ଓହୋଃ କି ଶୀତ ବା! ଏଠି ପୁଣି ପାର୍କଟାରେ ଅଧିକ ପବନ ହେଉଛି । କାନମୁଣ୍ଡ କ’ଣ ହୋଇଯାଉଛି । ଡାକ୍ତରଙ୍କ ଡରାଣରେ ସକାଳୁ ସକାଳୁ ପାର୍କମୁହାଁ ହେବା ଥୟ । ଆରେ, ଆଜି ତ ନୂଆବର୍ଷ । ନୂଆ ପୁରୁଣା ଅନେକ ଲୋକ ପାର୍କରେ ଭିଡ଼ ଲଗାଇଛନ୍ତି । ହାଏ, ହେଲୋ କମ୍, ହାପି ନ୍ୟୁ ଇୟର ବେଶି ଶୁଭୁଥିଲା । ପାର୍କର ଗୋଟେ କୋଣରେ ଉଦୟ ସୂର୍ଯ୍ୟର କୋମଳ ଖରା ଛାଇଭଳି ପଡ଼ିଛି । ସେଠାର ସିମେଣ୍ଟ ବେଞ୍ଚ ପାଖଦେଇ ଗଲାବେଳେ ନଜର ପଡ଼ିଗଲା । ଆରେ ଏ ତ ମିଶ୍ରବାବୁ । ସାର୍ ନମସ୍କାର, ହାପି ନ୍ୟୁ ଇୟର । ସବୁତକ ଏକ ନିଶ୍ୱାସରେ କହିଦେଲି ।

ଆଖି ଉପରକୁ ଲମ୍ବିଆସିଥିବା ଟୋପିଟିକୁ ଟିକେ ଉଠାଇ ସାର୍ କହିଲେ, ସାମ୍ବାଦିକ ବାବୁ କି, କାହିଁକି ଇଂରାଜୀ ନବବର୍ଷକୁ ଗିଳି ପକାଉଛ । ହଉ ବସ, ଭଲ ହେଲା ପରନିନ୍ଦା ଗପିବାକୁ ଲୋକ ମିଳିଗଲେ । ହସିହସି କହିଲି, ସାର୍ ଆପଣ ତ ମୋତେ କହିଲେନି ହାପି ନ୍ୟୁ ଇୟର । କହିଲେ, ମୁଁ ସେ ଇଂରାଜୀ ନବବର୍ଷ ପାଳେନି । ଉତ୍ତର ଦେଲି, ଘରେ ଇଂରାଜୀ କ୍ୟାଲେଣ୍ଡର ଟାଙ୍ଗିବେ, ଦରମା ଇଂରାଜୀ ମାସ ପହିଲା ବେଳକୁ ପାଇବେ, ବସ୍-ଟ୍ରେନ-ବିମାନ ଟିକେଟ ଇଂରାଜୀ ତାରିଖ ଅନୁଯାୟୀ କାଟିବେ, ପୁଅ-ଝିଅଙ୍କ ସ୍କୁଲ ଦରମା ଇଂରାଜୀ ମାସ ଅନୁସାରେ ଦେବେ । ରାଜ୍ୟ ବଜେଟ ହେବ ଇଂରାଜୀ ମାସ-ତାରିଖ ଅନୁସାରେ, ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ଗଣିବ ଇଂରାଜୀ ମାସ ଅନୁସାରେ, ଆଉ ହାପି ନ୍ୟୁ ଇୟର କହିବାରେ କ’ଣ ଅସୁବିଧା ।

ସାର୍ ବଡ଼ପାଟିରେ ହସି କହିଲେ, ହଁ ଯେ, କିନ୍ତୁ ଓଡ଼ିଆ ନୂଆବର୍ଷକୁ ଭୁଲିଯାଉଛ ଯେ? ହଁ ସାର୍ ସେଇଟା ମଞ୍ଜି କଥା । ବିଦେଶୀ ପିନ୍ଧ, ଖାଅ ସବୁ କର, କିନ୍ତୁ ମାତୃଭାଷା, ମାତୃଭୂମିକୁ ବଳି ଦେଇକି ନୁହେଁ । କାହାକୁ ବିରୋଧ କରିବା ପୂର୍ବରୁ ଆମେ ନିଜ ସମ୍ପତ୍ତି ସମ୍ଭାଳିବା ଶିଖିବା ଉଚିତ ।

ଟିକେ ନିରବ ରହି ସାର୍ ପୁଣି ପଚାରିଲେ, ଆଚ୍ଛା ବାବୁ, ଏଇ ଯେଉଁ ହାପି ନ୍ୟୁ ଇୟର କହିଚାଲୁଛ । ଯାହାକୁ କହୁଛ, ସତରେ କ’ଣ ତାର ଖୁସି ମନାସୁଛ ନା ଏମିତି ଏମିତି ନୂଆବର୍ଷ ପାଇଁ ବାଉଳି ହେଉଛ । ପ୍ରଶ୍ନଟି ଆମ ଭଳି ପେସାଦାର ଲୋକଙ୍କ ପାଇଁ ବଡ଼ ଅଡ଼ୁଆ ଥିଲା । କହିଲି, ନା ନା ସାର୍, ଆମେ ଏତେ ଖରାପ ନୁହେଁ । କଅଁଳ ଖରା ଟାଣ ହେଲାଣି ଦେଖି ବେଞ୍ଚରୁ ଉଠିଲି ଘରମୁହାଁ । କିନ୍ତୁ ଭାବୁଥିଲି ମିଶ୍ରବାବୁ ଥଟ୍ଟାରେ ହେଲେ ମଧ୍ୟ ଏକ ବାସ୍ତବ ପ୍ରଶ୍ନ ପଚାରି ଦେଇଛନ୍ତି । ସତରେ ଏ ‘ହାପି ନ୍ୟୁ ଇୟର’ର ବାସ୍ତବତା କ’ଣ? ଅନ୍ୟର ଖୁସି ଆମେ କ’ଣ ସହିପାରନ୍ତି? କେତେ ସହିପାରନ୍ତି? ପାଖଆଖ, ବନ୍ଧୁବାନ୍ଧବ, ସାହିପଡ଼ିଶା, ବନ୍ଧୁ, ସହକର୍ମୀ ସମସ୍ତଙ୍କ ଚେହେରା ଆଖିବୁଜି ସ୍କାନ କଲି । ଆଶ୍ଚର୍ଯ୍ୟର କଥା, ସମସ୍ତେ ତାଙ୍କ ପରିସୀମାରେ କେବେ ବି ନିଜେ ଖୁସି ନାହାନ୍ତି କି ଅନ୍ୟ ଖୁସିରେ ବି ଖୁସି ନାହାନ୍ତି³ ସେ ତେଣିକି ସ୍ୱାସ୍ଥ୍ୟ, ସମ୍ପତ୍ତି କିମ୍ବା ପାରିବାରିକ ସମ୍ପର୍କର ଖୁସି ହୋଇଥାଉ ।

ମଣିଷ-ମଣିଷର ସମ୍ପର୍କକୁ ଖାଦ୍ୟ-ଖାଦକର ସମ୍ପର୍କ ଭାବିଲେ ବି ଅତ୍ୟୁକ୍ତି ହେବନି । ଜଣଙ୍କର ଦୁଃଖ ଅନ୍ୟପାଇଁ ଖୁସି ଆଣେ । ରୋଗ ବଢ଼ିଲେ ଡାକ୍ତରଙ୍କ ରୋଜଗାର ବଢ଼େ । କଳି ବଢ଼ିଲେ କୋର୍ଟ କଚେରି ପେସାଦାରଙ୍କ ରୋଜଗାର ବଢ଼େ । ଚୋର ଘରେ ପୂର୍ଣ୍ଣିମା ହେଲେ ଆପଣଙ୍କ ଘରେ ଅମାବାସ୍ୟା ହେବ ଏବଂ ଥାନାରେ କୋଳାହାଳ ବଢ଼ିବ । କୋଳାହଳ ହେଲେ ତ କମ୍ ବେଶିରେ କାହାର ନା କାହାର ରୋଜଗାର ବଢ଼ିବ । ଗାଁରେ କଳି ହେଲେ ଦଲାଲ ମଧ୍ୟସ୍ଥିଙ୍କ ପତିଆରା ବଢ଼େ । ଅନ୍ୟମାନେ ଋଣୀ ହେଲେ, ଜଣେ ସୁଧ ପଇସାରେ କୋଠା ଛିଡ଼ା କରିପାରିବ । ଧାର୍ମିକ ଭାବନା ଅନୁସାରେ ବିପତ୍ତି ଆସିଲେ ମନ୍ଦିରରେ ଭିଡ଼ ଜମେ । ଯେ ପର୍ଯ୍ୟନ୍ତ ଜଣଙ୍କର ଦୁଃଖ ନଆସିଛି ସେପର୍ଯ୍ୟନ୍ତ ଅନ୍ୟଜଣଙ୍କର ଖୁସି କବାଟ ଠକ୍ଠକ୍ କରିବନାହିଁ । ତାହେଲେ କିଏ କାହାକୁ କହିବ ‘ହାପି ନ୍ୟୁ ଇୟର’?

ଏମିତି ବି ଅନ୍ୟ ଖୁସିର ପାଶ୍ୱର୍ ପ୍ରତିକ୍ରିୟା ମୁଁ ମୋ ପେସାରେ ବେଶି ଦେଖିଥାଏ । ମୋ ଦରମା ନବଢ଼ିଲେ ଚଳିବ, ତାର କାହିଁକି ବଢ଼ିଲା ଯେ? ସେ କ’ଣ କରୁଛି କି? ଏଇ ଧାଡ଼ି ଦୁଇଟି ତ ଚାକିରି ଆରମ୍ଭରୁ ଶୁଣିଆସୁଛି । ଅବଶ୍ୟ ଏଇ ‘ମୋ’ ଏବଂ ‘ତାର’ ବ୍ୟକ୍ତି ଦୁଇଜଣ ପରସ୍ପରକୁ ‘ହାପି ନ୍ୟୁ ଇୟର’ କୁହନ୍ତି ଏବଂ ସାଙ୍ଗରେ ଅଧରାତିରେ ପୋଡ଼ କାଟି ପରସ୍ପରକୁ ଖୁଆଇଥାନ୍ତି । ଏହା ବୋଧେ ସ୍ରଷ୍ଟାଙ୍କ ବିସ୍ମୟ ସୃଷ୍ଟି । ଏଇ ସିଦ୍ଧାନ୍ତରେ ଉପନୀତ ହେଲି ନିଜ ଖୁସି ତୁଳନାରେ ଆମେ (ସମସ୍ତେ ନୁହେଁ) ଅନ୍ୟ ଦୁଃଖରେ ବେଶି ଖୁସି ହୋଇଥାନ୍ତି । ଆମ ମନରେ ନେଗେଟିଭିଟି (ନକରାତ୍ମକତା) ତୁଳନାରେ ପଜିଟିଭିଟି (ସକାରାତ୍ମକତା) ଭାବନାର ପ୍ରତିଶତ ବହୁତ କମ୍ ନିଶ୍ଚିତ।

ମନେ ପଡ଼ିଗଲା ଆଜିକୁ କେଇବର୍ଷ ତଳେ ଏକ ନୂଆ ବାଇକରେ ବଡ଼ଭାଇଙ୍କୁ ବସାଇ କଟକ ଭୁବନେଶ୍ୱର ରାଜପଥରେ ଯାଉଥିଲି । ପଛପଟୁ ଏକ ଦାମୀ କଳା ଲଗଜୁରୀ କାର୍ ପାଖଦେଇ ଗଲା । ତାହା ଦେଖି ମୋର ଲୋଭ ହୋଇଥିଲା କମ୍, ଈର୍ଷା ହୋଇଥିଲା ବେଶି । କହିଲି କାର୍ଟା କେଉଁଠି ଘଷିହୋଇ ଦାଗ ହୋଇଯାଆନ୍ତି କି, ବାସ୍ ପଛରୁ ଭାଇ ଚିତ୍କାର କଲେ ବାଜିଲା ବାଜିଲା । ଢୋ... ଆମ ନୂଆ ବାଇକଟା ଆଗରେ ଯାଉଥିବା ମାଲ ବୋଝେଇ ଟ୍ରଲିରେ ପିଟିହେଲା । ବାଇକ ଆଗ ଚୂରମାର । ଅବଶ୍ୟ ଦୁଇଭାଇ ଥିଲୁ ସୁରକ୍ଷିତ ।

ଏତେବର୍ଷ ପରେ ବି ମନରେ କିଛି କମ୍ ନେଗେଟିଭିଟି ନାହିଁ । କାର୍ଯ୍ୟକ୍ଷେତ୍ରରେ ଦୈନିକ ଖୋଜିଥାଏ ଆଗ କେଉଁଠି ଅଛି ନେଗେଟିଭ୍ ନ୍ୟୁଜ, ହତ୍ୟା, ଡକାୟତି, ଦୁର୍ଘଟଣା, ଭିଜିଲାନ୍ସ, ଆୟକର ଚଢ଼ାଉ ଇତ୍ୟାଦି ଇତ୍ୟାଦି ।