କଟକ, ୦୩/୦୭ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଖାରଜ ହୋଇଯିବା ପରେ ବିଷ୍ଣୁପଦ ସେଠୀ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ମାମଲାର ଶୁଣାଣି କରି ଶ୍ରୀ ସେଠୀଙ୍କୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସେପର୍ଯ୍ୟନ୍ତ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ସିବିଆଇ କୌଣସି କଠୋର ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ଏହି ମାମଲାରେ ହାଇକୋର୍ଟ ସିବିଆଇକୁ କେସ ଡାୟାରୀ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର୍‌ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଲିଙ୍କ୍‌ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ୍‌ କରାଯାଇଥିଲା। ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା। ସିବିଆଇ ରେଡ୍‌କୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ଅନ୍ତରୀଣ ଅଙ୍କୁଶ ହଟାଇ ଦିଆଯାଇଥିବାରୁ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢିଥିଲା। ସେ ଗିରଫ ହେବାର ସମ୍ଭାବନା ରହିଥିଲା। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ମାମଲାର ଶୁଣାଣି କରି ଶ୍ରୀ ସେଠୀଙ୍କୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡ଼ୁଆ: ଆବେଦନ ଖାରଜ କଲେ ହାଇକୋର୍ଟ, ବଢିଲା ଗିରଫ ସମ୍ଭାବନା