ନୂଆଦିଲ୍ଲୀ, ୬।୫: ଗ୍ରୀଷ୍ମ ଋତୁ ଆସିଲେ ବଜାରରେ ତରଭୁଜର ଚାହିଦା ବଢ଼ିଯାଏ । ଶରୀରକୁ ଥଣ୍ଡା ରଖିବା ଏବଂ ଜଳୀୟ ଅଂଶର ଅଭାବ ଦୂର କରିବାରେ ଏହା ଏକ ପ୍ରକୃଷ୍ଟ ଫଳ । କିନ୍ତୁ ଆପଣ ଜାଣନ୍ତି କି, ଅମୃତ ସମାନ ଏହି ତରଭୁଜ କିଛି ଖାଦ୍ୟ ପଦାର୍ଥ ସହ ମିଶିଲେ ଶରୀର ପାଇଁ ବିଷ ସଦୃଶ ହୋଇପାରେ ? ଅଜାଣତରେ ଆମେ ତରଭୁଜ ସହ ଏପରି କିଛି ଜିନିଷ ଖାଇଦେଇଥାଉ, ଯାହା ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା, ଗ୍ୟାସ୍ ଏବଂ ଏସିଡିଟିର କାରଣ ସାଜିଥାଏ । ଆୟୁର୍ବେଦ ଅନୁଯାୟୀ, ତରଭୁଜର ପ୍ରକୃତି ଏବଂ ଏହାର ହଜମ ପ୍ରକ୍ରିୟା ଅନ୍ୟ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା । ଏହା ଖୁବ୍ ଶୀଘ୍ର ହଜମ ହୋଇଯାଉଥିବା ବେଳେ ଅନ୍ୟ କିଛି ଖାଦ୍ୟ ହଜମ ହେବାକୁ ସମୟ ନେଇଥାଏ । ଫଳରେ ଶରୀରର ହଜମ ପ୍ରକ୍ରିୟାରେ ଅସନ୍ତୁଳନ ଦେଖାଦିଏ । ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ତରଭୁଜ ସହ ଖାଇବା ଅନୁଚିତ୍ ।

୧. କ୍ଷୀର ଓ ତରଭୁଜ: ଏକ ମାରାତ୍ମକ ମିଶ୍ରଣ

ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ତରଭୁଜ ଖାଇବା ପରେ କିମ୍ବା ତରଭୁଜ ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ତରଭୁଜ ଶୀଘ୍ର ହଜମ ହେଉଥିବା ବେଳେ କ୍ଷୀର ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ଯଦି ଏହି ଦୁଇଟିକୁ ଏକାଠି ଗ୍ରହଣ କରାଯାଏ, ତେବେ ପେଟରେ ଗ୍ୟାସ୍, ଏସିଡିଟି ଏବଂ ପେଟ ଭାରି ଲାଗିବା ଭଳି ସମସ୍ୟା ଉପୁଜିଥାଏ ।

୨. ଦହି ସହ ତରଭୁଜରୁ ଦୂରେଇ ରୁହନ୍ତୁ

ଅନେକ ଲୋକ ଫ୍ରୁଟ୍ ସାଲାଡ୍ରେ ଦହି ଏବଂ ତରଭୁଜ ମିଶାଇ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଏହା ଶରୀରରେ 'ଥଣ୍ଡା-ଗରମ' ଅସନ୍ତୁଳନ ସୃଷ୍ଟି କରିଥାଏ । ଏହାଦ୍ୱାରା ଥଣ୍ଡା-କାଶ, ଗଳାରେ ଯନ୍ତ୍ରଣା ଏବଂ ହଜମ ଜନିତ ସମସ୍ୟା ଦେଖାଦେଇପାରେ । ବିଶେଷ କରି ଯେଉଁମାନଙ୍କର ହଜମ ଶକ୍ତି ଦୁର୍ବଳ, ସେମାନେ ଏଥିପ୍ରତି ସତର୍କ ରହିବା ଉଚିତ୍ ।

୩. ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ

ତରଭୁଜ ଖାଇବା ସମୟରେ କିମ୍ବା ଏହାର ତୁରନ୍ତ ପରେ ଭଜାବୁଜା ବା ତେଲିଆ ଖାଦ୍ୟ ଖାଇବା ଅନୁଚିତ୍ । ତେଲିଆ ଖାଦ୍ୟରେ ଥିବା ଫ୍ୟାଟ୍ ଏବଂ ତରଭୁଜରେ ଥିବା ଜଳୀୟ ଅଂଶ ମଧ୍ୟରେ ତାଳମେଳ ରହେ ନାହିଁ । ଫଳରେ ପେଟ ଫୁଲିବା ଏବଂ ବଦହଜମି ଭଳି ସମସ୍ୟା ହୋଇଥାଏ ।

୪. ଥଣ୍ଡା ପାଣି ବା କୋଲ୍ଡ ଡ୍ରିଙ୍କସ୍

ତରଭୁଜ ଖାଇ ସାରିବା ପରେ ତୁରନ୍ତ ବରଫ ପାଣି ବା କୋଲ୍ଡ ଡ୍ରିଙ୍କସ୍ ପିଇବା ଜମା ବି ଉଚିତ୍ ନୁହେଁ । ଏହା ହଜମ ପ୍ରକ୍ରିୟାକୁ ଧୀମା କରିଦିଏ । ବିଶେଷଜ୍ଞଙ୍କ ମତରେ ତରଭୁଜ ଖାଇବାର ଅତିକମରେ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାଣି ପିଇବା ଉଚିତ୍ ନୁହେଁ । ତରଭୁଜକୁ ଖାଇବା ବେଳେ ତା ସହ ଅନ୍ୟ କୌଣସି ଖାଦ୍ୟ ଖାଆନ୍ତୁନି । ଏହାକୁ ଖାଇବାର କିଛି ସମୟ ପୂର୍ବରୁ କିମ୍ବା ପରେ ଅନ୍ୟ କୌଣସି ଭାରି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଯଦି ଆପଣଙ୍କର ପୂର୍ବରୁ କୌଣସି ପେଟ ରୋଗ ଅଛି, ତେବେ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।