ରାଉରକେଲା, ୦୯/୦୧ : ବଙ୍କା ହୋଇଯାଇଛି ହାତର ସବୁ ଆଙ୍ଗୁଠି। ରୋଷେଇ ତ ଦୂରର କଥା ଦୈନନ୍ଦିନ କାମ କରିବା ବି କଷ୍ଟକର । ସେଇଥିପାଇଁ ମିଳୁଥିବା ୫ କେଜି ରାସନ ଚାଉଳ ଏକ ହୋଟେଲ୍କୁ ଦିଅନ୍ତି । ପ୍ରତିବଦଳରେ ହୋଟେଲ ମାଲିକ ଯାହା ଦିଅନ୍ତି, ସେଥିରେ ଭୋକ ମେଣ୍ଟାନ୍ତି । ଘର କହିଲେ ରାସ୍ତାକଡ଼ ପଲିଥିନ ଘେରା କୁଡ଼ିଆ । ସେଠି କ୍ୟାଲେଣ୍ଡର, ଚିନାବାଦାମ, ଚଣା ବିକ୍ରି କରନ୍ତି । ଯାହା ରୋଜଗାର ହୁଏ ସେଥିରେ ଗୁଜରାଣ ମେଣ୍ଟାନ୍ତି । ଏ ହେଉଛି ଦିବ୍ୟାଙ୍ଗ ଲକ୍ଷ୍ମୀ ମହାରଣାଙ୍କ କରୁଣ କାହାଣୀ । ସ୍ୱାମୀଙ୍କ ଦେହାନ୍ତ ପରେ ପୁଅ କରି ଆଣିଥିବା ଭଣଜାଙ୍କ ମୃତ୍ୟୁ ପରେ ଦୀର୍ଘ ବର୍ଷ ହେଲା ରାଉରକେଲାର ଜନବହୁଳ ସେକ୍ଟର୨୧ସ୍ଥିତ ଟେଲିଫୋନ ଭବନ ପାଖରେ ଦଦରା କୁଡ଼ିଆରେ ଭାଗ୍ୟକୁ ଆଦରି ସେ ପଡ଼ି ରହିଛନ୍ତି ।

ଗଞ୍ଜାମ ଜିଲ୍ଲା କନ୍ଧଖଇଡ଼ା ଗ୍ରାମର ମୂଳ ବାସିନ୍ଦା ଲକ୍ଷ୍ମୀଙ୍କୁ ୬୦ ଛୁଇଁଲାଣି । ରାଉରକେଲାର ଟିମ୍ବର କଲୋନିର ସୁଦାମ ମହାରଣାଙ୍କ ସହ ତାଙ୍କର ବିବାହ ହୋଇଥିଲା । ପିଲାଛୁଆ ନ ହେବାରୁ ଭଣଜାଙ୍କୁ ପୁଅ କରି ଆଣିଥିଲେ । ସୁଦାମଙ୍କ ରୋଜଗାର ଟଙ୍କାରେ ପରିବାର ଚଳୁଥିଲା । ଏକଦା ରୋଷେଇ କରୁଥିବା ବେଳେ ଅସାବଧାନତାରୁ ପୋଡ଼ି ଯାଇଥିଲେ ଦିବ୍ୟାଙ୍ଗ ଲକ୍ଷ୍ମୀ । ଯଦିଓ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ, ତଥାପି ଆଗ ପରି କାମ କରିପାରୁ ନ ଥିଲେ । ଏସବୁ ସମସ୍ୟା ଭିତରେ ୨୭ ବର୍ଷ ତଳେ ଏକ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ସୁଦାମ । ଭଡ଼ା ଟଙ୍କା ଦେଇ ନ ପାରିବାରୁ ଘର ଛାଡ଼ିବାକୁ ପଡ଼ିଲା । ଭଣଜାଙ୍କୁ ନେଇ ସେ ଅନ୍ୟତ୍ର ରହୁଥିଲେ । ହେଲେ ଦଇବ ଦାଉ ସାଧିଲା । ୧୦-୧୨ ବର୍ଷ ତଳେ ଭଣଜା ମଧ୍ୟ ହାତ ଛାଡ଼ି ଚାଲିଗଲେ ଆରପାରିକୁ। ସ୍ୱାମୀ-ଭଣଜାଙ୍କ ମୃତ୍ୟୁ ପରେ ଏକାକୀ ହୋଇଯାଇଛନ୍ତି ଲକ୍ଷ୍ମୀ । ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ନାହିଁ । ସେକ୍ଟର-୨୧ ଟେଲିଫୋନ ଭବନ ପାଚେରି ପାର୍ଶ୍ଵରେ ପଲିଥିନ୍ ଟାଙ୍ଗି ଦୀର୍ଘ ଦିନ ହେଲା ରହୁଛନ୍ତି । ୧୦୦୦ ଟଙ୍କା ଭତ୍ତା ଏବଂ ରାସନ କାର୍ଡରେ ୫ କେଜି ଚାଉଳ ମିଳୁଛି । କୁଡ଼ିଆରେ କ୍ୟାଲେଣ୍ଡର, ଚିନାବାଦାନ ଓ ଚଣା ବିକ୍ରି କରି ଯାହା ମିଳୁଛି ସେଥିରେ ସେ ଚଳୁଛନ୍ତି ।

ଲକ୍ଷ୍ମୀଙ୍କ ଦୁର୍ଦ୍ଦଶା ଦେଖି କିଛି ଦିନ ତଳେ ଏକ ସାମାଜିକ ଅନୁଷ୍ଠାନ ସହାୟତାର ହାତ ବଢ଼ାଇଥିଲା । ଏବେ ସହରରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ତାପମାତ୍ର ୫ ଡିଗ୍ରୀ ତଳକୁ ଚାଲିଆସିଛି । ଏଭଳି ସମୟରେ ଲକ୍ଷ୍ମୀ ଦଦରା କୁଡ଼ିଆରେ ରାତି ବିତାଉଛନ୍ତି । ପ୍ରଶାସନ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ୩ ରାଜ୍ୟର ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ପାହାଡ଼ି ମହାଦେବ, ମାନ୍ୟତା ମିଳିଲେ ସୁନ୍ଦରଗଡ଼ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ଶୈବପୀଠ