- ୫୧,୯୭୭ କୋଟିର ଆମଦାନି ଟିକସ
- ୨୮,୯୮୦ କୋଟିର ରିଫଣ୍ଡ ଜାରି
ନୂଆଦିଲ୍ଲୀ, ୦୨/୦୧: ୨୦୨୫ ଡିସେମ୍ବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି ) ଆଦାୟ ୬.୧% ବୃଦ୍ଧି ହୋଇ୧.୭୪ ଲକ୍ଷ କୋଟି ଟଙ୍କା ଟପିଛି । ୨୦୨୪ ଡିସେମ୍ବରରେ ଏହା ୧.୬୪ ଲକ୍ଷ କୋଟି ଟଙ୍କା ରହିଥିଲା । ଡିସେମ୍ବର ଡାଟାକୁ ଦେଖିଲେ, ବିଦେଶୀ ସାମଗ୍ରୀ ଆମଦାନିରୁ ହୋଇଥିବା ଟିକସ ଆଦାୟ ୧୯.୭% ବୃଦ୍ଧି ହୋଇଛି। ଏହି ବର୍ଗରେ ୫୧,୯୭୭ କୋଟିର ଟିକସ ରାଜକୋଷକୁ ଆସିଛି । ସେହିଭଳି ଘରୋଇ ଟ୍ରାଞ୍ଜାକ୍ସନରୁ ଟିକସ ୧.୨% ବୃଦ୍ଧି ହୋଇ ୧.୨୨ ଲକ୍ଷ କୋଟି ଟଙ୍କା ରହିଛି ।
ଡିସେମ୍ବର ମାସରେ ରିଫଣ୍ଡ ୩୧% ବୃଦ୍ଧି ହୋଇ ୨୮,୯୮୦ କୋଟି ଟଙ୍କା ରହିଛି । ମୋଟ ଟିକସ ମଧ୍ୟରୁ ରିଫଣ୍ଡ୍ ବାଦ ଦେଲେ ନେଟ୍ ଜିଏସ୍ଟି ରାଜସ୍ୱ ୧.୪୫ ଲକ୍ଷ କୋଟି ଟଙ୍କା । ରିଫଣ୍ଡ ଯୋଗୁ ନେଟ୍ ଜିଏସ୍ଟି ୫% କମିଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣା ଟିକସ ସଂଗ୍ରହରେ ପ୍ରମୁଖ ରାଜ୍ୟ ରହିଛନ୍ତି । ଡିସେମ୍ବରରେ ସେସ୍ ବା ଉପକର ଆଦାୟ ୪୨୩୮ କୋଟିକୁ ହ୍ରାସ ହୋଇଛି । ୨୦୨୪ ଡିସେମ୍ବରରେ ଏହା ୧୨,୦୦୩ କୋଟି ରହିଥିଲା । ୨୦୨୫ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂଆ ନିୟମ ମୁତାବକ, କେବଳ ତମାଖୁ ଏବଂ ଏହା ସହ ଜଡିତ ଉତ୍ପାଦ ଉପରେ ସେସ୍ ଲାଗୁ ହେଉଛି । ପୂର୍ବରୁ ବିଳାସପୂର୍ଣ୍ଣ ଏବଂ ଅବଗୁଣକାରୀ ସାମଗ୍ରୀ ଉପରେ ସେସ୍ ଲାଗୁ ହେଉଥିଲା । ଏହା ମଧ୍ୟରେ ଦାମୀ କାର ଏବଂ ମୃଦୁ ପାନୀୟ ଭଳି ସାମଗ୍ରୀ ସାମିଲ ରହିଥିଲା ।
ଘରୋଇ ବଜାରରେ ପରୋକ୍ଷ ଟିକସ ଆଦାୟ ଧିମା ହେବାର ପ୍ରମୁଖ କାରଣ ହେଉଛି ସେପ୍ଟେମ୍ବର ମାସରେ ବିଭିନ୍ନ ସାମଗ୍ରୀ ଉପରେ ହୋଇଥିବା ଜିଏସ୍ଟି ହ୍ରାସ । ସେପ୍ଟେମ୍ବରରେ ୩୭୫ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ହୋଇଥିଲା । ଘରୋଇବଜାରରେ ଚାହିଦା ବୃଦ୍ଧି ଏବଂ ଲୋକଙ୍କୁ ଦରଦାମ ଚାପରୁ ଆଶ୍ୱସ୍ତି ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା । ଟିକସ ହାର କମିବା ଯୋଗୁ ଘରୋଇ ବଜାରରେ ରାଜସ୍ୱ ଅଭିବୃଦ୍ଧି ପ୍ରଭାବିତ ହୋଇଛି । ମାତ୍ର ଦୀର୍ଘ ମିଆଦୀ ଭିତ୍ତିରେ ଟିକସ ଆଦାୟ ଉନ୍ନତି ଆସିପାରେ ବୋଲି ସରକାରଙ୍କ ବିଶ୍ୱାସ ରହିଛି । ୨୦୨୫ ଏପ୍ରିଲରେ ସରକାର ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ କରିଥିଲେ ।
ବାର୍ଷିକ ଭିତ୍ତିରେ ଏଥିରେ ୧୨.୬% ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଜିଏସ୍ଟି ଆଦାୟରେ ଏହା ରେକର୍ଡ ଥିଲା । ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ସର୍ବାଧିକ ପରୋକ୍ଷ ଟିକସ ଆଦାୟ ହୋଇଥିଲା । ସେହି ସମୟରେ ୨.୧୦ ଲକ୍ଷ କୋଟିର ପରୋକ୍ଷ ଟିକସ ରାଜକୋଷକୁ ଆସିଥିଲା । ଉନ୍ନତ ଜିଏସ୍ଟି ରାଜସ୍ୱ ଅର୍ଥବ୍ୟବସ୍ଥାର ଦୃଢ଼ତାକୁ ଦର୍ଶାଇଥାଏ । ଟିକସ ସଂଗ୍ରହ ଉନ୍ନତ ଲୋକଙ୍କ କ୍ରୟ ଦମ୍ଦାର, ଫ୍ୟାକ୍ଟ୍ରି ଗୁଡ଼ିକର ଉତ୍ପାଦନ ବୃଦ୍ଧିକୁ ଦର୍ଶାଇଥାଏ ।
ଇୱାଇ ଇଣ୍ଡିଆର ଟାକ୍ସ ପାର୍ଟନର ସୌରଭ ଅଗ୍ରୱାଲ କହିଛନ୍ତି, ଟିକସ ସଂସ୍କାର ଯୋଗୁ ପରୋକ୍ଷ ଟିକସ ଆଦାୟ ସାମାନ୍ୟ ପ୍ରଭାବିତ ହୋଇଛି । ଯାହା ଚିନ୍ତାଜନକ ନୁହେଁ । ଆଗାମୀ ଦିନରେ ଏହି ସ୍ଥିତିରେ ଆହୁରି ଉନ୍ନତି ଆସିବ । ଜିଏସ୍ ଟି ୨.୦ରେ ସଂସ୍କାର ଯୋଗୁ ଅନୁପାଳନରେ ଅଟୋମେଶନ ସହ ଅନ୍ୟ ପଦକ୍ଷେପ ଟିକସ ଆଦାୟ ଧାରାକୁ ତ୍ୱରାନ୍ୱିତ କରିବ । ଡେଲଏଟ୍ ଇଣ୍ଡିଆର ପାର୍ଟନର ମହେଶ ଜୟସିଂହ କହିଛନ୍ତି, ଅର୍ଥନୀତିରେ ଅଭିବୃଦ୍ଧି ସହ ଟିକସ ବ୍ୟବସ୍ଥା ଆହୁରି ଦୃଢ଼ ହେବ ।