କଟକ ୧୩/୦୨: କଟକ ସହରରେ ବିବାହ ଶୋଭାଯାତ୍ରାରେ ଲେଜର୍ ଲାଇଟ୍ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରିଛନ୍ତି ହାଇକୋର୍ଟ । ଶୋଭାଯାତ୍ରାରେ ଲେଜର୍ ଲାଇଟ୍ ବ୍ୟବହାର ହୋଇପାରିବ ନାହିଁ କି ୬୫ଡେସିବେଲ୍‌ରୁ ଅଧିକ ତୀବ୍ର ଶବ୍ଦ ହୋଇପାରିବ ନାହିଁ । ସେହିପରି ରାତି ୧୦ଟା ପରେ ବିବାହ ଶୋଭାଯାତ୍ରା ଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି । ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବା ଲାଗି ହାଇକୋର୍ଟ ସବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ସ୍ଥାନରେ ଏହି ଆଦେଶର ଉଲ୍ଲଂଘନ ହୋଇଥାଏ ତାହେଲେ ସ୍ଥାନୀୟ ଆଇଆଇସିମାନେ ସେଥିପାଇଁ ଦାୟୀ ରହିବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଗୁରୁବାର ଶୁଣାଣିବେଳେ ବିବାହ ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣ ନିୟମକୁ ଉଲ୍ଲଙ୍ଘନ କରାଯାଉଥିବା ନେଇ ଆଡଭୋକେଟ୍ କମିଟି ସଦସ୍ୟମାନେ ଅଭିଯୋଗ କରିଥିଲେ । ଡିସିପିଙ୍କ ଅନୁପସ୍ଥିତିରେ ଅଦାଲତରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିବା ଅତିରିକ୍ତ ଡିସିପି ସୁଦର୍ଶନ ଦାସ ଅଦାଲତଙ୍କ ଏହି ଆଦେଶକୁ ପାଳନ କରିବା ଲାଗି ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । କିନ୍ତୁ ଏହା ଉପରେ ଆଡ୍ଭୋକେଟ୍ କମିଟି ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଫଳରେ ହାଇକୋର୍ଟ ସାନି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ ଏବଂ ଅନ୍ୟ ଆଇନଜୀବୀମାନେ ପରିଚାଳନା କରୁଛନ୍ତି ।

ଆହୁରି ପଢ଼ନ୍ତୁ :- ସହରୀ ଆବାସରେ ବିଶ୍ୱସ୍ତରୀୟ ମଡେଲ୍: ଚେନ୍ନାଇ ଗସ୍ତରେ ବିଶ୍ଵ ବ୍ୟାଙ୍କ ଓ ADBର ଅଭିଜ୍ଞତା ସାଉଁଟିଲେ ଉଷା ପାଢୀ