ମୁମ୍ବାଇ: ବମ୍ବେ ହାଇକୋର୍ଟ ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ ଚଳଚ୍ଚିତ୍ର ଜଲି ଏଲଏଲବି ୩ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଏକ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନ୍ୟାୟପାଳିକା ଉପହାସକୁ ନେଇ ଚିନ୍ତିତ ନୁହେଁ। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ‘ପ୍ରଥମ ଦିନରୁ ଆମକୁ ଉପହାସ କରାଯାଉଛି, ତେଣୁ ଆମ ବିଷୟରେ ଚିନ୍ତା କରନ୍ତୁ ନାହିଁ।’ଓକିଲ ଚନ୍ଦ୍ରକାନ୍ତ ଗାୟକୱାଡଙ୍କ ପ୍ରତିନିଧିତ୍ୱରେ ଆସୋସିଏସନ୍ ଫର ଏଡିଂ ଜଷ୍ଟିସ୍ ଦ୍ୱାରା ଏହି ଆବେଦନ ଦାଖଲ କରାଯାଇଥିଲା। 

ଆବେଦନରେ ଫିଲ୍ମର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଏବଂ "ଭାଇ ୱକୀଲ ହୈ" ଗୀତକୁ ହଟାଇବା ପାଇଁ ଦାବି କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ଦୀପେଶ ସିରୋୟା ଯୁକ୍ତି ଦେଇଥିଲେ ଯେ, ଗୀତ ଏବଂ ଫିଲ୍ମ ଓକିଲ ଓ ବିଚାରପତିମାନଙ୍କୁ ଉପହାସ କରିଛି । ଗୋଟିଏ ଦୃଶ୍ୟରେ ବିଚାରପତିମାନଙ୍କୁ ‘ମାମୁ’ ବୋଲି ଉଲ୍ଲେଖ କରାଯାଇଛି । ଏହା ନ୍ୟାୟପାଳିକା ପ୍ରତି ଅପମାନ।  ବିଚାରପତି ଚନ୍ଦ୍ରଶେଖର ଏବଂ ବିଚାରପତି ଗୌତମ ଆଙ୍ଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଏପରି ଉପହାସରେ ଆମେ ବିରକ୍ତ ହେଉ ନାହୁଁ । କୋର୍ଟ କହିଛନ୍ତି, ‘ଆମକୁ ପ୍ରଥମ ଦିନରୁ ଉପହାସ କରାଯାଉଛି, ତେଣୁ ଆମ ବିଷୟରେ ଚିନ୍ତା କରନ୍ତୁ ନାହିଁ।’

ଫିଲ୍ମ ନିର୍ମାତାମାନେ କୋର୍ଟକୁ ଏହା ମଧ୍ୟ ଜଣାଇଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟରେ ସମାନ ଆବେଦନ ଦାଖଲ କରାଯାଇଥିଲା । ଯାହାକୁ ଖାରଜ କରିଦିଆଯାଇଛି । ବର୍ତ୍ତମାନ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଫିଲ୍ମର ମୁକ୍ତିଲାଭ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅକ୍ଷୟ କୁମାର ଏବଂ ଅରଶଦ ୱାରସୀ ଅଭିନୀତ ଏହି ଫିଲ୍ମଟି ସେପ୍ଟେମ୍ବର ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଜଲି ଏଲଏଲବି ଏବେ ସେପ୍ଟେମ୍ବର ୧୯ ତାରିଖରେ ହିଁ ମୁକ୍ତିଲାଭ କରିବ। ଜଲି ଏଲଏଲବି-୩ ସୁଭାଷ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ। ଜଲି ଏଲଏଲବି ସିରିଜର ଦୁଇଟି ଫିଲ୍ମକୁ ଦର୍ଶକମାନେ ପୂର୍ବରୁ ଖୁବ ଭଲପାଇବା ଦେଇଛନ୍ତି । ଏବେ ଦର୍ଶକମାନେ ଜଲି ଏଲଏଲବି-୩କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।