ମୁମ୍ଵାଇ, ୧୭/୧୨ : ଦୀର୍ଘ ୨୨ ବର୍ଷ ପୂର୍ବେ ଅଚାନକ ଗାଏବ ହୋଇଯାଇଥିଲେ ମୁମ୍ଵାଇର ହମିଦା ବାନୋ। ସବୁଆଡ଼େ ଖୋଜାଖୋଜି କଲେ ପରିବାର ଲୋକେ। ହେଲେ ହମିଦାଙ୍କର ମିଳିଲାନି ଖୋଜ ଖବର। ଏତେ ବର୍ଷ ଭିତରେ ଆଶା ଛାଡି ଦେଇଥିଲେ ପରିବାର ଲୋକେ। ଦିନେ ହଠାତ୍ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଲା। ଆଉ ଭିଡିଓରେ ନଜର ଆସିଲେ ହମିଦା। ବୁଝୁ ବୁଝୁ ଜଣାପଡ଼ିଲା ପାକିସ୍ତାନରେ ଫସିଛନ୍ତି ହମିଦା... ହଁ ଆଜ୍ଞା, କୌଣସି ଫିଲ୍ମ ଠୁ କମ୍ ନୁହେଁ ଏହି କାହାଣୀ...
୨୦୦୨ ମସିହାର ଘଟଣା। ସ୍ଵାମୀଙ୍କ ଯିବା ପରେ ଏକା ହୋଇଯାଇଥିଲେ ମୁମ୍ଵାଇର କୁର୍ଲାରେ ରହୁଥିବା ହମିଦା ବାନୋ। ମୁଣ୍ଡ ଉପରେ ଥିଲା ପରିବାରର ବୋଝ। ଗୁଜୁରାଣ ମେଣ୍ଟାଇବାକୁ ଦୁବାଇରେ ଚାକିରି କରିବାକୁ ନିଷ୍ପତ୍ତି ନେଲେ ହମିଦା। କାରଣ ପୂର୍ବରୁ ସେ ଦୋହା, କତାର, ଦୁବାଇ ଏବଂ ସାଉଦିରେ କରିଥିଲେ କୁକ୍ର କାମ। ଏହାପରେ ଚାକିରି କରିବା ପାଇଁ ଏକ ରିକ୍ରୁଟମେଣ୍ଟ ଏଜେଣ୍ଟ ସହ ଯୋଗାଯୋଗ କଲେ ହମିଦା। ଚାକିରି ଦେବା ନାଁରେ ହମିଦାଙ୍କ ଠାରୁ ୨୦ ହଜାର ଟଙ୍କା ନେଲା ସଂସ୍ଥା। ହେଲେ ଦୁବାଇରେ ଚାକିରି ଦେବା ବଦଳରେ ତାଙ୍କୁ ପାକିସ୍ତାନ ପଠାଇଦେଲା ଏଜେଣ୍ଟ। ବହୁ ଦିନ ପର୍ଯ୍ୟନ୍ତ ହମିଦାଙ୍କ ଫୋନ ନଆସିବାରୁ ଏଜେଣ୍ଟକୁ ପଚରାଉଚରା କଲେ ପରିବାର ଲୋକେ। ହେଲେ ହମିଦା ଆଉ କଥା ହେବାକୁ ଚାହୁଁ ନଥିବା କହିଥିଲା ଏଜେଣ୍ଟ।
ସେପଟେ ପାକିସ୍ତାନ ଯିବା ପରେ ହସହାୟ ହୋଇପଡିଥିଲେ ହମିଦା। ଏହି ସମୟରେ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ କରାଚିରେ ଜଣେ ବ୍ୟକ୍ତି। ଅନ୍ୟ କିଛି ରାସ୍ତା ନପାଇ ଦ୍ଵିତୀୟ ବିବାହ କଲେ ହମିଦା। ହେଲେ ପୁଣି ଦାଉ ସାଧିଲା ଦଇବ। ଆରପାରିକୁ ଚାଲିଗଲେ ସ୍ଵାମୀ। ଏକ ମଦରାସା ବାହାରେ ଟଫି ବିକ୍ରି କରି କଷ୍ଟେ ମଷ୍ଟେ ଚଳୁଥିଲେ ସେ। ଏତେ ବର୍ଷ ଭିତରେ ଭାରତ ଫେରିବା ଆଶା ଛାଡି ଦେଇଥିଲେ ସେ। ଦିନେ ତାଙ୍କ କାହାଣୀ ଜାଣିବା ପରେ ହମିଦାଙ୍କର ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କରାଚି ମସଜିଦ୍ର ଇମାମ ୱଲିଉଲ୍ଲାହ ମାରୁଫ। ପରେ ଏହି ଭିଡିଓ ଦେଖି ସେୟାର କରିଥିଲେ ଭାରତର ଜଣେ ସାମ୍ବାଦିକ ଖଲଫାନ ଶେଖ। ଯାହାପରେ ହମିଦାଙ୍କ ବିଷୟରେ ଜାଣି ପାରିଥିଲେ ପରିବାର ଲୋକେ।
ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ହମିଦାଙ୍କୁ ଭାରତ ପଠାଇବା ବ୍ୟବସ୍ଥା କରିଥିଲେ ପାକିସ୍ତାନ ସରକାର। ଶେଷରେ ଅଟାରୀ ବର୍ଡର ଦେଇ ସୋମବାର ସ୍ଵଦେଶ ଫେରିଛନ୍ତି ସେ। ଦୀର୍ଘ ୨୨ ବର୍ଷ ପରେ ନିଜ ପୁଅ ୟାସମିନ ଏବଂ ପ୍ରବୀଣଙ୍କୁ ପାଖରେ ପାଇ ଭାବବିହ୍ଵଳ ହୋଇପଡିଛନ୍ତି ହମିଦା। ଆଖିରୁ ଝରି ପଡିଛି ଆନନ୍ଦର ଅଶ୍ରୁ।