ସୁନ୍ଦରଗଡ଼, ୦୯/୦୧ : ମନମୁଗ୍ଧକର ପ୍ରାକୃତିକ ପରିବେଶ । କୁଳୁକୁଳୁ ହୋଇ ବହି ଯାଉଛି ପାହାଡ଼ି ଝରଣା । କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନୀଳ ଜଳରାଶି, ପକ୍ଷୀଙ୍କ କାକଳି ଏବଂ ଶାନ୍ତ ପରିବେଶ ଟାଣି ଆଣୁଛି ସୀମାବର୍ତ୍ତୀ ରାଜ୍ୟର ପର୍ଯ୍ୟଟକଙ୍କୁ । ସହରୀ ଭିଡ଼ରୁ ଦୂରରେ ଆଧ୍ୟାତ୍ମିକ ବାତାବରଣ ପାହାଡ଼ି ମହାଦେବ ପୀଠକୁ ସ୍ୱତନ୍ତ୍ର କରିଛି । ମାନ୍ୟତା ମିଳିଲେ ଏହି ଶୈବ କ୍ଷେତ୍ର ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ । ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏହାକୁ ବିକାଶଠୁ ଦୂରେଇ ରଖିଛି । ସତେ ଯେମିତି ପାହାଡ଼ ଉପରେ ବନ୍ଦୀ ହୋଇ ରହିଛନ୍ତି ଦେବଦେବ ମହାଦେବ । ଲକ୍ଷାଧିକ ଲୋକଙ୍କ ଆସ୍ଥାର ପ୍ରତୀକ ଏହି ପୀଠ ପ୍ରତି ଅବହେଳା ଅସହ୍ୟ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ ।  

ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ରୁନଗାଁ-ଲାକ୍ରାଘରା ଜଙ୍ଗଲ ପାଦଦେଶରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସବୁଜ ବନାନୀ ଘେରା ପରିବେଶରେ ଅବସ୍ଥିତ ପ୍ରସିଦ୍ଧ ପାହାଡ଼ି ମହାଦେବଙ୍କ ପ୍ରାଚୀନ ମନ୍ଦିର । ପାହାଡ଼ ଶୀର୍ଷରେ ରହିଛି ଦିଅଁଙ୍କ ଆସ୍ଥାନ । ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରବାହିତ ଜଙ୍ଗଲୀ ଝରଣାରୁ ରୁନଗାଁ କ୍ଷୁଦ୍ର ଜଳସେଚନର ପ୍ରକଳ୍ପ ପରିଯୋଜନା ହୋଇଛି । ରାଜ୍ୟ ଜଳସମ୍ପଦ ବିଭାଗ ପରିଚାଳନାଧୀନ ଏହି ସେଚ ପ୍ରକଳ୍ପ ନିର୍ମାଣ ପରେ ସ୍ଥାନର ଗୁରୁତ୍ୱ ଆହୁରି ବଢ଼ିଯାଇଛି । ଆରାଧ୍ୟ ପାହାଡ଼ି ମହାଦେବ ପୀଠର ବିକାଶରେ ବର୍ଷ ବର୍ଷ ଧରି ଲାଗିଛନ୍ତି ରୁନଗାଁ ପଞ୍ଚାୟତବାସୀ । ସେଠାରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ପର୍ବପର୍ବାଣୀ, ପିକ୍‌ନିକ୍‌ ଋତୁରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳବାସୀ ଏଠାରେ ଭିଡ଼ ଜମାଉଛନ୍ତି । ହେଲେ ପ୍ରଶାସନ ଏହି ପୀଠର ବିକାଶ ପ୍ରତି ଆଖି ବୁଜିଦେଇଛି ।  

ପୀଠର ବିକାଶ ପାଇଁ ମିଳୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ । କେବଳ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଡ୍ୟାମ୍‌ ଚାରିପଟେ ପରିଭ୍ରମଣ ପାଇଁ ରାସ୍ତାରେ ପିଚୁ ଢଳେଇ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା, ଉଦ୍ୟାନ, ପାର୍କ, ବିଦ୍ୟୁତୀକରଣ, ସୁରକ୍ଷିତ ବୋଟିଂ, ରାତ୍ରିକାଳୀନ ଆଶ୍ରୟସ୍ଥଳୀ ସମେତ ଆଖପାଖ ଅଞ୍ଚଳର ବିକାଶ ହେଲେ ଏହି ଶୈବପୀଠ ଦେଶବିଦେଶର ପର୍ଯ୍ୟଟକଙ୍କୁ ଟାଣିବ । ସରକାରଙ୍କ ରାଜସ୍ୱ ବଢ଼ିବ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ରୋଜଗାର ବଢ଼ିବ । ତଳସରା ନିର୍ବାଚନମଣ୍ଡଳୀ ତଥା ଉପବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ ପୀଠର ବିକାଶ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ,ଏଣିକି ପୋଷ୍ୟପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି