୀ ଜବତ ହେଉଛି, ଉତ୍କୋଚ ନେଇ ଅଫିସର୍‌ ବାବୁମାନେ ଗିରଫ ହେଉଛନ୍ତି, ସରକାରୀ ଟେଣ୍ଡର ହାତେଇ ଯନ୍ତ୍ରୀମାନେ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ଲାଗୁଛି ସତେଯେମିତି ଠକିବା ଲୁଟିବା ସମାଜରେ ଆଜି ସର୍ବତ୍ର ସବୁବର୍ଗର ଲୋକଙ୍କୁ ଗ୍ରାସି ସାରିଲାଣି । ସାଧୁତା, ସଚ୍ଚୋଟତା, ଦାୟିତ୍ୱବାନ ଓ କର୍ତ୍ତବ୍ୟନିଷ୍ଠା ଊଣାଅଧିକେ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ଲାଭ ଲୋଭରେ ଯେ ଯାହାକୁ ଠକିବାରେ ବ୍ୟସ୍ତ । ଲାଭ ଅଛି ତ ଆଗକୁ ଡେଇଁବା, ନହେଲେ ମୁହଁ ମାଡ଼ିଦେବା । ଜଣକୁ ଠକି ଆଉ ଜଣେ ପକେଟ୍‌ ଗରମ କରିବାକୁ ବାଉଳା । କିନ୍ତୁ ଶାସ୍ତ୍ର କୁହେ- ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଏଣୁ ଝାଳ ବୁହାଇ ଯାହା ମିଳୁଛି ସୁଖ ଶାନ୍ତିରେ ରୁହ । କଳାଧନରେ କୋଠାବାଡ଼ି କରି ଅନ୍ୟର ଦୃଷ୍ଟିଆକର୍ଷଣ କରିବା ଅପେକ୍ଷା ବରଂ ଅନ୍ୟ ହିତରେ କିଛି ଭଲ କାମ କରିଗଲେ ଲୋକମୁଖରେ ଚିରକାଳ ପାଇଁ ଚର୍ଚ୍ଚା ପଡୁଥିବ ।

​​​​​​​