ଢେଙ୍କାନାଳ,୨୫/୦୬: ଖରାଛୁଟି ସରି ସ୍କୁଲ୍ ଖୋଲିଲାଣି । ସବୁଠି ପାଠପଢ଼ା ଆଗେଇଲାଣି । ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବଣିଆପଡ଼ା ଉପ୍ରା ବିଦ୍ୟାଳୟରେ ଛୁଟି ଖୋଲିବାର ୬ ଦିନ ପରେ ବି ତାଲା ଝୁଲୁଛି । ସ୍କୁଲ୍ରେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଫଳରେ ପ୍ରତିଦିନ ପିଲା ସ୍କୁଲ୍ ଯାଇ ନିରାଶରେ ଫେରୁଛନ୍ତି ।
ସରକାର ଶିକ୍ଷାର ଉନ୍ନତି ପାଇଁ ମାଗଣା ପାଠ୍ୟପୁସ୍ତକ ସାଙ୍ଗକୁ ମଧ୍ୟାହ୍ନଭୋଜନ, ୟୁନିଫର୍ମ, ଜୋତା ଆଦି ଯୋଗାଇ ଦେଉଛନ୍ତି । ନିକଟରେ ରାଜ୍ୟ ସରକାର ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ କେଜିଠୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥା ମଧ୍ୟ ଘୋଷଣା କରିଛନ୍ତି । ହେଲେ ବଣିଆପଡ଼ା ଉପ୍ରା ବିଦ୍ୟାଳୟର ଚିତ୍ର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ସେ ଗତ ମେ ମାସରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ପରେ ବିଦ୍ୟାଳୟକୁ ନୂତନ ଶିକ୍ଷକ ନିଯୁକ୍ତ କରାଯାଇନଥିବାରୁ ସ୍କୁଲ ସମ୍ପୂର୍ଣ୍ଣ ଶିକ୍ଷକ ଶୂନ୍ୟ ହୋଇପଡ଼ିଛି । ଫଳରେ ଖରାଛୁଟି ଖୋଲିବା ପରଠାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ।
ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ୍ ପୋରୁହଖୋଜ ପଞ୍ଚାୟତ ବଣିଆପଡ଼ା ଗ୍ରାମରେ ଥିବା ଅନନ୍ତେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ବିଦ୍ୟାଳୟ । ଏଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହିଛି । ଚଳିତ ଶିକ୍ଷାବର୍ଷରେ ଏହି ଦୁଇ ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ନିକଟସ୍ଥ ଦଣ୍ଡେଇବେରେଣି ଓ ବଣିଆପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଉଚ୍ଚ ଶ୍ରେଣୀରେ ପଢ଼ିବାକୁ ହେଲେ ଏହି ଉପ୍ରା ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ସେହି ହିସାବରେ ପିଲାମାନେ ପାଠ ପଢ଼ିବା ପାଇଁ ନାମ ଲେଖାଇଛନ୍ତି । କିନ୍ତୁ ଶିକ୍ଷକ ନ ଥିବାରୁ ଏଠାରେ ପାଠପଢ଼ା ହୋଇପାରୁନାହିଁ ।
ଖରାଛୁଟି ଶେଷ ହେବା ପରେ ଢେଙ୍କାନାଳ ଜିଲ୍ଲାରେ ଗତ ୧୮ ତାରିଖରୁ ସମସ୍ତ ସରକାରୀ ବିଦ୍ୟାଳୟ ଖୋଲି ସ୍ୱାଭାବିକ ଭାବେ ପାଠପଢ଼ା ଚାଲିଛି । ମାତ୍ର ବଣିଆପଡ଼ା ଅନନ୍ତେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି । ଛୁଟି ଖୋଲିବା ପରଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଝୁଲୁଛି । ଏହାର କାରଣ ହେଉଛି, ପାଠ ପଢ଼ାଇବା ପାଇଁ ସ୍କୁଲ୍ରେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଏଥିପୂର୍ବରୁ ଏଠାରେ କାର୍ଯ୍ୟରତ ଶିକ୍ଷକ ଲଳିତ କିଶୋର ପଣ୍ଡା ଗତ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଏହାପରେ ଏଠାରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ଏଭଳି ସମସ୍ୟା ଉପୁଜିଛି । ଛାତ୍ରଛାତ୍ରୀ ଦୈନିକ ବିଦ୍ୟାଳୟକୁ ଯାଇ ତାଲା ପଡି଼ଥିବା ଦେଖି ନିରାଶରେ ଫେରୁଛନ୍ତି । ଅନ୍ୟ ସମସ୍ତ ବିଦ୍ୟାଳୟର ପିଲା ସ୍ୱାଭାବିକ ଭାବେ ପାଠପଢ଼ା ଚାଲୁ ରଖିଥିବାବେଳେ ବଣିଆପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ :- Textbook errors : ଶିକ୍ଷକଙ୍କ ପାଖେ ପହଞ୍ଚିନି ସଂଶୋଧିତ ପୁସ୍ତିକା, ତ୍ରୁଟି ସୁଧାରିବାକୁ ସାର୍ ଅମଙ୍ଗ
ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଅଭିଭାବକ ମୀନତି ରାଉତ, ବିକାଶ କୁମାର ପଣ୍ଡା ପ୍ରମୁଖ କହିଛନ୍ତି, ଆମ ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ସମସ୍ତ ବିଦ୍ୟାଳୟର ପିଲାମାନେ ଖରା ଛୁଟି ପରେ ପାଠ ପଢ଼ିଲେଣି । ମାତ୍ର ଆମ ପିଲା ଆଜି ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ କରିପାରିନାହାନ୍ତି । ସେମାନଙ୍କ ଭବିଷ୍ୟତ ନେଇ ଆମେ ଚିନ୍ତାରେ ରହିଛୁ । ନୂଆ ଶିକ୍ଷକ ଆସିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ପିଲାମାନେ ପାଠପଢ଼ାରେ ବହୁତ ପଛରେ ପଡ଼ିବେ ବୋଲି ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।
ଗ୍ରାମରେ ଏ ନେଇ ବୈଠକ ବସିଛି । ଗୁରୁବାର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯିବ । ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟକୁ ବଣିଆପଡ଼ା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଆଲୋଚନା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମର ବାସିନ୍ଦା ତଥା ଗଁଦିଆ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂ କହିଛନ୍ତି ।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରି ପାଠପଢ଼ା ସ୍ୱାଭାବିକ କରାଯାଉ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର କହିଛନ୍ତି, ବିଦ୍ୟାଳୟ ଖୋଲୁ ନ ଥିବା କିମ୍ବା ଆଦୌ ଶିକ୍ଷକ ନ ଥିବା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ତରଫରୁ ମୋ ନଜରକୁ ଅଣାଯାଇନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଖୁବ୍ଶୀଘ୍ର ଏହା ଉପରେ ଦୃଷ୍ଟି ଦିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।