ଦାନ୍ତ ଘଷିବାରେ ଅଳସୁଆମି କରୁଛନ୍ତି କି ? ଆପଣଙ୍କ ହୃଦୟ ଉପରେ ମାଡ଼ି ଆସୁଛି ବଡ଼ ବିପଦ ! ଏବେକାର ବ୍ୟସ୍ତବହୁଳ ଜୀବନଶୈଳୀରେ ଆମେ ନିଜ ସ୍ୱାସ୍ଥ୍ୟର ଛୋଟ ଛୋଟ ଦିଗ ପ୍ରତି ନଜର ଦେବାକୁ ଭୁଲିଯାଉଛୁ । ବେଳେ ବେଳେ ଅନେକ ଲୋକ ବ୍ୟସ୍ତତା ବା କାମ ଚାପରେ ଦାନ୍ତ ଘଷିବା ବା ଓରାଲ୍ ହାଇଜିନ୍କୁ ଗୁରୁତ୍ୱ ଦେବାକୁ ଭୁଲିଯାନ୍ତି । ଏହି ଅବହେଳା ଆପଣଙ୍କ 'ହୃଦୟ' ପାଇଁ ମହଙ୍ଗା ପଡ଼ିପାରେ । ଜାପାନର ଏକ ସାମ୍ପ୍ରତିକ ଗବେଷଣାରୁ ଏକ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ନିକଟରେ ଟୋକିଓ ମେଡିକାଲ୍ ଆଣ୍ଡ ଡେଣ୍ଟାଲ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । 'ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଓରାଲ୍ ସାଇନ୍ସ'ରେ ପ୍ରକାଶିତ ଏହି ଷ୍ଟଡି ଅନୁଯାୟୀ, ଆମ ପାଟିରେ ଥିବା ବ୍ୟାକ୍ଟେରିଆ ଏବଂ ହାର୍ଟ ଆଟାକରୁ ସୁସ୍ଥ ହେବା ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ଷ୍ଟଡିରେ ଦର୍ଶାଯାଇଛି ଯେ, ଆମ ପାଟିରେ 'ପୋର୍ଫାଇରୋମୋନାସ୍ ଜିଞ୍ଜିଭାଲିସ୍' ନାମକ ଏକ ସାଧାରଣ ବ୍ୟାକ୍ଟେରିଆ ଥାଏ ।
ଯେଉଁମାନେ ନିୟମିତ ବ୍ରଶ୍ କରନ୍ତି ନାହିଁ, ସେମାନଙ୍କ ମାଢ଼ିରେ ଏହି ବ୍ୟାକ୍ଟେରିଆ ବଂଶବୃଦ୍ଧି କରେ ଏବଂ ରକ୍ତସ୍ରାବ ତଥା ମାଢ଼ି ଫୁଲିବାର କାରଣ ସାଜେ । କିନ୍ତୁ ସବୁଠାରୁ ଭୟାନକ କଥା ହେଉଛି, ଏହି ବ୍ୟାକ୍ଟେରିଆ କେବଳ ପାଟିରେ ସୀମିତ ରହେନାହିଁ, ବରଂ ରକ୍ତ ମାଧ୍ୟମରେ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଯାଏ । ବିଶେଷ କରି ଯେଉଁମାନଙ୍କୁ ଥରେ ହାର୍ଟ ଆଟାକ ହୋଇସାରିଛି, ସେମାନଙ୍କ ପାଇଁ ଏହା ଅଧିକ ଘାତକ ସାଜିଥାଏ । ହାର୍ଟ ଆଟାକ ପରେ ଆମ ଶରୀର ନିଜକୁ ନିଜେ ଠିକ୍ କରିବା ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରେ, ଯାହାକୁ ବୈଜ୍ଞାନିକ ଭାଷାରେ 'ଅଟୋଫ୍ୟାଗି' କୁହାଯାଏ । ଏହି ପ୍ରକ୍ରିୟାରେ ହୃଦୟର କୋଷଗୁଡ଼ିକ ନିଜ ଭିତରେ ଥିବା ଖରାପ ଅଂଶକୁ ସଫା କରି ପୁଣି ସୁସ୍ଥ ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ପାଟିରୁ ଯାଇଥିବା ସେହି ବ୍ୟାକ୍ଟେରିଆ 'ଜିଞ୍ଜିପେନ୍' ନାମକ ଏକ ବିଷାକ୍ତ ପ୍ରୋଟିନ୍ ଛାଡ଼େ ।
ଏହି ଜିଞ୍ଜିପେନ୍ କ’ଣ କରେ ଜାଣନ୍ତି ? ଏହା ହୃଦୟର ସେହି ସ୍ୱାଭାବିକ 'ଅଟୋଫ୍ୟାଗି' ପ୍ରକ୍ରିୟାକୁ ରୋକିଦିଏ । କୋଷ ଭିତରେ ମଇଳା ଓ ଖରାପ ପଦାର୍ଥ ଜମା ହୋଇ ରହେ । ଫଳରେ ହୃଦୟ ନିଜକୁ ମରାମତି କରିପାରେ ନାହିଁ ଏବଂ ପୂର୍ବ ଅପେକ୍ଷା ଅଧିକ ଦୁର୍ବଳ ହୋଇଯାଏ । ବୈଜ୍ଞାନିକମାନେ ଏହାକୁ ପ୍ରମାଣ କରିବା ପାଇଁ ମୂଷାମାନଙ୍କ ଉପରେ ଏକ ପ୍ରୟୋଗ କରିଥିଲେ । ଯେଉଁ ମୂଷାଙ୍କ ଦେହରେ ସାଧାରଣ ବ୍ୟାକ୍ଟେରିଆ ଥିଲା, ସେମାନଙ୍କ ହାର୍ଟ ଆଟାକ ପରେ ହୃଦୟର ମରାମତି ପ୍ରକ୍ରିୟା ବହୁତ ଧୀମା ହୋଇଯାଇଥିଲା ଏବଂ କ୍ଷତିର ମାତ୍ରା ଅଧିକ ଥିଲା । ଅନ୍ୟପଟେ, ଜିଞ୍ଜିପେନ୍ ମୁକ୍ତ ବ୍ୟାକ୍ଟେରିଆ ଥିବା କୋଷଗୁଡ଼ିକ ବେଶ୍ ଶୀଘ୍ର ସୁସ୍ଥ ହୋଇଥିଲେ । ଏଥିରୁ ବର୍ତ୍ତିବାର ଉପାୟ କ’ଣ ଜାଣିନିଅନ୍ତୁ । ଯଦି ଆପଣ ଭାବୁଛନ୍ତି ଯେ କେବଳ ଜିମ୍ ଯିବା ବା ଡାଏଟ୍ କରିବା ଦ୍ୱାରା ହୃଦୟ ସୁସ୍ଥ ରହିବ, ତେବେ ଆପଣ ଭୁଲ୍ ଭାବୁଛନ୍ତି । ଡାକ୍ତରଙ୍କ ପରାମର୍ଶ ହେଉଛି ଦିନକୁ ଦୁଇଥର ବ୍ରଶ୍ କରନ୍ତୁ, ବିଶେଷ କରି ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଦାନ୍ତ ଫ୍ଲସିଂ କରନ୍ତୁ ଅର୍ଥାତ୍ ଦାନ୍ତ ସନ୍ଧିରେ ଜମିଥିବା ବ୍ୟାକ୍ଟେରିଆକୁ ସଫା ରଖନ୍ତୁ । ଯଦି ମାଢ଼ିରୁ ରକ୍ତ ପଡ଼ୁଛି ବା ଦୁର୍ଗନ୍ଧ ହେଉଛି, ତେବେ ତୁରନ୍ତ ଡେଣ୍ଟିଷ୍ଟଙ୍କ ସହ ପରାମର୍ଶ କରନ୍ତୁ । ମନେରଖନ୍ତୁ, ଆପଣଙ୍କ ପାଟିର ସ୍ୱାସ୍ଥ୍ୟ ହେଉଛି ଆପଣଙ୍କ ହୃଦୟର ଆଇନା । ତେଣୁ ସଚେତନ ରହନ୍ତୁ ଏବଂ ନିଜ ହୃଦୟକୁ ସୁରକ୍ଷିତ ରଖନ୍ତୁ ।
ଆହୁରି ପଢ଼ନ୍ତୁ... ତରଭୁଜ ସହ ଭୁଲ୍ରେ ବି ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ; ଫାଇଦା ବଦଳରେ ହୋଇପାରେ ବଡ଼ କ୍ଷତି !