ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ବାଦଲ ଫଟା ବର୍ଷା। ଉତ୍ତରକାଶୀର ସୁଖୀ ଗାଁରେ ପ୍ରକୃତିର ତାଣ୍ଡବ। ପୂର୍ବରୁ ଧାରାଳୀ ଗାଁରେ ହୋଇଥିବା ବାଦଲ ଫଟା ବର୍ଷା ଘଟଣା ପରେ ଏହା ଦ୍ୱିତୀୟ ଘଟଣା ଅଟେ। ଧାରାଳୀ ନିକଟବର୍ତ୍ତୀ ସୁଖୀ ଗାଁରୁ ଆସିଥିବା ବିଭିନ୍ନ ଦୃଶ୍ୟରେ ଦେଖାଯାଇଛି ଯେ କାଦୁଅ ଓ ପାଣିର ଏକ ସୁଅ ଗାଁ ମଧ୍ୟକୁ ଧସେଇ ପଶୁଛି। ଆଉ ଏହି ସୁଅ ଦେଖୁଦେଖୁ ସବୁ କିଛି ମାଟିରେ ମିଶାଇ ଦେଇଛି।  ଏହି ବିପର୍ଯ୍ୟୟ ଧାରାଳୀରେ ଦେଖାଯାଇଥିବା ବିପର୍ଯ୍ୟୟ ସହ ପ୍ରାୟ ସମାନ। ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା ପ୍ରାୟ ୧୬ କିଲୋମିଟର ରହିଥିବା ବେଳେ ଉଭୟ ଅଞ୍ଚଳ ହର୍ଷିଲ ଓ ଗଙ୍ଗୋତ୍ରୀର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। 

ଏହି ବାଦଲ ଫଟା ବର୍ଷା ଯୋଗୁଁ ସୁଖୀ ଗାଁରେ ପାଣି, କାଦୁଅ, ବାଲି ଓ ମାଟିର ପ୍ରବଳ ପ୍ରବାହ ଧଶେଇ ପଶିଥିବା ଦେଖିବାକୁ ମିଳିଛି। ଯାହା ଦ୍ୱାରା ଉକ୍ତ ଅଞ୍ଚଳରେ ଥିବା ଘରଦ୍ୱାର ନଷ୍ଟ ହେବା ସହ ବିଭିନ୍ନ ଗଛବୁଛ ଉପୁଡ଼ି ଯାଇଛି। ଧାରାଳୀ ଗାଁରେ ଘଟିଥିବା ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ ବନ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରେ ଅନେକ ଘର ପାଣିରେ ଭାସିଯିବା ସହ ଅୱେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଲୋକମାନେ ନିଜର ଜୀବନ ରକ୍ଷା ପାଇଁ ପ୍ରାଣ ବିକଳରେ ରାସ୍ତାରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। 

ବର୍ତ୍ତମାନ ଉତ୍ତରକାଶୀରେ ଏନଡିଆରଏଫ, ଆଇଟିବିପି ଏବଂ ଭାରତୀୟ ସେନାର କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସ୍ଥାନୀୟ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଧାରାଳୀରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସୁଖୀ ଗାଁରେ ଏପର୍ଯ୍ୟନ୍ତ କୌଣସି ପ୍ରାଣହାନୀ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ଅସାଧାରଣ ଭାବେ ବୃଦ୍ଧି ପାଇଛି । ଉତ୍ତରକାଶୀ ପୁଲିସ ଲୋକମାନଙ୍କୁ ନଦୀରୁ ନିରାପଦ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାକୁ "ଅତ୍ୟନ୍ତ ଦୁଃଖଦ" ବୋଲି ବର୍ଣ୍ଣନା କରିଛନ୍ତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଚାଲିଛି ବୋଲି କହିଛନ୍ତି। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଆଲୋଚନା କରି ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି। 

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ଅଞ୍ଚଳ ପାଇଁ ରେଡ ଆଲର୍ଟ ଜାରି କରିଥିଲା। କିନ୍ତୁ ବାଦଲ ଫଟା ବର୍ଷା ପଛରେ ସ୍ଥାନୀୟ କାରଣ ରହିଥିବାରୁ ଏହାର ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର। ଗଡ଼ଓ୍ୱାଲ ଅଞ୍ଚଳର ଭୂମି ଗଠନ, ଡ୍ୟାମ ନିର୍ମାଣ ଓ ଶାରଦାମ ଯାତ୍ରା ପାଇଁ ରାସ୍ତା ନିର୍ମାଣ ଭଳି ମାନବୀୟ କାର୍ଯ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମବାହ ପଛକୁ ହଟିବା ଦ୍ୱାରା ସୃଷ୍ଟି ହୋଇଥିବା ଢିଲା ମାଟି ଏହି ଅଞ୍ଚଳକୁ ଏଭଳି ଘଟଣା ପାଇଁ ଅଧିକ ସଂବେଦନଶୀଳ କରିଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। 

ଏହି ବିପର୍ଯ୍ୟୟ ହିମାଳୟ ଅଞ୍ଚଳରେ ଚାଲିଥିବା ମୌସୁମୀ ବର୍ଷାର ବିନାଶକାରୀ ପ୍ରଭାବକୁ ସମସ୍ତହ୍କ ସାମ୍ନାକୁ ଆଣିଛି। ନିକଟବର୍ତ୍ତୀ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଛି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି। ଉତ୍ତରାଖଣ୍ଡର ରାଜଧାନୀ ଦେହରାଦୂନରେ ରାତିସାରା ହୋଇଥିବା ଲଗାଣ ବର୍ଷା ଯୋଗୁଁ ସ୍କୁଲ ଓ ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଗଙ୍ଗା ଓ କାଳୀ ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି। 

ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଏହି ସଙ୍କଟ ସମୟରେ ସାହାଯ୍ୟ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି। ଏହି ନମ୍ୱର ଗୁଡିକ ହେଉଛି 01374-222126, 01374-222722, 9456556431। ଏହି ଘଟଣାର ପ୍ରଭାବ ଏବଂ ଉଦ୍ଧାର କାର୍ଯ୍ୟ ଉପରେ ଅଧିକାରୀମାନେ ନିରନ୍ତର ନଜର ରଖିଛନ୍ତି ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି।