ଭୁବନେଶ୍ଵର : ସଙ୍କଟ ମୋଚନକାରୀ ହନୁମାନ୍ ସର୍ବପ୍ରିୟ ଦେବତା । ସେ ଚିରଞ୍ଜୀବୀ । ଏହି କଳିଯୁଗରେ ମଧ୍ୟ ହନୁମାନ୍ ସ୍ୱଶରୀରରେ ଗୁପ୍ତ ଭାବେ ନିବାସ କରୁଛନ୍ତି । ଭକ୍ତର ପ୍ରାର୍ଥନା ମାତ୍ରେ ତା’ର ସଂକଟ ହରଣ କରିବାକୁ ହନୁମାନ୍ ସୂକ୍ଷ୍ମ ଶରୀରରେ ସେଠାରେ ଉପସ୍ଥିତ ହୁଅନ୍ତି । ଏପରି ବିଶ୍ୱାସ ରହିଛି । ତେବେ ହନୁମାନ୍ଙ୍କ ସେହି ଗୋପନ ଦିବ୍ୟ ନିବାସ ସ୍ଥଳ କେଉଁଠି?
ପୁରାଣ ଶାସ୍ତ୍ର ଅନୁସାରେ ହନୁମାନ୍ ଗନ୍ଧମାର୍ଦ୍ଦନ ପର୍ବତରେ ନିବାସ କରନ୍ତି । ଏହି ସ୍ଥାନ କୈଳାସ ପର୍ବତର ଉତ୍ତର ଭାଗ ସୁମେରୁ ପର୍ବତ ନିକଟରେ ଅବସ୍ଥିତ । ଗନ୍ଧମାର୍ଦ୍ଦନ ପର୍ବତ କୈଳାସର ମାନସରୋବର ଏବଂ ବଦ୍ରୀନାଥ ଧାମ ମଝିରେ ରହିଛି । ରାମାୟଣରେ ବର୍ଣ୍ଣନାନୁସାରେ ଯେବେ ଶ୍ରୀରାମ ଏହି ମର୍ତ୍ତ୍ୟ ଛାଡ଼ିବାକୁ ପ୍ରସ୍ତୁତ ହେଲେ,ପରମ ଭକ୍ତ ହନୁମାନ୍ଙ୍କୁ ଡକାଇ ଏହାର ସଙ୍କେତ ଦେବା ସହିତ ତାଙ୍କୁ ମର୍ତ୍ତ୍ୟମଣ୍ଡଳରେ ରହିବାକୁ ପରାମର୍ଶ ଦେଇଥିଲେ।
ମହାଭାରତରେ ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତ ସମ୍ପର୍କରେ ଉଲ୍ଲେଖ ରହିଛି । ଦ୍ରୌପଦୀଙ୍କ ଇଚ୍ଛା ପୂରଣ କରିବାକୁ ଦ୍ୱିତୀୟ ପାଣ୍ଡବ ଭୀମ ଯେବେ ଶତଦଳପଦ୍ମ ଖୋଜି ଖୋଜି ଗନ୍ଧମାର୍ଦ୍ଦନ ପର୍ବତ ଦେଶରେ ପ୍ରବେଶ କଲେ, ବାଟ ଉପରେ ଏକ ବୃଦ୍ଧ ମାଙ୍କଡ଼ ତା’ର ଲାଞ୍ଜ ଲମ୍ବାଇ ବସିଥିବା ଦେଖିଲେ । ଗର୍ବର ସହ ଭୀମ କହିଲେ ‘ ହେ ବୃଦ୍ଧ ବାନର! ଲାଙ୍ଗୁଳ ହଟାଅ, ମୁଁ ଯିବି ।’ ମାଙ୍କଡଟି କହିଲା "ମୁଁ ବୃଦ୍ଧ ହୋଇଗଲିଣି । ତୁମେ ଟିକେ ଉଠାଇ ଦିଅ ।’ ଭୀମ ଅଟ୍ଟହାସ୍ୟ କରି ଯେବେ ସେହି ଲାଞ୍ଜଟିକୁ ଟେକିଲେ ତାହା ମହାମେରୁ ପରି ଓଜନଦାର ଅନୁଭବ କଲେ । ଶତ ଚେଷ୍ଟା ସତ୍ତ୍ଵେ ଲାଞ୍ଜକୁ ଇଞ୍ଚେ ବି ଆଡ଼େଇ ଦେଇପାରିଲେ ନାହିଁ । ଭୀମ ନିଜର ଭୁଲ୍ ବୁଝିପାରି ସେହି ରହସ୍ୟମୟ ମର୍କଟଙ୍କୁ ହାତଯୋଡ଼ି କ୍ଷମା ମାଗିବା ସହିତ ପ୍ରକୃତ ପରିଚୟ ଜାଣିବାକୁ ଚାହିଁଲେ । ହନୁମାନ୍ ନିଜର ସ୍ୱରୂପ ଭୀମଙ୍କ ସମ୍ମୁଖରେ ପ୍ରକଟ କଲେ । ଗନ୍ଧମାର୍ଦ୍ଦନ ପର୍ବତରେ ଆଜି ବି ଅନେକ ମୁନିଋଷି, ଯୋଗୀ ତପସ୍ୟାରତ ବୋଲି କୁହାଯାଏ । ଏହା ଯକ୍ଷ, ଗନ୍ଧର୍ବ,କିନ୍ନରଙ୍କ ରହଣି ସ୍ଥଳ ଭାବେ ଜଣାଶୁଣା । ତୈତରୟ ଆରଣ୍ୟକରେ କୁବେର ଉତ୍ତର ଦିଗର ଅଧିପତି ବୋଲି ଦର୍ଶାଯିବା ସହିତ ସେ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ନିବାସ କରନ୍ତି ବୋଲି ବର୍ଣ୍ଣନା ରହିଛି।
ଏହି ଖବରଟିକୁ ପଢନ୍ତୁ- ସକାଳୁ ଚିଡ଼ଚିଡ଼ା ଲାଗୁଛି କି ? ଏହି ୫ଟି ଜିନିଷ ହଟାଇ ଦିଅନ୍ତୁ....