ନୂଆଦିଲ୍ଲୀ: ଚତୁର୍ଥ ଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ରାଞ୍ଚିର ମୋରହାବାଦୀ ମୈଦାନରେ ଆୟୋଜିତ ଏହି ଭବ୍ୟ ସମାରୋହରେ ବିରୋଧୀ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଜ୍ୟପାଳ ସନ୍ତୋଷ ଗାଙ୍ଗୱାର ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ବରେ ଇଣ୍ଡି ମେଣ୍ଟ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି, ଆଉ ଏହାର ପାଞ୍ଚ ଦିନ ପରେ ଏବେ ନୂତନ ସରକାର ଗଠନ ହୋଇଛି।
ଶପଥ ଗ୍ରହଣ ସମାରୋହରେ ଇଣ୍ଡିଆ ବ୍ଲକ୍ ନେତାଙ୍କ ଉପସ୍ଥିତି ମିଳିତତାର ଏକତା ପ୍ରଦର୍ଶନ କରିଛି । ଝାଡଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ ରାଜ୍ୟର ବିକାଶ ତଥା ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି।
ଏହି ଅବସରରେ ରାଞ୍ଚିରେ ଇଣ୍ଡିଆ ମେଣ୍ଟର ଅନେକ ନେତା ଉପସ୍ଥିତ ଥିଲେ । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ । ଶପଥ ନେବା ପୂର୍ବରୁ କୁରତା-ପାଇଜାମା ପିନ୍ଧି ହେମନ୍ତ ସୋରେନ୍ ଜେଏମ୍ଏମ୍ ସଭାପତି ଏବଂ ତାଙ୍କ ପିତା ଶିବୁ ସୋରେନଙ୍କୁ ଭେଟିଥିଲେ।
ଏହା ରେକର୍ଡ ଯେ, ଚତୁର୍ଥ ଥର ପାଇଁ ସୋରେନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ଟି ସିଟ୍ ହାସଲ କରି ନିଜର ସଂଖ୍ୟା ଗରିଷ୍ଠତା ବଜାୟ ରଖିଥିବା ବେଳେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ୨୪ ଟି ସିଟ୍ ପାଇଛି।