ସୁନ୍ଦରଗଡ଼, ୨୫/୦୬ : ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକା, କିଶୋରୀ ଗର୍ଭଧାରଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । କଅଁଳ ବୟସରେ କୁଆଁ କୁଆଁ ବୋଝ ହେଉଛି । ଗତ ୩ ବର୍ଷରେ ୧୫ରୁ କମ ବୟସର ୧୧୧ଜଣ ନାବାଳିକା ଗର୍ଭ ଧାରଣ କରିଥିବା ବେଳେ ୧୫ରୁ ୧୯ ବର୍ଷ ବୟସର ୩୧୩୭ ଜଣ କିଶୋରୀ ଗର୍ଭଧାରଣ କରିଥିବା ସରକାରୀ ରିପୋର୍ଟ କହୁଛି । ଏ ସ୍ଥିତିରେ ମାଆ ଶିଶୁଙ୍କ ଅବସ୍ଥା ବିପଦଜନକ ହୋଇପଡୁଛି। ଆଦିବାସୀ ବହୁଳ ଏହି ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ୧୮ ବର୍ଷ ପୂର୍ବରୁ ବାହାଘର ଏବେ ବି ଚାଲିଛି । ଗରିବ ବାପା ମାଆ ଝିଅକୁ ବୋଝ ଭାବି ଶୀଘ୍ର ହାତରୁ ଦି' ହାତ କରି ଦେଉଛନ୍ତି। ବିବାହ ବୟସକୁ ଅପେକ୍ଷା କରୁ ନାହାନ୍ତି । ଏମାନେ ବିବାହର ଅତି କମ୍‌ ଦିନରେ ଗର୍ଭଧାରଣ କରୁଛନ୍ତି । ବିଭିନ୍ନ କାରଣରୁ ଅନେକ ଝିଅ ଅଷ୍ଟମ ପରେ ସ୍କୁଲ ଛାଡୁଛନ୍ତି । ଦୁର୍ଗମ ଅଞ୍ଚଳରେ ଦୂର ସ୍କୁଲ ଓ ଅସୁରକ୍ଷିତ ରାସ୍ତାରେ ସ୍କୁଲ ଯିବାକୁ ରାଜି ହେଉ ନାହାନ୍ତି । ଅନେକ ଘରେ ଛୋଟ ଭାଇଭଉଣୀଙ୍କୁ ସମ୍ଭାଳିବା ପାଇଁ ସ୍କୁଲ ଛାଡୁଛନ୍ତି । ସ୍କୁଲରୁ ବାହାରିଲେ ସମ୍ପର୍କ, ବାହାଘର, ଗର୍ଭ ସମ୍ଭାବନା ଅଧିକ ରହୁଛି । ବାପା ମା’ ଇଟାଭାଟି କି ଅନ୍ୟ କାମକୁ ଗଲେ ଝିଅ ଏକୁଟିଆ ଘରେ ବା ସାଙ୍ଗ ସହ ରହୁଛନ୍ତି । ଅଭିଭାବକଙ୍କ ନଜର ନ ଥାଏ । ଫଳରେ ପ୍ରେମ ସମ୍ପର୍କ, ଯୌନ ଶୋଷଣ ବଢୁଛି । ସ୍କୁଲ, କଲେଜ ଛାତ୍ରୀ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ଅନେକ ଛାତ୍ରୀ ଗର୍ଭଧାରଣ କରିବାର ଅଭିଯୋଗ ରହିଛି ।

ଗରିବ ପରିବାରର ଅପ୍ରାପ୍ତ ବୟସର ଝିଅକୁ ଟଙ୍କା ମୋବାଇଲ ବିଭିନ୍ନ ଲୋଭ ଦେଖାଇ ସମ୍ପର୍କ ରଖାଯାଉଛି । ଅନେକେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖି ଗର୍ଭଧାରଣ ପରେ ପୁଅମାନେ ଛାଡି ପଳାଉଛନ୍ତି । ବିଭିନ୍ନ ଥାନାରେ ଏପରି ସଂଖ୍ୟାଧିକ ଅଭିଯୋଗ ଆସିବାରେ ଲାଗିଛି । ୧୫-୧୯ବର୍ଷ ମାଆଙ୍କ ଶରୀର ଗର୍ଭ ପାଇଁ ପ୍ରସ୍ତୁତ ନୁହେଁ । ସୁନ୍ଦରଗଡ଼ରେ ମାତୃ ମୃତ୍ୟୁର ୨୮% କେସ୍‌ ୧୯ ବର୍ଷରୁ କମ୍‌ ବୟସର ରହୁଛି । କମ ବୟସ ମାଆଙ୍କ ପିଲା କମ ଓଜନ, କୁପୋଷଣରେ ଜନ୍ମ ହେଉଛନ୍ତି । ଅବାଞ୍ଛିତ ଗର୍ଭ ଧାରଣ କରୁଥିବା ଝିଅ ପ୍ରାୟତଃ କ୍ୱାକ ପାଖରେ ଗର୍ଭପାତ କରାଉ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହୁଛି । ଜିଲ୍ଲାରେ ଯୌନ ଶିକ୍ଷା ଅଭାବ ରହୁଛି । ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରହିଛି । ଏଥିରେ ମାଗଣା ପରାମର୍ଶ, ଆଇରନ ବଟିକା, ସାନିଟାରୀ ପ୍ୟାଡ ପ୍ରଦାନର ବ୍ୟବସ୍ଥା ରହିଛି । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପ୍ରତି ମାସ ୪ଟି ଶନିବାର କିଶୋରୀ ବାଳିକା କାର୍ଯ୍ୟକ୍ରମ ହେଉଛି । ଗ୍ରାମର ୧୦ରୁ ୧୯ ବର୍ଷ ବୟସର ବାଳିକାମାନଙ୍କୁ ୧୨ ମାସରେ ୧୨ଟି ବିଷୟ ଉପରେ ସଚେତନର ବ୍ୟବସ୍ଥା ଅଛି । ସେହିପରି ଆଶା କର୍ମୀମାନେ ଗ୍ରାମର କିଶୋରୀମାନଙ୍କୁ ନେଇ ସ୍ୱତନ୍ତ୍ର ସଚେତନତାର କାର୍ଯ୍ୟକ୍ରମ ରହିଛି । ତେବେ ସେମାନେ ଠିକ ଭାବେ ଏହାର ଅନୁପାଳନ କରୁ ନାହାନ୍ତି । ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଯୁଗ୍ମ କାର୍ଯ୍ୟକ୍ରମ ହେଉ ନ ଥିବାରୁ ଏହା ସୁଫଳ ହେଉ ନାହିଁ । ଯୌନ ଶିକ୍ଷା ଅଭାବରୁ ଅନେକ ଝିଅ ଏ ନେଇ ଅନ୍ଧାରରେ ରହୁଛନ୍ତି । ଅନେକ କିଶୋରୀ ବାଳିକାଙ୍କ ଗର୍ଭ ଧାରଣ ନେଇ ନିଜେ ସ୍ଥାନୀୟ ଆଶା କି ଅଙ୍ଗନବାଡି କର୍ମୀ ଅଜ୍ଞ ରହିବା ଭଳି ନଜିର ରହିଛି । ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ ଉଭୟ ସରକାରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଚାଲିଛି । ତଥାପି ଏହା ବନ୍ଦ ହେଉ ନାହିଁ ।

ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ବାଲ୍ୟ ବିବାହ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ସମବେଦନା ଜଣାଇବା ଏକାଧିକ ନଜିର ରହିଛି । ଏସ୍ଥିତିରେ ଜିଲ୍ଲାରେ କିଶୋରୀ ଗର୍ଭଧାରଣ ବୃଦ୍ଧି ପାଇବାରେ ଲାଗିଛି । ୨୦୨୩-୨୪ରେ ୧୫ରୁ କମ ବୟସର ୪୫ ଜଣ ଓ ୧୫ରୁ ୧୯ ବର୍ଷର ୧୧୫୮ ଜଣ, ୨୦୨୪-୨୫ରେ ୧୫ରୁ କମ ବୟସର ୪୫ ଜଣ ଓ ୧୫ରୁ ୧୯ ବର୍ଷର ୯୪୬ ଜଣ ଏବଂ ୨୦୨୫- ୨୬ରେ ୧୫ରୁ କମ ବୟସର ୨୧ ଜଣ ଓ ୧୫ରୁ ୧୯ ବର୍ଷର ୧୦୩୩ ଜଣ କିଶୋରୀ ଗର୍ଭ ଧାରଣ କରିଥିବା ସରକାରୀ ରିପୋର୍ଟ କହୁଛି । ଏପରି ଗର୍ଭ ଧାରଣ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟ ହାର ଠାରୁ ଅଧିକ ରହିଥିବା ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଜିଲ୍ଲାରେ ଟିନ୍‌ ଏଜ୍‌ ପ୍ରେଗନାନସି ବେଶ୍‌ ଚିନ୍ତାଜନକ ଅଟେ । ଏହାକୁ ରୋକିବାକୁ ସମସ୍ତଙ୍କ ସହଯୋଗଙ୍କ ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ- ଶିକ୍ଷକଙ୍କ ପାଖେ ପହଞ୍ଚିନି ସଂଶୋଧିତ ପୁସ୍ତିକା, ତ୍ରୁଟି ସୁଧାରିବାକୁ ସାର୍ ଅମଙ୍ଗ

ପିଲାଙ୍କ ପେଟକୁ ଦାନା ନଦେଇ ପାରି ହାତ ଟେକିଦେଲେ ବାପା, ଭୋକର ଜ୍ବାଳା ଆଗରେ ନୁଆଁଇଲେ ମୁଣ୍ଡ​​​​​​​