ନୂଆଦିଲ୍ଲୀ, ୨୫।୬: ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ସହ ଜଡ଼ିତ ଏକ ଜିମ୍ ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି । ଦିଲ୍ଲୀ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ର ଏନକାଉଣ୍ଟର ପରେ ଦୁଇ ଜଣ ମୁଖ୍ୟ ସୁଟରଙ୍କୁ ଗିରଫ କରିଛି । ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ, ଯାହାର ଜବାବରେ ପୁଲିସର ପାଲଟା ଗୁଳି ମାଡ଼ରେ ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କ ନିକଟରୁ ପାକିସ୍ତାନ ନିର୍ମିତ ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସମ୍ପର୍କ:
ଗିରଫ ହୋଇଥିବା ଦୁଇ ମୁଖ୍ୟ ସୁଟର ହେଉଛନ୍ତି ହରିୟାଣାର ସୋନିପତ ବାସିନ୍ଦା ହକିକତ ଏବଂ ସାଗର । ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦୁଇଜଣ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ‘ଅନିଲ ପଣ୍ଡିତ ମଡ୍ୟୁଲ୍’ ସହ ସମ୍ପୃକ୍ତ ଅଛନ୍ତି । ଗୁଳି ବାଜିବା ପରେ ଉଭୟଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କୁ ଜେରା ଜାରି ରହିଛି । ଦିଲ୍ଲୀ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ କୁ ଗୁପ୍ତ ସୂଚନା ମିଳିଥିଲା ଯେ, ଦୁଇ ଅଭିଯୁକ୍ତ ପଶ୍ଚିମ ବିହାର ଅଞ୍ଚଳରେ ବୁଲାବୁଲି କରୁଛନ୍ତି ଏବଂ ସେମାନେ ଅନ୍ୟ କୌଣସି ବଡ଼ ଅପରାଧିକ ଘଟଣା ଘଟାଇବା ପାଇଁ ଯୋଜନା କରୁଛନ୍ତି । ସୂଚନା ପାଇ ପୁଲିସ ଟିମ୍ ସେହି ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ଗିରଫଦାରୀ ଏଡ଼ାଇବା ପାଇଁ ହକିକତ ଏବଂ ସାଗର ପୁଲିସ ଉପରକୁ ଅତର୍କିତ ଗୁଳିବର୍ଷଣ କରିଥିଲେ । ପୁଲିସ ନିଜର ଆତ୍ମରକ୍ଷା ପାଇଁ ପାଲଟା ଜବାବରେ ଗୁଳି ଚଳାଇଥିଲା, ଯେଉଁଥିରେ ଉଭୟ ସୁଟରଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେମାନେ ଧରାପଡ଼ିଥିଲେ ।
ଏହା ବି ପଢ଼ନ୍ତୁ... Emergency 1975 : ଏମର୍ଜେନ୍ସିକୁ ୫୧ ବର୍ଷ : ୧୯୭୫ ଜୁନ୍ ୨୫ରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି
କାହିଁକି ହୋଇଥିଲା ଗୁରୁ ରନ୍ଧାୱାଙ୍କ ଜିମ୍ ଉପରେ ଗୁଳିମାଡ଼ ?
ଗତ ଜୁନ୍ ୧୧ ତାରିଖ ସକାଳ ପ୍ରାୟ ୪ଟା ସମୟରେ ପଶ୍ଚିମ ବିହାର ସ୍ଥିତ ’24HS ଫିଟନେସ୍ ଜିମ୍’ ବାହାରେ ଏହି ଗୁଳିକାଣ୍ଡ ଘଟିଥିଲା । ଏହି ଜିମ୍ଟି ଗାୟକ ଗୁରୁ ରନ୍ଧାୱାଙ୍କ ସହ ଜଡ଼ିତ ବୋଲି କୁହାଯାଉଛି । ବାଇକରେ ଆସିଥିବା ଦୁର୍ବୃତ୍ତମାନେ ଜିମ୍ ବାହାରେ କ୍ରମାଗତ ଭାବେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ କେହି ଆହତ କିମ୍ବା ନିହତ ହୋଇନଥିଲେ । ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅନିଲ ପଣ୍ଡିତ ନାମକ ଜଣେ ଅପରାଧୀ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା । ଏହି ମାମଲାରେ ପୁଲିସ ପୂର୍ବରୁ ହରିୟାଣାର ବାହାଦୁରଗଡ଼ରୁ ଆରମାନ ଏବଂ ତୁଷାର ନାମକ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ସମ୍ପୂର୍ଣ୍ଣ ଗୁଳିକାଣ୍ଡର ବ୍ଲୁ-ପ୍ରିଣ୍ଟ ଏବଂ ଷଡ଼ଯନ୍ତ୍ର ଗ୍ୟାଙ୍ଗର ଉପରିସ୍ଥ ନେତାଙ୍କ ନିର୍ଦ୍ଦେଶରେ କରାଯାଇଥିଲା । ଏବେ ଏହି ଦୁଇ ଜଣ ମୁଖ୍ୟ ସୁଟର ଗିରଫ ହେବା ପରେ ପୁଲିସ ଏହି ନେଟୱର୍କର ଅନ୍ୟ ଫେରାର ସଦସ୍ୟଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।