ପୁରୀ,୨୯/୦୭: ହଜାରେ ଟଙ୍କାରେ ଶ୍ରୀମନ୍ଦିରରେ  ମିଳିବ ଭିଆଇପି ଦର୍ଶନ ସୁବିଧା । ମହାପ୍ରଭୁଙ୍କୁ ଦର୍ଶନ  ଲାଗି ଆଉ ଧାଡିରେ ଠିଆ ହେବାକୁ ପଡ଼ିବନି । ତା  ସହିତ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ ।  ଏସବୁ ସହିତ ଜଣେ ସେବକ ଆପଣଙ୍କ ପାଖରେ  ରହି ଶ୍ରୀମନ୍ଦିର ବିଷୟରେ ବୁଝାଇବେ ମଧ୍ୟ । ହରି ଓମ୍‌  ନାମକ ଏକ ଅନ୍‌ଲାଇନ ଆପ୍ଲିକେସନରେ ଏଭଳି ପ୍ରଚାର  କରାଯାଉଛି । ସାଧାରଣ ଭକ୍ତଟିଏ ମହାପ୍ରଭୁଙ୍କ ଶ୍ରୀମୁଖର ସାମାନ୍ୟ ଝଲକ ପାଇବାକୁ କଲବଲ ହେଉଥିବା ବେଳେ  ଅନ୍‌ଲାଇନରେ ହଜାରେ ଟଙ୍କା ଦେଲେ ସହଜ ଓ ସୁବିଧାରେ ଦର୍ଶନ ମିଳିବ ବୋଲି ବିଜ୍ଞାପନ କରାଯାଉଛି ।  

ଏହାକୁ ନେଇ ସେବାୟତ ଓ ପୁରୀ ବାସିନ୍ଦାଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ଦେଖିଯାଇଛି । ଏହି ଆପ୍‌ରେ ମୁଣ୍ଡ ପିଛା  ହଜାର ଟଙ୍କା ଦେଇ ସ୍ଲଟ ବୁକ୍‌ କଲେ ଦର୍ଶନ ବ୍ୟବସ୍ଥା  କରାଯାଉଛି । ସମୟ ଅନୁଯାୟୀ ସ୍ଲଟ୍‌ ବୁକ୍‌ ହେଉଛି । ଏହି  ଆପ୍‌ରେ ବୁକ୍‌ କଲେ ଧାଡିରେ ଠିଆ ହେବାକୁ ପଡ଼ିବନାହିଁ  ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଭିତରେ  ଡାଲି ଓ ଭାତ ନଚେତ୍‌ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଉଛି । ମହାପ୍ରସାଦକୁ ଡାଲି ଭାତ କହି ଅପମାନ  କରାଯାଉଥିବା ଅଭିଯୋଗ ହୋଇଛି । ଏହି ସୁବିଧା ପାଇବାକୁ  ହେଲେ ଟାଇମ ସ୍ଲଟର ୩୦ ମିନିଟ୍‌ ପୂର୍ବରୁ ଶ୍ରୀମନ୍ଦିରରେ  ପହଞ୍ଚିବାକୁ ହେବ । ଏହା ସହ ସାଥୀରେ ଏକ ସରକାରୀ  ପ୍ରମାଣ ପତ୍ର ନେଇ ଆସିବାକୁ ହେବ ବୋଲି କୁହାଯାଇଛି । 

ଏନେଇ ଅସନ୍ତୋଷ ବ୍ୟକ୍ତ କରି ପୁରୀ ବାସିନ୍ଦା ସପନ  ତରାଇ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭିଆଇପିଙ୍କର  କରିଦେବାକୁ ଚକ୍ରାନ୍ତ ଚାଲିଛି । ଯିଏ ପ୍ରକୃତ ଭକ୍ତ ସେ  ପ୍ରଭୁଙ୍କ ଦର୍ଶନ ପାଉନି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର  ପ୍ରସାର କରୁଥିବା ବ୍ୟକ୍ତିକୁ ଅଣଦେଖା କରାଯାଉଛି।  ମହାପ୍ରଭୁଙ୍କୁ ଭିଆଇପିଙ୍କ ଠାକୁର କରିଦିଆଯାଇଛି ।  ଭିଆଇପିଙ୍କ ସୁବିଧା ଲାଗି ରଥଯାତ୍ରାରେ କିଭଳି ଅବ୍ୟବସ୍ଥା  ହେଲା ଏହା ସମସ୍ତେ ଦେଖିଛନ୍ତି । ପୁରୀ ବାସୀ ମହାପ୍ରଭୁଙ୍କୁ  ଦର୍ଶନ କରିବାକୁ ସମସ୍ୟା ଭୋଗୁଛନ୍ତି । ବରିଷ୍ଠ ନାଗରିକ,  ଭିନ୍ନକ୍ଷମ, ଶିଶୁ ଏମାନେ ଭୟରେ ଶ୍ରୀମନ୍ଦିର ଯାଉନାହାନ୍ତି ।  ଏପରି ସ୍ଥିତିରେ ଟଙ୍କା ଦେଲେ ଶ୍ରୀମନ୍ଦିରରେ ସହଜରେ  ଦର୍ଶନ ସୁବିଧା ଦେଉଥିବା ଏସବୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।