ନୂଆଦିଲ୍ଲୀ,୧୦/୧୦: ମଧ୍ୟପ୍ରଦେଶରେ  ବିଷାକ୍ତ କଫ ସିରପ ସେବନ ଯୋଗୁ ଆଉ  ଜଣେ ଶିଶୁର ମୃତ୍ୟୁ ଘଟିଛି । ଛିନ୍ଦୱାଡ଼ାର  ମୋରଡୋଗରି ପରାସିଆ ନିବାସୀ ବାବୁ  ପାୱାରଙ୍କ ବର୍ଷକର ଶିଶୁପୁତ୍ର ଗର୍ବିକ ବିଷାକ୍ତ  କଫ ସିରପର ସଦ୍ୟ ଶିକାର ହୋଇଛି । ଏହାକୁ  ମିଶାଇ ରାଜ୍ୟରେ ଅଦ୍ୟାବଧି ୨୫ ପିଲାଙ୍କ  ମୃତ୍ୟୁ ଘଟିଲାଣି । ରାଜସ୍ଥାନରେ ବି ୪ ଜଣ  ଶିଶୁଙ୍କ ଜୀବନ ଯାଇଛି । ଏହାକୁ ନେଇ କେନ୍ଦ୍ର  ସରକାର ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି ।

ଗୁରୁବାର  କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ  (ସିଡିଏସ୍‌ସିଓ) ଦେଶବ୍ୟାପୀ କଫ ସିରପ  ପ୍ରସ୍ତୁତକାରୀ ଫାର୍ମା କମ୍ପାନିଗୁଡ଼ିକର ଯାଞ୍ଚ ଲାଗି  ନିଷ୍ପତ୍ତି ନେଇଛି । ସେହିଭଳି ସିରପଗୁଡ଼ିକର  ନମୁନା ପରୀକ୍ଷା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ  କଫ ସିରପ ବନାଉଥିବା କମ୍ପାନିଗୁଡ଼ିକର  ତାଲିକା ମାଗିଛନ୍ତି । ଏହାଦ୍ୱାରା ସେଗୁଡ଼ିକର  ଗୁଣବତ୍ତା ଏବଂ ସୁରକ୍ଷା ନେଇ କଡ଼ାକଡ଼ି ଯାଞ୍ଚ  ହୋଇପାରିବ । ସିଡିଏସ୍‌ସିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ କହିଛି ଯେ, ତିନୋଟି ସିରପ  ଯଥା କୋଲ୍ଡରିଫ, ରେସିଫ୍ରେସ-ଟିଆର୍‌ ଏବଂ  ରିଲାଇଫ୍‌ର ବଜାରରେ ବିକ୍ରି ଓ ସେଗୁଡ଼ିକର  ଉତ୍ପାଦନକୁ ବ୍ୟାନ୍‌ କରାଯାଇଛି ।

କଫ୍‌ ସିରପ୍‌ର ଯାଞ୍ଚ ବାଧ୍ୟତାମୂଳକ ପାଇଁ  ଇତିମଧ୍ୟରେ ନିର୍ଦ୍ଦେଶ ଜାରି ହୋଇଛି । ବୁଧବାର  ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌)  ପକ୍ଷରୁ ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳ ନିମନ୍ତେ କଠୋର ମାର୍ଗଦର୍ଶିକା ଜାରି  କରାଯାଇଥିଲା । ଫାର୍ମାସ୍ୟୁଟିକାଲ ଉତ୍ପାଦଗୁଡ଼ିକ  ନିମନ୍ତେ କଡ଼ାକଡ଼ି ପ୍ରୋଟୋକଲ୍‌ ପାଳନ ଲାଗି  କୁହାଯାଇଥିଲା । ଉଭୟ କଞ୍ଚାମାଲ ଓ ଫିନିଶ୍‌ଡ  ଉତ୍ପାଦର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଲାଗି ନିର୍ଦ୍ଦେଶ  ଦିଆଯାଇଛି । ଦେଶରେ ପ୍ରଚଳିତ ଔଷଧ ନିୟମକୁ  କଡ଼ାକଡ଼ି ଭାବେ ପାଳନ ଲାଗି ଦର୍ଶାଯାଇଛି । ଏହି ମାମଲାର ଯାଞ୍ଚକୁ ନେଇ ସୁପ୍ରିମକୋର୍ଟରେ  ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଶୁକ୍ରବାର ଏ ନେଇ ଶୁଣାଣି ହୋଇପାରେ । ଓକିଲ ବିଶାଲ  ତିୱାରୀଙ୍କ ଆବେଦନରେ ଏହି ମାମଲାର ତଦନ୍ତ  ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ କିମ୍ବା ସିବିଆଇ ଦ୍ୱାରା  କରାଇବାକୁ ଅନୁରୋଧ କରାଯାଇଛି । ଏ ପର୍ଯ୍ୟନ୍ତ  କୌଣସି ରାଜ୍ୟ ସମ୍ପୂର୍ଣ୍ଣ ଭାବେ ସୁଧାରାତ୍ମକ ତଥା ନିବାରକ କାର୍ଯ୍ୟାନୁଷ୍ଠାନ (ସିଏପିଏ)  ମାର୍ଗଦର୍ଶିକାର ପାଳନ କରିପାରି ନାହାନ୍ତି ।  ଏହି ମାର୍ଗଦର୍ଶିକା ଔଷଧଗୁଡ଼ିକର ସୁରକ୍ଷା ଓ  ଗୁଣବତ୍ତା ବଜାୟ ପାଇଁ ପ୍ରସ୍ତୁତ ହୋଇଥିଲା।