ନୂଆଦିଲ୍ଲୀ,୬।୧୦:  ଆମେରିକୀୟ ଷ୍ଟାର ଚେସ୍ ଖେଳାଳି ହିକାରୁ ନାକାମୁରା ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଆମେରିକା ବନାମ ଭାରତ ଚେକମେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ନାକାମୁରାଙ୍କ କାର୍ଯ୍ୟକଳାପକୁ ନେଇ ଆରମ୍ଭ ହୋଇଛି ବିବାଦ। ନାକାମୁରା ବିଶ୍ୱ ଚାମ୍ପିଅନ୍ ତଥା ଭାରତୀୟ ଖେଳାଳି ଡି. ଗୁକେଶଙ୍କୁ ହରାଇବା ପରେ, ଚେସ୍ ବୋର୍ଡରୁ ଗୁକେଶଙ୍କ କିଙ୍ଗ ମୋହରାକୁ ଉଠାଇ ଦର୍ଶକଙ୍କ ଆଡ଼କୁ ଫିଙ୍ଗି ଦେଇଥିଲେ। ନାକାମୁରାଙ୍କ ଏଭଳି ବ୍ୟବହାର ଖେଳ ଭାବନାର ବିରୋଧରେ ଥିବାରୁ, ତାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ଟୁର୍ଣ୍ଣାମେଣ୍ଟରେ ଆମେରିକା ଭାରତକୁ ୫-୦ ରେ ହରାଇଥିଲା।   

ନାକାମୁରାଙ୍କ କାର୍ଯ୍ୟ ବହୁ ପୂର୍ବତନ ଚେସ୍ ଖେଳାଳିଙ୍କୁ ପସନ୍ଦ ଆସିନି। ପୂର୍ବତନ ଚେସ୍ ଓ୍ବାର୍ଲ୍ଡ ଚାମ୍ପିଅନ୍ ଭ୍ଲାଦିମିର୍ କ୍ରାମନିକ୍ ନାକାମୁରାଙ୍କ ଆଚରଣକୁ ସମ୍ପୂର୍ଣ୍ଣ ଅସମ୍ମାନଜନକ ବୋଲି କହିଛନ୍ତି। ରୁଷିଆନ୍ ଲିଜେଣ୍ଡ କ୍ରାମନିକ୍ X ରେ ଲେଖିଛନ୍ତି, ‘ମୁଁ ଜାଣି ପାରୁନି କାହିଁକି ଏଭଳି ପିଲାଳିଆମୀ କାମ କରିଛନ୍ତି।  ଏହା ଗୁକେଶଙ୍କୁ ଅପମାନିତ କରିବା ପାଇଁ ଉଦ୍ଦେଶ୍ୟ ନଥିଲା, କିନ୍ତୁ ଏହି ସାର୍ବଜନୀନ ସ୍ଥାନରେ ଏଭଳି କାର୍ଯ୍ୟ ବିଶେଷ ଭାବରେ ଅପମାନଜନକ । ଭ୍ଲାଦିମିର କ୍ରାମନିକ କହିଛନ୍ତି , ଏପରି ସେଲିବ୍ରେସନ୍ ଚେସର ମର୍ଯ୍ୟାଦାକୁ ହ୍ରାସ କରୁଛି। ହିକାରୁ ନାକାମୁରା ତାଙ୍କର ଏଭଳି କାର୍ଯ୍ୟ ପାଇଁ କୌଣସି କ୍ଷମା ପ୍ରାର୍ଥନା କରିନାହାଁନ୍ତି।  

ତଥାପି, ପରେ ରିପୋର୍ଟ ସାମନାକୁ ଆସିଛି ଯେ, କିଙ୍ଗ ମୋହରାକୁ ପିଙ୍ଗିବାର କାର୍ଯ୍ୟ ଆୟୋଜକଙ୍କ ଦ୍ୱାରା ପୂର୍ବରୁ ପ୍ଲାନିଂ କରାଯାଇଥିଲା। ପ୍ରସିଦ୍ଧ ଚେସ୍ ବିଶେଷଜ୍ଞ ଲେଭି ରୋଜମ୍ୟାନ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି,  ଏହା ଏକ ଅପ୍ରତ୍ୟାଶିତ ଏବଂ ଅସମ୍ମାନଜନକ କାର୍ଯ୍ୟ ପରି ମନେ ହୋଇପାରେ। କିନ୍ତୁ ଆୟୋଜକମାନେ ଆମକୁ ଏହା କରିବାକୁ ଉତ୍ସାହିତ କରିଥିଲେ।  ଏହା ସବୁ ମନୋରଞ୍ଜନ ପାଇଁ ଥିଲା। ଅନ୍ୟପକ୍ଷେ ନାକାମୁରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ଅଭିଜ୍ଞତା ମଧ୍ୟ ସେୟାର କରିଥିଲେ। ସେ କହିଥିଲେ, ‘ଏହା ମୋର ସର୍ବୋତ୍ତମ ବ୍ୟକ୍ତିଗତ ଅଭିଜ୍ଞତା ମଧ୍ୟରୁ ଗୋଟିଏ ଥିଲା। ଆମେ ଏତେ ଦିନ ଧରି ଚେସ୍ ଖେଳୁଛୁ । ଜିତିବାର ଉତ୍ସବ ଏକାକୀ ପାଳନ ସାଧାରଣ କଥା ହୋଇଗଲାଣି।  ଭାରତୀୟ ଖେଳାଳିମାନେ, ଯଦିଓ ହାରିଯାଇଥିଲେ, କିନ୍ତୁ ସେ  ଭଲ ଖେଳିଥିଲେ।  ଏହି ଇଭେଣ୍ଟ ମୋର ଆଶାଠାରୁ ବହୁତ ଭଲ ଥିଲା।’