ନୂଆଦିଲ୍ଲୀ: ପ୍ରବାସୀ ମାନଙ୍କୁ ନେଇ ଯାଉଥିବା ଏକ ସ୍ପିଡବୋଟ ଗ୍ରୀକ୍ର ରୋଡସ୍ ଦ୍ୱୀପ ନିକଟରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଗ୍ରୀକ୍ କୋଷ୍ଟଗାର୍ଡ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ଦୁଇ ଦିନ ପୂର୍ବରୁ କଙ୍ଗୋର ଫିମି ନଦୀରେ ସମାନ ଏକ ଦୁର୍ଘଟଣା ଘଟିଥିଲା।
ସୂଚନାଥାଉକି, ଡିସେମ୍ବର ୧୮ ବୁଧବାର ଦିନ କଙ୍ଗୋର ଫିମି ନଦୀରେ ଲୋକଙ୍କ ସହିତ ଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ସାମଗ୍ରୀ ମଧ୍ୟ ଭର୍ତ୍ତି ହୋଇଥିଲା ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଥିଲେ। କଙ୍ଗୋର ରାଜଧାନୀ କିନ୍ସାସା ର ଉତ୍ତର-ପୂର୍ବରେ ଥିବା ଇନଗୋ ସହର ନିକଟରେ ଏହି ଘଟଣା ଘଟିଛି । ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ ରୁ ଅଧିକ ଲୋକ ଥିଲେ । ଏହି ଅଞ୍ଚଳ ଚାରି ପାଖରୁ ନଦୀ ଦ୍ୱାରା ଘେରି ରହିଛି ଏବଂ ଏଠାରେ ଲୋକ ମାନେ ନଦୀ ପରିବହନ ଉପରେ ନିର୍ଭର କରନ୍ତି।
ଏହା ପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଜୁନ୍ ମାସରେ କିନ୍ନାସା ନିକଟରେ ଏକ ସମାନ ଘଟଣା ଘଟିଥିଲା ଯେଉଁଥିରେ ପ୍ରାୟ ୮୦ ଜଣ ପ୍ରାଣ ହରାଇଥିଲେ।