ବିପଦରେ ଗଜରାଜ: ଆଖିବୁଜିଲା ସାତକୋଶିଆରୁ ଉଦ୍ଧାର ହାତୀଛୁଆ, ସେପ୍ଟିସିମିଆରେ ସଂକ୍ରମିତ ସନ୍ଦେହ

ଢେଙ୍କାନାଳ,୦୫/୦୭: ସାତକୋଶିଆ ଅଭୟାରଣ୍ୟରୁ ଗୁରୁତର ଅସୁସ୍ଥ ହୋଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ହାତୀଛୁଆ ଶେଷରେ ଆଖି ବୁଜିଛି । ହାତୀଛୁଆର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି । ହାତୀ ଶାବକର ପାଟିରେ ସଂକ୍ରମଣ ହୋଇଥିବରୁ ଖାଦ୍ୟ ପାନୀୟ ଠିକ୍ରେ ଗ୍ରହଣ କରିପାରୁନଥିଲା । ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ତାର ମୃତ୍ୟୁ ହୋଇଛି । ହାତୀଛୁଆଟି ସେପ୍ଟିସେମିଆ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥାଇପାରେ ବୋଲି ବନବିଭାଗ ସନ୍ଦେହ କରିଛି । ଛୁଆହାତୀ ମୃତ୍ୟୁର ଅଧିକ କାରଣ ଜାଣିବା ନିମନ୍ତେ ରକ୍ତନମୁନା ପରୀକ୍ଷଣ ପାଇଁ ଓୟୁଏଟି ଲ୍ୟାବ୍କୁ ପଠାଯାଇଛି ।
ଗତ ଶୁକ୍ରବାର ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳରେ ମା’ ସହ ବୁଲୁଥିଲା ଏହି ଅସୁସ୍ଥ ୬ ବର୍ଷୀୟ ଅଣ୍ଡିରା ଛୁଆହାତୀ । ତାକୁ ବନ କର୍ମଚାରୀମାନେ ସେଠାରେ ଚିକିତ୍ସା କରାଇଥିଲେ । ହେଲେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଶନିବାର ରାତିରେ କପିଳାସ ଚିଡ଼ିଆଖାନା ପରିସର ହାତୀ ଉଦ୍ଧାର କେନ୍ଦ୍ରକୁ ଆଣିଥିଲେ । ଏ ସମ୍ପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ହାତୀଟିର ପାଟିରେ ପ୍ରଥମେ ସଂକ୍ରମଣ ହୋଇଥିଲା । ପରେ ସମ୍ପୂର୍ଣ୍ଣ ଶରୀର ସେପ୍ଟିସିମିଆରେ ସଂକ୍ରମିତ ହେବାରୁ ଛଆହାତୀଟି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।