ତେହରାନ୍‌, ୩୦/୧୦ : ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାକୁ ମିଳିଛି ନୂଆ ମୁଖିଆ । ହସନ୍‌ ନସ୍‌ରଲ୍ଲାହ ନିପାତ ହେବାର ୩୨ ଦିନ ପରେ ୭୧ ବର୍ଷୀୟ ନଇମ୍‌ କାସିମ୍‌କୁ ହିଜବୁଲ୍ଲାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସଙ୍ଗଠନର ଡେପୁଟି ଲିଡର ଭାବେ କାର୍ଯ୍ୟ କରୁଥିଲା କାସିମ୍‌ । ଏବେ ସେ ଇରାନରେ ରହୁଛି । ମଙ୍ଗଳବାର ତାକୁ ସଙ୍ଗଠନର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ସେ ଲେବାନନ୍‌ ଆସି ହିଜବୁଲ୍ଲାର ମଙ୍ଗ ଧରିବ । କାସିମ୍‌ ହିଜବୁଲ୍ଲାର ଦ୍ୱିତୀୟ ବରିଷ୍ଠ ନେତା ଥିଲା । ନସ୍‌ରଲ୍ଲାହର ମୃତ୍ୟୁ ପରେ କାସିମ୍‌ ହିଁ ଲେବାନନ୍‌ର ଜନତାଙ୍କୁ ସମ୍ବୋଧନ କରିଥିଲା । ରିପୋର୍ଟ ମୁତାବକ, କାସିମ୍‌ ବର୍ତ୍ତମାନ ଇରାନରେ ରହୁଛି । ଅକ୍ଟୋବର ୫ରେ ସେ ଲେବାନନ୍‌ ରାଜଧାନୀ ବିରୁଟ୍‌ ଛାଡ଼ି ପଳାଇଥିଲା । ତାକୁ ଇରାନର ବିଦେଶ ମନ୍ତ୍ରୀଙ୍କ ବିମାନରେ ନିଆଯାଇଥିଲା । ଇସ୍ରାଏଲୀ ହମଲାରେ ନସ୍‌ରଲ୍ଲାହ ନିପାତ ହେବା ପରେ କାହାକୁ ପରବର୍ତ୍ତୀ ମୁଖ୍ୟ ଚୟନ କରାଯିବ, ତାକୁ ନେଇ ସଙ୍ଗଠନରେ ମନ୍ଥନ ଚାଲିଥିଲା । ପ୍ରଥମେ ମୁଖ୍ୟ ଦୌଡ଼ରେ ହାସେମ୍‌ ସାଫିଦ୍ଦିନ୍‌ର ନାମ ଶୁଣିବାକୁ ମିଳିଥିଲା । କିନ୍ତୁ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ସାଫିଦ୍ଦିନ୍‌ ବି ପ୍ରାଣ ହରାଇଥିଲା । ଇସ୍ରାଏଲୀ ହମଲାରେ ଏ ପର୍ଯ୍ୟନ୍ତ ୫ ପ୍ରମୁଖ ହମାସ୍‌ ନେତୃତ୍ୱ ପ୍ରାଣ ହରାଇଲେଣି । ସେମାନେ ହେଉଛନ୍ତି ନସ୍‌ରଲ୍ଲାହ, ସାଫିଦ୍ଦିନ୍‌, ଅଲ୍ଲୀ କାରାକି, ଫୁଆଦ ଶୁକର ଓ ଇବ୍ରାହିମ ଅକିଲ । 

ନଇମ୍‌ କାସିମ୍‌ କିଏ? 

ନଇମ୍‌ କାସିମ୍‌ ୧୯୫୩ରେ ଲେବାନନ୍‌ର କଫାର କିଲ୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲା । ୧୯୭୦ ଦଶକରେ ସେ ଲେବାନନ୍‌ରେ ଶିୟାମାନଙ୍କ ‘ଅମଲ୍‌’ ଆନ୍ଦୋଳନରେ ସାମିଲ ହୋଇଥିଲା । ଶିୟାମାନଙ୍କ ଅଧିକାର ପାଇଁ ଲଢ଼ିବା ଲାଗି ଏହି ଆନ୍ଦୋଳନ କରାଯାଇଥିଲା । ପରେ ୧୯୮୦ ଦଶକ ଆରମ୍ଭରେ କାସିମ୍‌ ହିଜବୁଲ୍ଲାର ଆନ୍ଦୋଳନ ସହ ସାମିଲ ହୋଇ ସଙ୍ଗଠନର ପ୍ରତିଷ୍ଠା କରିଥିବା ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ସାମିଲ ହୋଇଥିଲା । କାସିମ୍‌ ଅନେକ ଦଶନ୍ଧି ହେଲା ଲେବାନନ ରାଜଧାନୀ ବିରୁଟରେ ଧାର୍ମିକ ଶିକ୍ଷା ଦେଇଆସୁଥିଲା । ସେ ୧୯୯୧ରେ ହିଜବୁଲ୍ଲାର ଡେପୁଟି ସେକ୍ରେଟାରି ଜେନେରାଲ ହୋଇଥିଲା । ସେ ହିଜବୁଲ୍ଲା ସୁରା କାଉନସିଲ ସଦସ୍ୟ ବି ଥିଲା ।