ଭୁବନେଶ୍ୱର,୦୬/୦୬: ଧୁ ଧୁ ଖରା । ନିଆଁ ବର୍ଷିଲା ଭଳି ହୁଳା ବାହାରୁଥାଏ । ଘର ଭିତରେ ଛଟପଟ । ପଦାକୁ ବାହାରିଲେ ଝାଞ୍ଜି ମାଡ଼ । ପଶ୍ଚିମରୁ ଉପକୂଳ ଜଳିଲା । ଭୁବନେଶ୍ୱର ତାପମାତ୍ରା ୪୧ ଡେଇଁଲା । କିନ୍ତୁ, ତାପମାତ୍ରା ଓ ଆର୍ଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଭୟାନକ ତାତି ଅନୁଭବ କରିଥିଲେ ରାଜଧାନୀବାସୀ ।
ଶୁକ୍ରବାର ବୌଦ୍ଧ ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ସମ୍ବଲପୁର ୪୧.୨, ଭୁବନେଶ୍ୱର ଓ ଅନୁଗୁଳ ୪୧.୧, ଏବେ ଜାରି ରହିବ ଗରମ, ଗୁଳୁଗୁଳି ଝାରସୁଗୁଡ଼ା, ବଲାଙ୍ଗୀର, ତାଳଚେର ଓ ନୟାଗଡ଼ ୪୧ ଡିଗ୍ରୀ ଛୁଇଁଥିଲା । ହୀରାକୁଦ, ପାରଳାଖେମୁଣ୍ଡି, ଟିଟିଲାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ୪୦ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ପ୍ରାୟତଃ ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଗଲା । ଚାନ୍ଦବାଲି ୩୯.୬, କଟକ ୩୯.୪ ଡିଗ୍ରୀ ଥିଲା ।
ଭୁବନେଶ୍ୱରରେ ଶୁକ୍ରବାର ସକାଳୁ ତାତି ବଢ଼ିଯାଇଥିଲା । ଦିନ ଅଢ଼େଇଟାବେଳକୁ ପାରଦ ୪୧ ଛୁଇଁଥିବାବେଳେ ଆର୍ଦ୍ରତା ୩୮% ପହଞ୍ଚିଥିଲା । ହିଟ୍ ଇଣ୍ଡେକ୍ସ ଆଧାରରେ ଭୁବନେଶ୍ୱରରେ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ ।
ଅଧିକ ପଢ଼ନ୍ତୁ :- ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି
ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟର ସିଇସି ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, କେନ୍ଦ୍ରୀୟ ଭାରତ ଉପରେ ଥିବା ଟ୍ରଫଲାଇନ ଯୋଗୁ ବଙ୍ଗୋପସାଗର ପବନ ରାଜ୍ୟକୁ ଆସିପାରୁନି । ତେଣୁ ଜଳୀୟବାଷ୍ପ କମ୍ ରହୁଛି । ଏଥିଯୋଗୁ ତାତି ଅଚାନକ ବଢ଼ିଯାଇଛି । ୨/୩ ଦିନ ଭିତରେ ଟ୍ରଫଲାଇନ ପ୍ରଭାବ କମିଯିବ । ତଥାପି ରାଜ୍ୟରେ ଗରମ ପ୍ରକୋପ ୧୧ ତାରିଖ ପର୍ଯ୍ୟନ୍ତ ରହିପାରେ । କାଳବୈଶାଖୀ ବର୍ଷା ୧୧ରୁ ବଢ଼ିପାରେ । ୧୩-୧୪ ବେଳକୁ ରାଜ୍ୟରେ ଅଳ୍ପ ବର୍ଷା ସମ୍ଭାବନା ଅଛି । ଏଥର ସମ୍ଭବତଃ ଅଳ୍ପ ବର୍ଷାକୁ ନେଇ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ । ଏ ନେଇ ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ ।