ଭୁବନେଶ୍ୱର,୦୮/୧୧: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା । ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି ।
ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀ ମାନେ ଜମିର ତଥ୍ୟ ପ୍ରଦାନ କରିବେ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ । ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ କିମ୍ବା ବିଡିଏ, ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ୱାରା ଆକଳନ ତଥ୍ୟ ଦାଖଲ କରିବେ । ଏଥିସହ ହାଉସ ପ୍ଲାନ୍ ଦାଖଲ କରିବେ ।