ରାଉରକେଲା, ୧୮/୦୭ : ଶିକାରୀଙ୍କ ପ୍ରାଦୁର୍ଭାବ, ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରାଚାଲାଣ ଏବଂ ବିଲୁପ୍ତପ୍ରାୟ ପାଣୀଙ୍କ ଅସ୍ତିତ୍ୱ ସଙ୍କଟ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାଘକୁ ନେଇ ଆସିଛି ଖୁସିଖବର । ଜୈବ ବିବିଧତା ଭରା ଗୁରୁଣ୍ଡିଆର ତାମଡ଼ା ରେଞ୍ଜ ଏବେ କଲରାପତରିଆଙ୍କ ସୁରକ୍ଷିତ ଆବାସ ପାଲଟିଛି । ତାମଡ଼ା ରେଞ୍ଜଠାରୁ ସୋଲ ସଂରକ୍ଷିତ ଜଙ୍ଗଲ ଅର୍ଥାତ୍‌ ପ୍ରାୟ ୩୫ କିମି ଜଙ୍ଗଲ ପରିଧିରେ ପ୍ରାୟ ୧୦ଟି କଲରାପତରିଆ ଅବାଧରେ ବିଚରଣ କରୁଛନ୍ତି । ବନ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା ଟ୍ରାପ୍‌ କ୍ୟାମେରାରେ ବାଘଙ୍କ ଗତିବିଧି କଏଦ ହୋଇଛି । ଜଙ୍ଗଲରେ ବାଘ ସଂଖ୍ୟା ବଢ଼ୁଥିବାବେଳେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ପାଲଟିଛି । ବଛା ବଛା କର୍ମଚାରୀଙ୍କୁ ନେଇ ଗଠିତ ବନ ବିଭାଗର ୫ଟି ଟିମ୍‌ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।  

ବଣାଇଁ ବନଖଣ୍ଡ ତାମଡ଼ା ରେଞ୍ଜ ଅନ୍ତର୍ଗତ ଗୁରୁଣ୍ଡିଆ ଗ୍ରାମର ଅଗଷ୍ଟୁସ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ଗାଈକୁ ଗତ ୧୪ତାରିଖରେ ଶିକାର କରିଥିଲା କଲରାପତରିଆ । ୧୫ ତାରିଖ ସକାଳେ ଗ୍ରାମବାସୀ ଗାଈର ମୃତଦେହ ଠାବ କରିଥିଲେ । ଆଖପାଖରେ ପଡ଼ିଥିବା ପାଦଚିହ୍ନରୁ ଯାଞ୍ଚ ପରେ ବନ କର୍ମଚାରୀ ଏହାକୁ କଲରାପତରିଆର ବୋଲି ସ୍ପଷ୍ଟ କରିଥିଲେ । ବାଘର ଶିକାର ପ୍ରବୃତ୍ତି ଏବଂ ଜନବସତିରେ ପ୍ରବେଶ ପରେ ସତର୍କ ହୋଇ ଉଠିଥିଲା ବନ ବିଭାଗ । କଲରାପତରିଆକୁ ଠାବ କରିବା ଲାଗି ବିଭିନ୍ନ ସ୍ଥାନରେ ୭ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା । ୧୫ ତାରିଖ ରାତିରେ ଗାଈ ଶିକାର କରିଥିବା ବାଘ କ୍ୟାମେରାରେ କଏଦ ହୋଇଥିଲା । ଉକ୍ତ ବାଘ ଛତିଶଗଡ଼ରୁ ସୋଲ ସଂରକ୍ଷିତ ଜଙ୍ଗଲ ଦେଇ ଗୁରୁଣ୍ଡିଆ ଜଙ୍ଗଲକୁ ଆସିଥିବା ଜଣାପଡ଼ିଛି ।  

ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଭରପୂର ମାତ୍ରାରେ ଅଛନ୍ତି ତୃଣଭୋଜୀ ପ୍ରାଣୀ । ହରିଣ, କୁଟୁରା, ଠେକୁଆ ଭଳି ପ୍ରାଣୀ ବାଘଙ୍କୁ ଆକର୍ଷିତ କରୁଛନ୍ତି । ଛୋଟ ଛୋଟ ନଦୀ, ଜଳାଶୟ କଲରାପତରିଆଙ୍କ ଶୋଷ ମେଣ୍ଟାଉଛି । ଖାଦ୍ୟ-ପାନୀୟ ଅଭାବ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବାଘ ବଂଶ ବଢୁଥିବା ଜଣାପଡ଼ିଛି । ଏବେ ସେମାନଙ୍କୁ ଶିକାରୀଙ୍କ ମୁହଁରୁ ବଞ୍ଚାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଉଲ୍ଲେଖଯୋଗ୍ୟ, ଭାରତୀୟ କଲରାପତରିଆ ବର୍ଷତମାମ ମିଳନ କରୁଥିଲେ ମଧ୍ୟ ଏହି ପ୍ରକ୍ରିୟା ଶୀତଦିନେ ଶୀର୍ଷସ୍ତର ଛୁଇଁଥାଏ । ସାଧାରଣତଃ ୯୦ରୁ ୧୧୦ ଦିନ ଗର୍ଭଧାରଣ ପରେ ଛୁଆ ଜନ୍ମ ହୋଇଥାଏ । ମିଳନ ପ୍ରକ୍ରିୟା ଏବଂ ଛୁଆ ଜନ୍ମ ସମୟରେ ମାଈ କଲରାପତରିଆ ଅଧିକ ଆକ୍ରାମଣାତ୍ମକ ହୋଇଥାଆନ୍ତି । ଖାଦ୍ୟଶୃଙ୍ଖଳରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ନିୟନ୍ତ୍ରଣ, ଚାରଣଭୂମି ଏବଂ ଇକୋସିଷ୍ଟମ୍‌ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।  

ଏ ନେଇ ବଣାଇଁ ଡିଏଫ୍‌ଓ ଯଶବନ୍ତ ସେଠୀ କହିଛନ୍ତି, ତାମଡ଼ା ରେଞ୍ଜରୁ ସୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ରୁ ୧୦ଟି କଲରାପରିଆ ବୁଲୁଛନ୍ତି । ଗୁରୁଣ୍ଡିଆ ଜଙ୍ଗଲକୁ ଚାଲିଆସିଥିବା କଲରାପତରିଆ ଉପରେ ନଜର ରଖାଯାଇଛି । ଏହି ବାଘ କେତେବେଳେ ଦେବଗଡ଼ ଜଙ୍ଗଲକୁ ପଳାଉଛି ତ ପୁଣି କେତେବେଳେ ଏଠାକୁ ଚାଲିଆସୁଛି । ବାଘ ଆକ୍ରମଣ ଆଶଙ୍କା ଥିବାରୁ ଗ୍ରାମବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ବନ ବିଭାଗର ୫ଟି ଟିମ୍‌ ନିୟମିତ ପାଟ୍ରୋଲିଂ କରୁଛନ୍ତି । ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବାକୁ ସତର୍କ କରାଯାଇଛି । ଗୃହପାଳିତ ପ୍ରାଣୀଙ୍କୁ ଗୁହାଳରେ ବାନ୍ଧି ରଖିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢନ୍ତୁ- ମୋହନ ସରକାରଙ୍କ ବଡ଼ ସଫଳତା, ନିବେଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ବୀରଭଦ୍ରେଶ୍ୱର ମନ୍ଦିରର ବୃଷଭଙ୍କ ରହସ୍ୟ କରୁଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ !